ରବିବାରୁ ରାତି ନିଳାଦ୍ରୀ ବିଜେ
କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର) : କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉ, ଦେବୀ ସୁଭଦ୍ରା ଓ ପ୍ରଭୁ ଶ୍ରୀ ଜଗନ୍ନାଥ ଶନିବାର ସୁନାବେଶରେ ଲକ୍ଷାଧିକ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଧାର୍ଯ୍ୟ ସମୟ ୩ଟାରେ ତିନି ଦିଅଁଙ୍କ ସୁନାବେଶ ଶେଷ ହୋଇ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତ ଶ୍ରୀଜୀଉଙ୍କ ଏହି ଦୁର୍ଲଭ ସୁନାବେଶ ଦର୍ଶନ କରି ବେଶ୍ ବିଭୋର ହୋଇଥିବା ଦେଖିବାକୁ ମିଳିଛି ।
ମହିଳା ଭକ୍ତ କିଭଳି ସୁରୁଖୁରୁରେ ଶ୍ରୀଜୀଉଙ୍କ ସୁନାବେଶକୁ ଦର୍ଶନ କରିପାରିବେ ସେଥିପ୍ରତି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପୁଲିସ ପ୍ରଶାସନ ପକ୍ଷରୁ ହାତକୁ ନିଆଯାଇଥିଲା । ତିନି ଠାକୁରଙ୍କ ସୁନାବେଶ ସନ୍ଧ୍ୟା ଆଳତୀ ପରେ ଶ୍ରୀ ଶ୍ରୀ ଗୋପାଳଜୀଉମଠ ପକ୍ଷରୁ ୧୨ହଜାଗ ରସଗୋଲା ମଣୋହୀ କରାଯାଇ ଭକ୍ତଙ୍କୁ ମାଗଣାରେ ବଣ୍ଟନ କରାଯାଇଥିଲା । ଦେବୋତ୍ତର ଅଧିକାରୀ ତଥା କେନ୍ଦୁଝର ଉପଜିଲାପାଳ ଉମାଶଙ୍କର ଦଳାଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅପରାହ୍ନ ୧ଟାରେ ଶ୍ରୀଜୀଉଙ୍କ ୧୩ପ୍ରକାର ସୁନା ଅଳଙ୍କାରକୁ ରଥ ଉପରକୁ ଅଣାଯାଇ ଅପରାହ୍ନ ୩ଟାରେ ଶ୍ରୀଜୀଉଙ୍କ ସୁନାବେଶ ଶେଷ ହୋଇଥିଲା ।
ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମୋଟ ୩୭କି.ଗ୍ରା.ରୁ ଉର୍ଦ୍ଧ୍ୱ ସୁନା ଅଳଙ୍କାର ମଧ୍ୟରୁ ୧୬.୭୫୦କି.ଗ୍ରା.ସୁନା ଅଳଙ୍କାର ଓ ୩୦ କି.ଗ୍ରା ରୁପା ଅଳଙ୍କାରକୁ ସୁନାପାଣି ବ୍ୟବହାର କରାଯାଇ ତିନିଠାକୁରଙ୍କୁ ସୁନାବେଶରେ ସୁସଜ୍ଜିତ କରାଯାଇଥିଲା । ଏହି ସୁନାବେଶକୁ ଭକ୍ତ କିପରି ସୁରୁଖୁରୁରେ ଦର୍ଶନ କରିପାରିବେ ସେ ନେଇ ରଥ ଉପରେ ମାଜିଷ୍ଟ୍ରେଟ ମୁତୟନ ହୋଇ ପୁଲିସ ପ୍ରଶାସନ ସହାୟତାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ରବିବାର ଦିନମାମମ ରଥ ଉପରେ ଶ୍ରୀଜୀଉ ଭକ୍ତଙ୍କୁ ଦର୍ଶନ ଦେବାପରେ ରାତି ୮ଟାରେ ଗୋଟିପହଣ୍ଡି କରାଯାଇ ଶ୍ରୀଜୀଉ ମାନଙ୍କୁ ନିଳାଦ୍ରୀ ବିଜେ କରାଯିବ ବୋଲି ଦେବୋତ୍ତର ବିଭାଗ ପକ୍ଷରୁ କୁହାଯାଇଛି ।
ଜିଲାପାଳ ବିଶାଲ ସିଂହ ଓ ଆରକ୍ଷୀ ଅଧ୍ୟକ୍ଷକ ନିତିନ କୁଶଲକରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସୁନାବେଶ ସୁଚାରୁରୂପେ ସମ୍ପର୍ଣ୍ଣ ହୋଇଥିଲା । ବହୁ ପୁଲିସ ଅଧିକାରୀ ଉପସ୍ଥିତ ରହି ରଥ ଚାରିପଟେ ସିସିଟିଭି କ୍ୟାମେରା ଖଞ୍ଜାଯାଇ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିଥିଲେ । ସୁରକ୍ଷା ଦୃଷ୍ଟିରୁ ରଥ ଚାରିପଟେ ବ୍ୟାରିକେଡ ନିର୍ମାଣ ସହ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ବରେ ୭ଜଣ ଡିଏସ୍ପି, ୧୩ଜଣ ଇନ୍ସପେକ୍ଟର, ୧୮ଜଣ ସବ୍ଇନ୍ସପେକ୍ଟର ଓ ୨୫ଜଣ ଏଏସ୍ଆଇଙ୍କ ସମେତ ୨୭ପ୍ଲାଟୁନ ଫୋର୍ସ ମୁତୟନ କରାଯାଇ ନିରାପତ୍ତା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଥିଲା । ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ ନିମନ୍ତେ କୌଣସି ଭକ୍ତଙ୍କୁ ରଥ ଉପରକୁ ପ୍ରବେଶ କରିବାକୁ ଦିଆଯାଇନଥିଲା । ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ଅଭିନନ୍ଦନ ରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶ୍ରୀଜୀଉଙ୍କ ସୁନାବେଶର ପ୍ରତିଟି କାର୍ଯ୍ୟକ୍ରମର ଧାରା ବିବରଣୀ ଭକ୍ତଙ୍କୁ ପ୍ରଦାନ କରାଯାଇଥିଲା ।
