କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଆସନ୍ତା ଜୁଲାଇ ୧ ରୁ ଓଡିଶାରେ ଏସଆଇଆର ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ଏସ ଗୋପଳନ ସୂଚନା ଦେଇଛନ୍ତି।
ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ବା ଏସଆଇଆର ପାଇଁ ସମୟସୂଚୀ ଘୋଷଣା କରାଯାଇଛି। ଜୁଲାଇ ୧ରୁ ଏହା ଆରମ୍ଭ ହେବାକୁ ତାରିଖ ଧାର୍ଯ୍ୟ କରାଯାଇଛି। ମେ ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ ପ୍ରିଣ୍ଟିଂ, ପ୍ରସ୍ତୁତି ଓ ପ୍ରଶିକ୍ଷଣ କାର୍ଯ୍ୟ ସମ୍ପନ୍ନ ହେବ। ପରେ ୩୦ ତାରିଖରରୁ ଜୁନ ୨୮ ତାରିଖ ପର୍ଯ୍ୟନ୍ତ ବିଏଲଓ ଘରକୁ ଘର ଯାଇ ପରିଦର୍ଶନ କରିବେ। ଜୁନ ୨୮ ସୁଦ୍ଧା ମତଦାନ କେନ୍ଦ୍ରର ପୁନର୍ବିନ୍ୟାସ ହେବ।

ଜୁଲାଇ ୫ରେ ଚିଠା ଭୋଟର ତାଲିକା ପ୍ରକାଶ କରାଯିବ। ଜୁଲାଇ ୫ରୁ ଅଗଷ୍ଟ ୪ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ ସମୟସୀମା ଧାର୍ଯ୍ୟ ହୋଇଥିବାବେଳେ ଜୁଲାଇ ୫ରୁ ସେପ୍ଟେମ୍ବର ୨ପର୍ଯ୍ୟନ୍ତ ଦାବି ଓ ଆପତ୍ତିର ସମାଧାନ ହେବ। ସେପ୍ଟେମ୍ବର ୬ରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।
ଏସଆଇଆରକୁ ସମ୍ପୂର୍ଣ୍ଣ ସ୍ବଚ୍ଛତା ଏବଂ ରାଜନୈତିକ ଦଳମାନଙ୍କ ପୂର୍ବ ସହଭାଗୀତା ସହ କାର୍ଯ୍ୟାନ୍ଵୟନ କରାଯିବ। ଏଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଓଡିଶାର ସମସ୍ତ ରାଜନୈତିକ ଦଳଙ୍କୁ ପ୍ରତ୍ୟେକ ମତଦାନ କେନ୍ଦ୍ର ପାଇଁ ବୁଥସ୍ତରୀୟ ଏଜେଣ୍ଟ (ବିଏଲଏ) ନିଯୁକ୍ତ କରିବାକୁ ଅନୁରୋଧ କରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ସ୍ଵୀକୃତିପ୍ରାପ୍ତ ରାଜନୈତିକ ଦଳ ତରଫରୁ ମୋଟ ୨୭ହଜାର ୭୨୩ ଜଣଙ୍କୁ ନିଯୁକ୍ତ କରାଯାଇଛି।
ଘର ପରିଗଣନା ସମୟରେ ପ୍ରତ୍ୟେକ ଭୋଟରଙ୍କୁ ବିଏଲଓଙ୍କ ଜରିଆରେ ଦୁଇଟି ଲେଖାଏଁ ପୂର୍ବମୁଦ୍ରିତ ପରିଗଣନା ଫର୍ମ (ସଂଲଗ୍ନ-୩) ଯୋଗାଇ ଦିଆଯିବ। ପୂରଣ ହୋଇଥିବା ଫର୍ମର ଗୋଟିଏ ନକଲ ବିଏଲଓ ସଂଗ୍ରହ କରିବେ ଏବଂ ଦ୍ୱିତୀୟ ନକଲରେ ନିଜ ଦସ୍ତଖତ କରି ଭୋଟରଙ୍କୁ ରସିଦ ବା ସ୍ୱୀକୃତି ପତ୍ର ଭାବେ ଫେରସ୍ତ କରିବେ। ଯାହାକୁ ଭୋଟର ଭବିଷ୍ୟତ ପାଇଁ ସାଇତି ରଖିବେ।
ଭୋଟର ଚାହିଁଲେ ନିର୍ବାଚନ ଆୟୋଗଙ୍କ ସରକାରୀ ୱେବସାଇଟ୍ (voters.eci.gov.in)ରୁ ଏହି ଫର୍ମ ଡାଉନଲୋଡ୍ କରିପାରିବେ ଏବଂ ପୂରଣ ପରେ ସେହି ପୋର୍ଟାଲ ମାଧ୍ୟମରେ ହିଁ ଅନଲାଇନ୍ ଅପଲୋଡ୍ କରିପାରିବେ। ଫର୍ମ ପୂରଣ କରିବାରେ କୌଣସି ସମସ୍ୟା ହେଲେ ବିଏଲଓ ସମ୍ପୃକ୍ତ ଭୋଟରଙ୍କୁ ସମ୍ପୂର୍ଣ୍ଣ ସହାୟତା ଯୋଗାଇଦେବେ। ଏହାସହ ନୂଆ ନିର୍ବାଚକ ଭାବେ ନାମ ପଞ୍ଜୀକରଣ କରିବାକୁ ଚାହୁଁଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ବିଏଲଓ ସେହି ସମୟରେ ଫର୍ମ-୬ ସହ ସ୍ୱତନ୍ତ୍ର ଘୋଷଣାପତ୍ର (ସଂଲଗ୍ନ-୪) ପ୍ରଦାନ କରିବେ।

ଏହି ପରିଗଣନା ସମୟରେ ଭୋଟରଙ୍କଠାରୁ କୌଣସି ପ୍ରକାରର ଅତିରିକ୍ତ ଦଲିଲପତ୍ର (ଡକ୍ୟୁମେଣ୍ଟ) ସଂଗ୍ରହ କରିବାର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ନିର୍ବାଚକଙ୍କଠାରୁ ମିଳିଥିବା ସଠିକ୍ ଫର୍ମ ଆଧାରରେ ହିଁ ନିର୍ବାଚକ ପଞ୍ଜିକରଣ ଅଧିକାରୀ (ଇଆରଓ) ଚିଠା ଭୋଟର ତାଲିକା ପ୍ରସ୍ତୁତ କରିବେ ବୋଲି ସୂଚନା ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ଆର.ଏସ. ଗୋପଳନଙ୍କ ସମେତ ଅତିରିକ୍ତ ସିଇଓ ସୁଶାନ୍ତ କୁମାର ମିଶ୍ର, ଯୁଗ୍ମ ସିଇଓ ଗୋପୀନାଥ କୁଅଁର, ବିତ୍ତ ପରାମର୍ଶଦାତା ସଞ୍ଜୟ କୁମାର ଲୁଗୁନ, ଡେ଼ପୁଟି ସିଇଓ ଡ଼. ଲଷ୍ମୀପ୍ରସାଦ ସାହୁ ଉପସ୍ଥିତ ଥିଲେ।
