ବଳଭଦ୍ରପୁର ପୋଲ ନିକଟ କ୍ଷତିଗ୍ରସ୍ତ ରାସ୍ତା ମରାମତି ପରେ ଯାତାୟାତ ସ୍ୱାଭାବିକ
କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ୪୯ନଂ ଜାତୀୟ ରାଜପଥ ଜୁଡିଆ ଘାଟିର ସମସ୍ତ ୮ଟି ଭୂସ୍ଖଳନ ସ୍ଥଳକୁ ସଫା କରାଯାଇଛି ଏବଂ ବିପଦପୂର୍ଣ୍ଣ ସ୍ଥାନରେ ବାରିକେଡ୍ କରାଯାଇଛି। ଏହାସହିତ ନିରନ୍ତର ନଜର ରଖିବା ପାଇଁ ଏନଏଚଏଆଇ ଅଧିକାରୀ ଓ ଆବଶ୍ୟକୀୟ ସମ୍ବଳ ନିୟୋଜିତ କରାଯାଇଛି। ଭିଡ଼ କମାଇବା ପାଇଁ ରାସ୍ତାର ଡାହାଣ ପାର୍ଶ୍ୱରେ ଭାରୀ ଯାନବାହନ ଚଳାଚଳ ପାଇଁ ଅନୁମତି ଦିଆଯାଇଥିଲା।
ତେବେ ଝିପିଝିପି ବର୍ଷା ମଧ୍ୟରେ ସାମାନ୍ୟ ପୁନରୁଦ୍ଧାର କାର୍ଯ୍ୟକୁ ସହଜ କରିବା ପାଇଁ ଗାଡ଼ି ଚଳାଚଳକୁ ପୁଣି ଥରେ ସାମୟିକ ଭାବେ ନିଷେଧ ସହ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି । ଲଗାଣ ବର୍ଷା ଯୋଗୁଁ ପାହାଡ଼ର ମାଟି ନରମ ରହିଛି। ପୁନର୍ବାର ଭୂସ୍ଖଳନ ଆଶଙ୍କା ଥିବାରୁ, ଶ୍ରମିକ ଓ ଯନ୍ତ୍ରପାତିର ସୁରକ୍ଷା ପାଇଁ ତରବରିଆ ଭାବେ ମାଟି ଓ ପଥର ହଟାଇବା ବିପଜ୍ଜନକ ଯୋଗୁଁ ପୁନରୁଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଛି । ଟ୍ରାଫିକ୍ ଜାମ୍ ଯୋଗୁଁ ହୋଇଥିବା ଅସୁବିଧା ପାଇଁ ଆମେ ଆନ୍ତରିକ ଭାବେ ଦୁଃଖିତ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ପରିସ୍ଥିତି ଅନୁକୂଳ ହେବା ପରେ ଡାହାଣ ପାର୍ଶ୍ୱ ଦେଇ ଗାଡ଼ି ଚଳାଚଳ ସ୍ୱାଭାବିକ କରାଯାଇଛି। ସମସ୍ତ ୮ଟି କ୍ଷତିଗ୍ରସ୍ତ ସ୍ଥାନରେ ପୁନରୁଦ୍ଧାର କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜାତୀୟ ରାଜପଥ କର୍ମଚାରୀମାନେ ଅତ୍ୟନ୍ତ ଜଟିଳ ଭୌଗୋଳିକ ଓ ବନ୍ଧୁର ପରିସ୍ଥିତିରେ ଦିନରାତି କାମ କରୁଛନ୍ତି। ଦୟାକରି କେବଳ କାମରେ ବିଳମ୍ବକୁ ପ୍ରାଧାନ୍ୟ ନ ଦେଇ, ବାସ୍ତବିକ ଆହ୍ୱାନ ଏବଂ ବିପଦକୁ ମଧ୍ୟ ବିଚାରକୁ ନେବାକୁ ଅନୁରୋଧ କରାଯାଇଛି। ଏକ ସନ୍ତୁଳିତ ଖବର ପରିବେଷଣ କରି କର୍ମଚାରୀଙ୍କ ମନୋବଳ ବଢ଼ାଇବାରେ ସାହାଯ୍ୟ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।
ସେହିପରି ପ୍ରବଳ ବର୍ଷା ଏବଂ ମାଟି ଅତଡ଼ା ଧସିବା ଯୋଗୁଁ ତେଲକୋଇ ବ୍ଲକ ବଳଭଦ୍ରପୁର ପୋଲ ନିକଟରେ କ୍ଷତିଗ୍ରସ୍ତ ହୋଇଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାର ଏକ ଅଂଶକୁ ମାଟି ଭର୍ତ୍ତି ଓ ରାସ୍ତା ସୁଦୃଢୀକରଣ କାର୍ଯ୍ୟ କରାଯାଇ ତୁରନ୍ତ ପୁନରୁଦ୍ଧାର କରାଯାଇଛି। ବର୍ତ୍ତମାନ ଏହି ମରାମତି ହୋଇଥିବା ରାସ୍ତାରେ ଯାନବାହନ ଚଳାଚଳ ପୁନର୍ବାର ଆରମ୍ଭ ହୋଇଛି । ଯାହା ଯାତ୍ରୀମାନଙ୍କୁ ଆଶ୍ୱସ୍ତି ଦେବା ସହ ଏହି ଅଞ୍ଚଳରେ ଯୋଗାଯୋଗକୁ ସୁନିଶ୍ଚିତ କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
