ଏସ୍ୟୁଜେ ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀ ବୈଠକ
କେନ୍ଦୁଝର ସାଇନ(ଜ୍ଞାନରଞ୍ଜନ ମିଶ୍ର): ଆନନ୍ଦପୁର ହୋଟେଲ ଆଚଲିସ୍ରେ ଏସ୍ୟୁଜେ (ଷ୍ଟେଟ୍ ଯୁନିୟନ୍ ଅଫ୍ ଜର୍ନାଲିଷ୍ଟସ୍) ଓଡ଼ିଶାର ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି।
ରାଜ୍ୟ ସଭାପତିଙ୍କ ଆୟୋଜନାରେ ହୋଇଥିବା ଏହି ବୈଠକରେ ରାଜ୍ୟର ୩୦ଟି ଜିଲ୍ଲାରୁ ଆସିଥିବା ସାମ୍ବାଦିକମାନେ ଯୋଗ ଦେଇଥିଲେ। ବୈଠକରେ ସାମ୍ବାଦିକମାନଙ୍କ ସାମାଜିକ ସୁରକ୍ଷା, ଭତ୍ତା, ସରକାରୀ ପଞ୍ଜୀକୃତ ଖବରଦାତାଙ୍କ ପୂର୍ଣ୍ଣ ସ୍ୱୀକୃତି, ରେଳ ପାସ୍ ଓ ଟୋଲ ଫି ଛାଡ଼ ଭଳି ବିଭିନ୍ନ ଦାବି ଉଠାଯାଇଥିଲା।
ପୂର୍ବତନ ମନ୍ତ୍ରୀ ତଥା ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ମୁଖ୍ୟଅତିଥି ଦ୍ଭାବେ ଯୋଗଦେଇ ସାମ୍ବାଦିକତା କେବଳ ବୃତ୍ତି ନୁହେଁ, ଏହା ଏକ ସେବାମୂଳକ ବ୍ରତ ବୋଲି କହିଥିଲେ । ରାଜନୀତି ଓ ସାମ୍ବାଦିକତା ଦୁଇଟି ସମାନ୍ତର ପ୍ରକ୍ରିୟା, ଯାହାର ଲକ୍ଷ୍ୟ ହେଉଛି ଲୋକସେବା। ସରକାର ରିପୋର୍ଟର୍ସ ପ୍ରୋଟେକ୍ସନ ଆକ୍ଟ ପାଇଁ ପଦକ୍ଷେପ ନେବା ସହିତ ସାମ୍ବାଦିକମାନଙ୍କୁ ପେନ୍ସନ୍ ଯୋଜନାରେ ଅନ୍ତର୍ଭୁକ୍ତ କରିବା ଦରକାର ବୋଲି ଶ୍ରୀ ପାତ୍ର କହିଥିଲେ ।
ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠି କହିଥିଲେ ଯେ, ଆଞ୍ଚଳିକ ଉନ୍ନତିରେ ସାମ୍ବାଦିକମାନଙ୍କ ଭୂମିକା ଅତ୍ୟନ୍ତ ଦୃଢ଼ ଓ ଗୁରୁତ୍ୱପୂର୍ଣ୍ଣ। ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ଉପଜିଲ୍ଲାପାଳ ନୀଳମାଧବ ସୁନା, ଉପଖଣ୍ଡ ପୋଲିସ ଅଧିକାରୀ କୋମଳ ଲୋଚନ ପଣ୍ଡାଙ୍କ ସହ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଦିଲୀପ କୁମାର ମିଶ୍ର ଏବଂ ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ, ମୁଖ୍ୟ କାର୍ଯ୍ୟନିର୍ବାହୀ ଶଶିଭୂଷଣ ଷଡ଼ଙ୍ଗୀ, ଏନ୍ୟୁଜେ ସାଙ୍ଗଠନିକ ସମ୍ପାଦକ ଡ. ଚିନ୍ତାମଣି ପାଢ଼ୀ, ଜିଲା ସାଧାରଣ ସମ୍ପାଦକ ପାର୍ଥ ସାରଥୀ ମିଶ୍ର, ଜିଲା କାର୍ଯ୍ୟକାରୀ ସଭାପତି ଶ୍ରୀକୁମାର ମିଶ୍ର, ଉପସଭାପତି କିଶୋର ଆଚାର୍ଯ୍ୟ, ସଭ୍ୟ ନାରାୟଣ ସାହୁ, ସନ୍ତୋଷ କୁମାର ରାଉତ, ସ୍ମୃତିରଞ୍ଜନ ବିହାରୀ ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏସ୍ୟୁଜେ ଓଡ଼ିଶାର ସମସ୍ତ କର୍ମକର୍ତ୍ତା, ବିଭିନ୍ନ କମିଟି ସଦସ୍ୟ, ଜିଲ୍ଲା ଶାଖା ସଭାପତି ଓ ସାଧାରଣ ସମ୍ପାଦକ ଯୋଗଦେଇ ସଂଠନକୁ ଆହୁରି ସୁଦୃଢ଼ କରିବା ପାଇଁ ଆଲୋଚନା କରିଥିଲେ ।
