ଦୁର୍ନୀତି ମାମଲାରେ ପୂର୍ବତନ କନିଷ୍ଠ କିରାଣିଙ୍କୁ ୨ବର୍ଷ ଜେଲ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଦୁର୍ନୀତି ଓ ସରକାରୀ ଅର୍ଥ ତୋଷାରପାତ ମାମଲାରେ କେନ୍ଦୁଝର ସଦର ବ୍ଲକ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପୂର୍ବତନ କନିଷ୍ଠ କିରାଣି ତଥା ବର୍ତ୍ତମାନ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ ବରିଷ୍ଠ କିରାଣି  ସଂଗ୍ରାମ ପଟ୍ଟନାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କେନ୍ଦୁଝରର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍।
             ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଦାୟର ଚାର୍ଜସିଟ୍‌ରେ ତାଙ୍କ ବିରୋଧରେ ପି.ସି.ଆକ୍ଟ-୧୯୮୮ର ଧାରା ୧୩(୨) ସହ ୧୩(୧)(ସି)(ଡି) ଏବଂ ଆଇପିସିର ଧାରା ୪୦୯, ୪୭୭-ଏ, ୪୩୫ ଓ ୨୦୧ ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ଅନୁଯାୟୀ, ୧୯୯୯ରୁ ୨୦୦୩ ମଧ୍ୟରେ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀମାନଙ୍କ ବେତନରୁ ଜିପିଏଫ ଫେରସ୍ତ ବାବଦରେ କଟାଯାଇଥିବା ଅର୍ଥରାଶି ମହାଲେଖାପାଳ ଓଡ଼ିଶା ଭୁବନେଶ୍ୱରଙ୍କ ନିକଟରେ ଜମା ନକରି ତୋଷାରପାତ କରାଯାଇଥିଲା।

              ଏହି ମାମଲାର ଶୁଣାଣି ପରେ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ କେନ୍ଦୁଝର ଅଭିଯୁକ୍ତ ସଂଗ୍ରାମ ପଟ୍ଟନାୟକଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ସଶ୍ରମ କାରାଦଣ୍ଡ ସହ ଜୋରିମାନା ଦଣ୍ଡାଦେଶ କରିଛନ୍ତି।
ଅଭିଯୁକ୍ତଙ୍କ ଦୋଷସିଦ୍ଧି ପରେ ଓଡ଼ିଶା ଭିଜିଲାନ୍ସ ବିଭାଗ ତାଙ୍କୁ ସରକାରୀ ଚାକିରିରୁ ବରଖାସ୍ତ କରିବା ପାଇଁ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟରେ ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି। ଏହି ଦୋଷସିଦ୍ଧି ମାମଲାରେ ଆଗାମୀ ପଦକ୍ଷେପ ଭାବେ ଚାକିରିରୁ ବରଖାସ୍ତ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହେବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *