କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝର ଜିଲ୍ଲାରେ ମୋଟରସାଇକେଲ ଚୋରି ଘଟଣାର ପର୍ଦ୍ଦାଫାସ୍ କରିଛି ଟାଉନ ଥାନା ପୁଲିସ। ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ମୋଟ ୧୧ଟି ଚୋରି ମୋଟରସାଇକେଲ ଓ ଦୁଇଟି ମୋବାଇଲ ଫୋନ୍ ଜବତ କରାଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ହୋଇଥିବା ମୋଟରସାଇକେଲ ଚୋରି ଘଟଣା ସହ ଅଭିଯୁକ୍ତମାନଙ୍କ ସମ୍ପୃକ୍ତି ଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି।

ପୁଲିସ ସୂଚନା ଅନୁଯାୟୀ,ଚଳିତମାସ ୮ ତାରିଖରେ କେନ୍ଦୁଝରସ୍ଥିତ ଧରଣୀଧର ଭେଷଜ ଚିକିତ୍ସାଳୟର ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନରୁ ଓଡି-୦୯-ଜେ-୧୪୯୦ ନମ୍ବର ବିଶିଷ୍ଟ ଏକ ହିରୋ ଏଚ୍ଏଫ୍ ଡିଲକ୍ସ ମୋଟରସାଇକେଲ ଚୋରି ହୋଇଥିଲା। ଏ ନେଇ କେନ୍ଦୁଝର ଟାଉନ ଥାନାରେ କେସ୍ ନମ୍ବର ୧୦୧୩/୨୦୨୬ ରୁଜୁ କରାଯାଇ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୩୦୩(୨) ଅନୁଯାୟୀ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ସମୟରେ ପୁଲିସ ଅକ୍ଟୋବର ୨୫ ତାରିଖରେ ଡିଡିଏମ୍ସିଏଚ୍ ପରିସରରୁ ସରସକୋଲା ଗ୍ରାମର ବିଜୁ କାରୁଆଙ୍କ ପୁଅ ରୋହିତ ଓରଫ ନବୀନ (୧୯)ଙ୍କୁ ଚୋରି ମୋଟରସାଇକେଲ ସହ ଧରିଥିଲା। ପରବର୍ତ୍ତୀ ତଦନ୍ତ ଓ ଅଭିଯୁକ୍ତଙ୍କଠାରୁ ମିଳିଥିବା ସୂଚନା ଆଧାରରେ ପୁଲିସ ଜୁଡ଼ିଆଘାଟି ଜଙ୍ଗଲରୁ ୮ଟି ମୋଟରସାଇକେଲ ଉଦ୍ଧାର କରି ଜବତ କରିଥିଲା।
ଏହାବ୍ୟତୀତ କେନ୍ଦୁଝରରୁ ଚୋରି ହୋଇଥିବା ଆଉ ୩ଟି ମୋଟରସାଇକେଲ ଯୋଡ଼ାସ୍ଥିତ ଅବକାରୀ କାର୍ଯ୍ୟାଳୟରୁ ଜବତ କରାଯାଇଥିଲା। ଏହି ମାମଲାରେ ରୁଗୁଡ଼ି ଥାନା ଅନ୍ତର୍ଗତ କ୍ୟାମ୍ପ ହଟିଂ ଅଞ୍ଚଳର ସ୍ୱର୍ଗତ କୃଷ୍ଣ କାରୁଆଙ୍କ ପୁଅ ଗୌତମ (୨୬)ଙ୍କୁ ମଧ୍ୟ ଗିରଫ କରାଯାଇଛି । ପୁଲିସର ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ମାନଙ୍କର କେନ୍ଦୁଝର ଟାଉନ ଥାନାର ୫ଟି ଏବଂ କେନ୍ଦୁଝର ସଦର ଥାନାରେ ଗୋଟିଏ ମାମଲା ସମେତ ମୋଟ ୬ଟି ମୋଟରସାଇକେଲ ଚୋରି ମାମଲାରେ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ଏହା ସହିତ କେନ୍ଦୁଝର ଜିଲ୍ଲାର ଡିଏଚ୍ଏଚ୍, ଡିଡିଏମ୍ସିଏଚ୍, ଘଟଗାଁ ଥାନା ଅନ୍ତର୍ଗତ ଡେଙ୍କିକୋଟ ଏବଂ ଝୁମ୍ପୁରା ଅଞ୍ଚଳରେ ହୋଇଥିବା ଅନ୍ୟ ମୋଟରସାଇକେଲ ଚୋରି ଘଟଣା ସହ ସେମାନଙ୍କ ସମ୍ପୃକ୍ତି ନେଇ ମଧ୍ୟ ତଦନ୍ତ ଚାଲିଛି।
ଅକ୍ଟୋବର ୨୫ ତାରିଖରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କେନ୍ଦୁଝର ଏସ୍ଡିଜେଏମ୍ଙ୍କ ଅଦାଲତକୁ ପଠାଯାଇଛି। ଏହି ଚୋରି ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ତାହା ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି। କେନ୍ଦୁଝର ଟାଉନ ଥାନା ପୁଲିସର ଏହି ସଫଳତା ଜିଲ୍ଲାରେ ମୋଟରସାଇକେଲ ଚୋରି ଘଟଣାର ନିୟନ୍ତ୍ରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନେ କରାଯାଉଛି।
