ଅର୍ଜୁନ ଖାରାଙ୍କୁ ସ୍ଵର୍ଣ୍ଣ ପଦକ
କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝରରେ ଅବସ୍ଥିତ ଓଡିଶା ଟାଟା ଆର୍ଚେରି ହାଇ ପର୍ଫର୍ମାନ୍ସ ସେଣ୍ଟର ଖେଲୋ ଇଣ୍ଡିଆ ଟ୍ରାଇବାଲ ଗେମ୍ସ-୨୦୨୬ର ପ୍ରଥମ ସଂସ୍କରଣରେ ୪ଟି ପଦକ ହାସଲ କରିଛି। ଏହି ପ୍ରତିଯୋଗିତା ଛତ୍ତିଶଗଡ଼ର ରାଇପୁରରେ ମାର୍ଚ୍ଚ ୨୫ ରୁ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା ।
ଏହି ସେଣ୍ଟରର ଅର୍ଜୁନ ଖାରା (୨୩) ରିକର୍ଭ ବ୍ୟକ୍ତିଗତ ବିଭାଗରେ ସ୍ଵର୍ଣ୍ଣ ପଦକ ଜିତି ଖେଲୋ ଇଣ୍ଡିଆ ଟ୍ରାଇବାଲ ଗେମ୍ସ ଚ୍ୟାମ୍ପିଅନ୍ ଆଖ୍ୟା ଅର୍ଜନ କରିଛନ୍ତି I ଅର୍ଜୁନ, ରିକର୍ଭ ମିକ୍ସଡ୍ ଟିମ୍ ଓ ରିକର୍ଭ ଟିମ୍ ବିଭାଗରେ ମଧ୍ୟ ଦୁଇଟି ରୌପ୍ୟ ପଦକ ଜିତିଛନ୍ତି ।
ସେହିପରି ରମାଇ ମୁର୍ମୁ (୧୬) ରିକର୍ଭ ଟିମ୍ ବିଭାଗରେ ରୌପ୍ୟ ପଦକ ହାସଲ କରିଛନ୍ତି ।

ଏହି ପ୍ରତିଯୋଗିତାରେ ୧୦୬ଟି ସ୍ଵର୍ଣ୍ଣ ପଦକ ମଧ୍ୟରୁ କର୍ଣ୍ଣାଟକ ୨୩ଟି ସ୍ଵର୍ଣ୍ଣ, ୮ଟି ରୌପ୍ୟ ଓ ୭ଟି କାଂସ୍ୟ ପଦକ ସହିତ ସମଗ୍ର ଚ୍ୟାମ୍ପିଅନ୍ ହୋଇଛି । ଯେଉଁଠି ଓଡିଶା ୨୧ଟି ସ୍ଵର୍ଣ୍ଣ, ୧୫ଟି ରୌପ୍ୟ ଓ ୨୧ଟି କାଂସ୍ୟ ପଦକ ସହିତ ଦ୍ୱିତୀୟ ସ୍ଥାନରେ ରହିଛି ।
ପ୍ରାୟ ୩,୮୦୦ ଖେଳାଳି ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୯ଟି ବିଭାଗରେ ଅଂଶଗ୍ରହଣ କରିଥିଲେ, ଯାହା ଏହି ଖେଳର ପରିମାଣ ଓ ଗୁରୁତ୍ୱକୁ ପ୍ରକାଶ କରେ ।
୨୦୧୮ ମସିହାରେ ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ (SAI) ଓ ଯୁବ କାର୍ଯ୍ୟ ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଥିବା ଖେଲୋ ଇଣ୍ଡିଆ ପ୍ରୟାସ ଦେଶବ୍ୟାପୀ ପ୍ରତିଭା ଚିହ୍ନଟ ଓ ପ୍ରଶିକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି ।
ଓଡିଶା ଟାଟା ଆର୍ଚେରି ହାଇ ପର୍ଫର୍ମାନ୍ସ ସେଣ୍ଟର ହେଉଛି ଓଡିଶା ସରକାର ଓ ଟାଟା ଷ୍ଟିଲ୍ର ଏକ ସଂଯୁକ୍ତ ପ୍ରୟାସ, ଯାହା କେନ୍ଦୁଝରରେ ସ୍ଥାପିତ ହୋଇ ତୀରନ୍ଦାଜୀ ମାନଙ୍କୁ ଆଧୁନିକ ସାମଗ୍ରୀ ଓ ପେଶାଦାର ପ୍ରଶିକ୍ଷଣ ମାଧ୍ୟମରେ ପ୍ରଶିକ୍ଷିତ କରିଆସୁଛି ।
