କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର):: ଖଣି ଓ ଶିଳ୍ପାନୁଷ୍ଠାନରେ ଭରପୁର କେନ୍ଦୁଝର ଜିଲାରେ ଦେବଶିଳ୍ପୀ ପ୍ରଭୁ ଶ୍ରୀ ଶ୍ରୀ ବିଶ୍ଵକର୍ମାଙ୍କ ପୂଜାତ୍ସୋବ ଗତ କିଛିବର୍ଷ ଧରି ଏକ ସାର୍ବଜନୀନ ପୂଜା ଭାବେ ପାଳିତ ହୋଇଆସୁଛି । ଚଳିତବର୍ଷ ଏହି ପୂଜା ଗୁରୁବାର ଠାରୁ ଜିଲାବ୍ୟାପୀ ଧୁମଧାମରେ ଆରମ୍ଭ ହୋଇଛି । ବିଶେଷକରି ଖଣି ଓ ଶିଳ୍ପାନୁଷ୍ଠାନରେ ଭରପୂର ଜିଲାର ଯୋଡ଼ା ଓ ବଡ଼ବିଲ ସମେତ ପଳାଶପଙ୍ଗା, ଶୁଆକାଟୀ ଏବଂ କେନ୍ଦୁଝର ସହରରେ ଏହି ପୂଜା ସପ୍ତାହେବ୍ୟାପୀ ଧୂମଧାମର ସହ ପାଳିତ ହୋଇଆସୁଛି ।

କେନ୍ଦୁଝର ସହରର ଟିପିଏନଓଡିଏଲ କାର୍ଯ୍ୟାଳୟ, ପୂର୍ତ୍ତ ବିଭାଗ, ଜିଲା ଠିକାଦାର ସଂଘ, ଘରୋଇ ବସ ମାଲିକ ସଂଘ, କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ, ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସହରରେ ଥିବା ସମସ୍ତ ମୋଟର ଯାନ ବ୍ୟବସାୟୀ ଓ ମୋଟର ଗ୍ୟାରେଜ ମାନଙ୍କରେ ସୁଦୃଶ୍ୟ ତୋରଣ ସାଙ୍ଗକୁ ପ୍ରଭୁ ଶ୍ରୀ ଶ୍ରୀ ବିଶ୍ବକର୍ମାଙ୍କ ଆକର୍ଷଣୀୟ ପ୍ରତିମୂର୍ତ୍ତି ଓ ସୁନ୍ଦର ସାଜସଜ୍ଜା କେନ୍ଦୁଝର ସହରକୁ ଉତ୍ସବମୁଖର ସହ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି ।

ଜନଗହଳି ଓ ଭକ୍ତଙ୍କ ଦର୍ଶନ ସୁବିଧା ଲକ୍ଷ୍ୟରେ ସନ୍ଧ୍ୟାରେ ବିଶେଷକରି ଟିପିଏନଓଡିଏଲ ଓ ପୂର୍ତ୍ତ କାର୍ଯ୍ୟାଳୟ ମେଢ ନିକଟରେ ପୁଲିସ ମୁତୟନ କରାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
