କୋଶଳ ଆନ୍ଧ୍ର ସାଂସ୍କୃତିକ ସଂଘର ୨୩ତମ ଉତ୍ସବରେ ଯୋଗଦେଲେ ରାଜ୍ୟପାଳ
କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଓଡ଼ିଶାର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ରବିବାର ବରଗଡ଼ ଜିଲ୍ଲା ନୂଆଖାଇରପାଲି ଗ୍ରାମସ୍ଥିତ କୋଶଳ ବିଦ୍ୟାଳୟରେ ବୋଇଂ ସୁକନ୍ୟା STEM ଲ୍ୟାବ୍, ଏରୋମଡେଲିଂ ତାଲିମ କେନ୍ଦ୍ର ଏବଂ ଏଆଇ ଲ୍ୟାବ୍ର ଉଦ୍ଘାଟନ କରିଛନ୍ତି। ଶିକ୍ଷା, ବୈଜ୍ଞାନିକ ଚିନ୍ତାଧାରା ଓ ବୈଷୟିକ ନବସୃଜନ ମାଧ୍ୟମରେ ଗ୍ରାମାଞ୍ଚଳର ଛାତ୍ରୀମାନଙ୍କୁ ସଶକ୍ତ କରିବା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଛନ୍ତି।
ଏହି ଅବସରରେ ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ପ୍ରତିଭା କେବେ ବି ପରିସ୍ଥିତିର ସୀମା ମଧ୍ୟରେ ଆବଦ୍ଧ ହୋଇ ରହିବା ଉଚିତ ନୁହେଁ। ପ୍ରତ୍ୟେକ ଛାତ୍ରୀଙ୍କୁ ନିଜର ଦକ୍ଷତା ଓ ସାମର୍ଥ୍ୟର ସର୍ବୋତ୍ତମ ଉପଯୋଗ କରିବାର ସୁଯୋଗ ମିଳିବା ଆବଶ୍ୟକ। ଏହି ଅତ୍ୟାଧୁନିକ ସୁବିଧାଗୁଡ଼ିକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜିଜ୍ଞାସା, ଗବେଷଣା ଓ ନବସୃଜନର ମନୋଭାବ ବିକଶିତ କରିବା ସହ ବିଜ୍ଞାନ ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ସେମାନଙ୍କ ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ।
STEM ଲ୍ୟାବ୍ ମାଧ୍ୟମରେ ବିଜ୍ଞାନ ଓ ଗଣିତରେ ପ୍ରୟୋଗଭିତ୍ତିକ ଶିକ୍ଷାକୁ ପ୍ରୋତ୍ସାହନ ମିଳିବ। ଏରୋମଡେଲିଂ ତାଲିମ କେନ୍ଦ୍ର ଛାତ୍ରଛାତ୍ରୀଙ୍କୁ ବିମାନ ଉଡ଼ାଣ, ନକ୍ସା ପ୍ରସ୍ତୁତି ଓ ଇଞ୍ଜିନିୟରିଂ ସମ୍ପର୍କରେ ଜ୍ଞାନ ପ୍ରଦାନ କରିବ। ସେହିପରି ଏଆଇ ଲ୍ୟାବ୍ ଭବିଷ୍ୟତର ବୈଷୟିକ ଜଗତକୁ ପ୍ରଭାବିତ କରୁଥିବା କୃତ୍ରିମ ବୁଦ୍ଧିମତ୍ତା ଭଳି ଉଦୀୟମାନ ପ୍ରଯୁକ୍ତିବିଦ୍ୟା ସହ ଛାତ୍ରଛାତ୍ରୀଙ୍କୁ ପରିଚିତ କରାଇବ। ଏହାଦ୍ୱାରା ବିମାନ ଚଳାଚଳ, ରୋବୋଟିକ୍ସ ଓ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଭଳି କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହେବ ବୋଲି ରାଜ୍ୟପାଳ କହିଛନ୍ତି ।
ଆଧୁନିକ ବିଜ୍ଞାନଭିତ୍ତିକ ଶିକ୍ଷାକୁ ସହରାଞ୍ଚଳରୁ ଦୂରଦୂରାନ୍ତର ଗ୍ରାମାଞ୍ଚଳକୁ ସମ୍ପ୍ରସାରିତ କରିବାର ଆବଶ୍ୟକତା ଉପରେ ରାଜ୍ୟପାଳ ଆଲୋକପାତ କରିଥିଲେ। ବିଶେଷକରି ପଶ୍ଚିମ ଓଡ଼ିଶାରେ ପ୍ରତିଭା ଓ ସୁଯୋଗ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବାରେ ଏଭଳି ପଦକ୍ଷେପ ସହାୟକ ହେବ ବୋଲି ସେ କହିଥିଲେ । ବିଶେଷକରି ଛାତ୍ରୀମାନଙ୍କୁ ବଡ଼ ସ୍ୱପ୍ନ ଦେଖିବା, ଯୁକ୍ତିସଙ୍ଗତ ଚିନ୍ତାଧାରା ଓ ସମସ୍ୟା ସମାଧାନ ଦକ୍ଷତାର ବିକାଶ କରିବା ସହ ଏହି ସୁବିଧା ଗୁଡ଼ିକର ସର୍ବାଧିକ ଉପଯୋଗ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଦୂରଦର୍ଶୀ ଅଧ୍ୟକ୍ଷ ସ୍ୱର୍ଗତଃ ଗନ୍ନିମାନି ଆନନ୍ଦ ରାଓଙ୍କ ପ୍ରତି ରାଜ୍ୟପାଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କୃଷକ ପରିବାରରୁ ଆସି ଜଣେ ଉଦ୍ୟୋଗୀ ଭାବେ ପ୍ରତିଷ୍ଠା ଲାଭ କରିବା ସହ ସମାଜର ବିକାଶ ପାଇଁ ତାଙ୍କର ଅବଦାନ ପ୍ରେରଣାଦାୟକ ବୋଲି ସେ କହିଥିଲେ। ଗ୍ରାମାଞ୍ଚଳରେ ଶିକ୍ଷାର ପ୍ରସାର, ଶୈକ୍ଷିକ ଉତ୍କର୍ଷତା, କ୍ରୀଡ଼ା ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ବିଦ୍ୟାଳୟର ଅବଦାନକୁ ମଧ୍ୟ ରାଜ୍ୟପାଳ ପ୍ରଶଂସା କରିଥିଲେ।
ଗ୍ରାମାଞ୍ଚଳ ଛାତ୍ରୀଙ୍କୁ ବିଜ୍ଞାନ ଓ ବୈଷୟିକ ଶିକ୍ଷାରେ ସଶକ୍ତକୁ ରାଜ୍ୟପାଳଙ୍କ ଗୁରୁତ୍ଵ
