କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର) : କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କର ୭୨ତମ ବାର୍ଷିକ ସାଧାରଣ ସଭା ବୁଧବାର ମଣ୍ଡୁଆସ୍ଥିତ ଜିଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି କାନନ ବିହାରୀ ପହି ସଭାରେ ଅଧ୍ୟକ୍ଷତା କରି ବ୍ୟାଙ୍କ ଲାଭ ପରିବର୍ତ୍ତେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ସର୍ବଦା ପ୍ରାଧାନ୍ୟ ଦେଇ ଆସିଛି ବୋଲି କହିଥିଲେ ।
୧୯୫୦ ମସିହାରୁ ଆରମ୍ଭ ହୋଇଥିବା ଏହି ବ୍ୟାଙ୍କ ସଫଳତା ଲାଭ କରି ରାଜ୍ୟରେ ଅଗ୍ରଣୀ ବ୍ୟାଙ୍କ ଭାବରେ ୭୬ବର୍ଷରେ ପଦାର୍ପଣ କରିଅଛି । ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ବ୍ୟାଙ୍କର
ଅଂଶଧନ ୭୯.୨୮ ଲକ୍ଷ ଟଙ୍କା, ଜମା ୭୬୪.୦୯ ଲକ୍ଷ ଟଙ୍କା, କାର୍ଯ୍ୟକାରୀ ମୂଳଧନ ୧୫୩୭.୬୩ ଲକ୍ଷ ଟଙ୍କା, ନିଜସ୍ବ ପାଣ୍ଠି ୧୨୦.୭୨ ଲକ୍ଷ ଟଙ୍କା ଥିବାବେଳେ ଚଳିତବର୍ଷ ନେଟ୍ ଲାଭ ୪୮୧.୪୪ ଲକ୍ଷ ଟଙ୍କା ହୋଇଛି । ତଦନୁଯାୟୀ ସମସ୍ତ ପୃଷ୍ଠପୋଷକ ମାନଙ୍କୁ ଲାଭାଂଶ ବଣ୍ଟନ କରାଯାଇଛି ବୋଲି ଶ୍ରୀ ପହି କହିଥିଲେ । ଜମା ଅନୁପାତ ଅନୁଯାୟୀ ଚାଷୀଙ୍କୁ ୫୭୯ କୋଟି ଟଙ୍କା ଋଣ ଦିଆଯାଇଛି। ଅପରପକ୍ଷରେ ରାଜ୍ୟ ସମବାୟ ବ୍ୟାଙ୍କ୍ ମାଧ୍ୟମରେ ନାବାର୍ଡ ଠାରୁ ୪୧୧.୭୪ କୋଟି ଟଙ୍କା ଋଣ ଗ୍ରହଣ କରାଯାଇଥିବା ବେଳେ ରାଜ୍ୟ ସମବାୟ ବ୍ୟାଙ୍କ, ଅନ୍ୟାନ୍ୟ ବ୍ୟବସାୟିକ ବ୍ୟାଙ୍କ୍ ସରକାରୀ ବଣ୍ଡରେ ମୋଟ ୮୧୦.୬୫ କୋଟି ଟଙ୍କା ଗଛିତ
ଅଛି ବୋଲି ସଭାପତି ସୂଚନା ଦେଇ ଏହା କହିଛନ୍ତି ।
ସମବାୟ ବ୍ୟାଙ୍କ ଲାଭ ପରିବର୍ତ୍ତେ ହିତାଧିକାରୀଙ୍କୁ କିଭଳି ବ୍ୟାଙ୍କ ମାଧ୍ୟମରେ ସେବା ଯୋଗଇ ଆସୁଛି ତାହାରି ଉପରେ ଅବତାରଣା କରିବା ସହ ଏଥିପ୍ରତି ଅଧିକାରୀ ଓ କର୍ମଚାରୀ ନିଷ୍ଠାର ସହ ନିଜ ନିଜର ଦାୟିତ୍ବ ସମ୍ପାଦନ କରିବାକୁ ମଧ୍ୟ ଶ୍ରୀ ପହି ଆହ୍ବାନ ଦେଇଥିଲେ । କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ଦାଶ ୨୦୨୫-୨୬ ଆର୍ଥିକବର୍ଷର ଅଡିଟ୍ ରିପୋର୍ଟକୁ ପାଠ କରିଥିବା ବେଳେ ଏହା ସର୍ବସମ୍ମତିକ୍ରମେ ଅନୁମୋଦନ ଲାଭ କରିଥିଲା ।
କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ଉପସଭାପତି ରଶ୍ମିରେଖା ଚକ୍ର, ଜିଲା ସମବାୟ ସଂଘ ସଭାପତି ଅଟଳ ବିହାରୀ ଶତପଥୀ, ଡିଡିଏମ କୁରେଶ କୁମାର ନାୟକ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ପ୍ରସନ୍ନ କୁମାର ମୁଣ୍ଡା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଶ୍ଵଜୟୀ ମିଶ୍ର ଏବଂ ବ୍ୟାଙ୍କ ଉପଦେଷ୍ଟା ଇଂ ଅମରବର ଖଟୁଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ କିଭଳି ସର୍ବଦା ଚାଷୀଙ୍କ ଆୟକୁ ଦ୍ବିଗୁଣିତ କରିବା ପାଇଁ କାର୍ଯ୍ୟ କରି ଆସୁଛି ସେ ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ । ବରିଷ୍ଠ ସମବାୟବିତ ଦେବାଶିଷ ମିଶ୍ର ଏବଂ ବ୍ୟାଙ୍କ ପରିଚାଳକ ଆଲୋକ ବଳ ମଞ୍ଚ ପରିଚାଳନା କରି ଥିବାବେଳେ ଶେଷରେ ବ୍ୟାଙ୍କ ସଭାପତି ଶ୍ରୀ ପହି ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ଲ୍ୟାମ୍ପସ ଓ ପ୍ୟାକ ସଭାପତି ଓ ସଦସ୍ୟ ଉପସ୍ଥିତ ରହି ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ ।
