ଜିଲ୍ଲାସ୍ତରୀୟ  ଭାରତ ଯୁବ ନେତୃତ୍ଵ ସମ୍ବାଦ-୨୦୨୭ ପ୍ରତିଯୋଗିତାରେ ଯୁବ ପ୍ରତିଭା ପ୍ରଦର୍ଶନ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଯୁବପୀଢ଼ିଙ୍କ ସୃଜନଶୀଳତା, କଳାତ୍ମକ ଦକ୍ଷତା ଏବଂ ସାଂସ୍କୃତିକ ଅଭିବ୍ୟକ୍ତିର ପ୍ରଦର୍ଶନ ପାଇଁ ଏକ ଜୀବନ୍ତ ମଞ୍ଚ ପ୍ରଦାନ କରି ସୋମବାର କେନ୍ଦୁଝରସ୍ଥିତ ଅଡିଟୋରିୟମଠାରେ ବିକଶିତ ଭାରତ ଯୁବ ନେତୃତ୍ଵ ସମ୍ବାଦ-୨୦୨୭ ଅନ୍ତର୍ଗତ ଏକ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତି ହୋଇଯାଇଛି।


          ଏହି ପ୍ରତିଯୋଗିତାରେ ଲୋକନୃତ୍ୟ, ଲୋକଗୀତ, ପଥପ୍ରାନ୍ତ ନାଟକ (ନୁକ୍କଡ଼ ନାଟକ), ଚିତ୍ରାଙ୍କନ ଏବଂ କବିତା ଲିଖନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ସାମିଲ ଥିଲା। ଯୁବ ପ୍ରତିଯୋଗୀ ଅତ୍ୟନ୍ତ ଉତ୍ସାହର ସହ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଯାହା ଏହି ଅଞ୍ଚଳର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ଯୁବପୀଢ଼ିଙ୍କ ସୃଜନଶୀଳ ସମ୍ଭାବନାକୁ ପ୍ରତିଫଳିତ କରିଥିଲା। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ନେତୃତ୍ଵ ଗୁଣର ବିକାଶ କରିବା, କଳାତ୍ମକ ଅଭିବ୍ୟକ୍ତିକୁ ପ୍ରୋତ୍ସାହିତ କରିବା, ଭାରତର ବିବିଧ ସାଂସ୍କୃତିକ ପରମ୍ପରାକୁ ସଂରକ୍ଷିତ କରିବା ଏବଂ ବିକଶିତ ଭାରତର ସଙ୍କଳ୍ପରେ ସକ୍ରିୟ ଭାବେ ଯୋଗଦାନ କରିବା ପାଇଁ ଯୁବପୀଢ଼ିଙ୍କୁ ଅନୁପ୍ରାଣିତ କରିବା।

            କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ନିକୁ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଉପସ୍ଥିତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଧରଣୀଧର ବିଶ୍ୱବିଦ୍ୟାଳୟ କୁଳସଚିବ ସୁଶ୍ରୀ ପ୍ରତିଭା ପୃଷ୍ଟି, ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ଅଭିନନ୍ଦନ ରାୟ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ସରୋଜ କୁମାର ମଲ୍ଲିକ ପ୍ରମୁଖ ଥିଲେ।ଯୁବପୀଢ଼ିଙ୍କୁ ସେମାନଙ୍କର ଚିନ୍ତାଧାରା ପ୍ରକାଶ କରିବା, ସାଂସ୍କୃତିକ ପରିଚୟକୁ ପାଳନ କରିବା ଏବଂ ନେତୃତ୍ଵ ଦକ୍ଷତା ବିକଶିତ କରିବା ପାଇଁ ସୁଯୋଗ ପ୍ରଦାନ କରି ସେମାନଙ୍କୁ ସଶକ୍ତ କରିବା ଗୁରୁତ୍ଵକୁ ଏହି କାର୍ଯ୍ୟକ୍ରମରେ ଆଲୋକପାତ କରାଯାଇଥିଲା। ଏଭଳି ପଦକ୍ଷେପ ମାଧ୍ୟମରେ ଯୁବପୀଢ଼ିଙ୍କୁ ଏକ ବିକଶିତ, ଅନ୍ତର୍ଭୁକ୍ତ ଓ ପ୍ରଗତିଶୀଳ ଭାରତ ଗଠନର ଯାତ୍ରାରେ ସକ୍ରିୟ ଯୋଗଦାନକାରୀ ଭାବେ ଉଭା ହେବା ପାଇଁ ଉତ୍ସାହିତ କରାଯାଉଛି।

Leave a Reply

Your email address will not be published. Required fields are marked *