କେନ୍ଦୁଝର ସାଇନ(ଜ୍ଞାନରଞ୍ଜନ ମିଶ୍ର): ବିବାହ ୮ବର୍ଷ ପରେ ସ୍ତ୍ରୀକୁ ନଜଣାଇ ସ୍ୱାମୀର ଦ୍ଵିତୀୟ ବିବାହ ଘଟଣା ଜାଣି ଯୌତୁକ ଫେରାଇ ନେଲେ ଶ୍ୱଶୁର ଘର ପରିବାର। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗରିରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।
ଭାଗିରଥି ନାୟକଙ୍କ ଝିଅ ବିଷ୍ଣୁପ୍ରିୟା ୨୭ ଅପ୍ରେଲ ୨୦୧୮ରେ ଘଟଗାଁ ଥାନା ଅଧିନ କାଶିବେଡା ଗ୍ରାମର ମହେଶ୍ୱର ନାୟକଙ୍କ ପୁଅ ଯତୀନ୍ଦ୍ରଙ୍କୁ ବିବାହ କରିଥିଲେ। ବିବାହ ପରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସୁସମ୍ପର୍କ ଥିବା ବେଳେ ପରେ ବିଷ୍ଣୁପ୍ରିୟାଙ୍କୁ କୌଣସି କାରଣରୁ ସ୍ୱାମୀ ଓ ଶ୍ଵଶୁର ମାନସିକ ନିର୍ଯ୍ୟାତନା ଦେଇଥିବା ବିଷ୍ଣୁପ୍ରିୟା ଅଭିଯୋଗ କରିଛନ୍ତି। ଏପରିକି ଅନେକ ସମୟରେ ତାଙ୍କ ପ୍ରତି କଟୁ ଆକ୍ଷେପ କରିବା ସହ ଯୌତୁକ ପାଇଁ ଅଧିକ ଅର୍ଥ ଦାବି କରାଯାଉଥିଲା ବୋଲି ବିଷ୍ଣୁପ୍ରିୟା ଘଟଗାଁ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଗୋଚରରେ ସ୍ବାମୀ ଯତୀନ୍ଦ୍ର ପିପିଳିଆ ଗ୍ରାମର ଜଣେ ଯୁବତୀକୁ ଚଳିତବର୍ଷ ଫେବୃଆରୀରେ ମନ୍ଦିରରେ ବିବାହ କରିଥିବା ଜାଣିବାକୁ ପାଇଲେ। ଘଟଣାକୁ ଭିତ୍ତିକରି ବିଷ୍ନୁପ୍ରିୟା ଅଭିଯୋଗ କରି ନିରପେକ୍ଷ ତଦନ୍ତ ସହ ତାଙ୍କର ଯୌତୁକ ସାମଗ୍ରୀ ଫେରାଇ ନେବାକୁ ଅଭିଯୋଗ କରିଥିଲେ।
ଘଟଗାଁ ପୁଲିସ ଘଟଣାର ପ୍ରାଥମିକ ତଦନ୍ତ ପରେ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାୟକ ଓ ତଦନ୍ତକାରୀ ଅଧିକାରୀ ଏଏସଆଇ କ୍ଷୀରୋଦିନୀ ନିଆଲ ଅଭିଯୋଗକାରିଣୀ ବିଷ୍ଣୁପ୍ରିୟା ଓ ତାଙ୍କ ପିତାଙ୍କୁ କାଶିବେଡା ଗ୍ରାମକୁ ନେଇ ସମସ୍ତ ଯୌତୁକ ସାମଗ୍ରୀ ଉଦ୍ଧାର କରି ଖିରେଇଟାଙ୍ଗରୀ ନେଇ ଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ବିଷ୍ଣୁପ୍ରିୟା ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ।
