ଗାୟିକା ଆଶା ଭୋଁସଲେଙ୍କ ପରଲୋକ

     କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କିମ୍ବଦନ୍ତୀ ଗାୟିକା ଆଶା ଭୋଁସଲେଙ୍କ ପରଲୋକ। ଆଶାଙ୍କ ପରଲୋକ ନେଇ ତାଙ୍କ ପୁଅ ଆନନ୍ଦ ସୂଚନା ଦେଇଛନ୍ତି। ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲ୍‌ରେ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ପ୍ରାୟ ୭ ଦଶନ୍ଧି ଧରି ସେ ତାଙ୍କ ସୁମଧୁର ଏବଂ ମନମୁଗ୍ଧକର ଗୀତ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ କରିଆସୁଛନ୍ତି। ତାଙ୍କ ଗୀତକୁ ଦେଶ ଏବଂ ବିଦେଶରେ ମଧ୍ୟ ଲୋକ ଭଲ ପାଆନ୍ତି।

ଶନିବାର ଛାତିରେ ସଂକ୍ରମଣ ଯୋଗୁଁ ତାଙ୍କୁ ହଠାତ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଖବର ପ୍ରଶଂସକ ମାନଙ୍କୁ ଚିନ୍ତିତ କରିଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ସୋମବାର ଅପରାହ୍ନ ୪ଟାରେ ଶିବାଜୀ ପାର୍କରେ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯିବା ନେଇ ସୂଚନା ମିଳିଛି। ତାଙ୍କ ପରଲୋକ ଭାରତୀୟ ସଙ୍ଗୀତରେ ଏକ ଯୁଗର ଅନ୍ତ ଘଟାଇଛି, ଯାହା ଏକ ଅତୁଳନୀୟ ଐତିହ୍ୟ ଛାଡିଯାଇଛି।
        ଆଶା ଭୋଁସଲେ ୧୯୪୮ ମସିହାରେ “ସାୱନ୍ ଆୟା” ଗୀତ ସହିତ ତାଙ୍କର କ୍ୟାରିଅର୍ ଆରମ୍ଭ କରିଥିଲେ। ଯାହା ଏକ ବଡ଼ ହିଟ୍ ହୋଇଥିଲା। ସେ ଆଜି ପର୍ଯ୍ୟନ୍ତ ପ୍ରାୟ ୧୬ ହଜାର ଗୀତ ଗାଇଛନ୍ତି। ହିନ୍ଦୀ ବ୍ୟତୀତ, ସେ ମରାଠୀ, ବଙ୍ଗଳା, ତାମିଲ ଏବଂ ରଷିଆନ୍ ସମେତ ଅନେକ ଭାଷାରେ ନିଜର କଣ୍ଠସ୍ୱର ଦେଇଛନ୍ତି। ପୂର୍ବରୁ ତାଙ୍କ ସୁମଧୁର କଣ୍ଠସ୍ୱର ବିନା ଚଳଚ୍ଚିତ୍ର ଗୁଡ଼ିକୁ ଅପୂର୍ଣ୍ଣ ବୋଲି ବିବେଚନା କରାଯାଉଥିଲା।

Leave a Reply

Your email address will not be published. Required fields are marked *