କେନ୍ଦୁଝର ସାଇନ(ଜ୍ଞାନରଞ୍ଜନ ମିଶ୍ର): ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରବିବାର ସ୍ଥାନୀୟ ଶଙ୍କରପୁରସ୍ଥିତ ଧରଣୀଧର କ୍ରୀଡ଼ା ପରିସରରେ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାସ୍ତରୀୟ ଯୋଗ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ମୁଖ୍ୟଅତିଥି ଭାବେ ଯୋଗଦେଇ ସମବେତ ଯୋଗାଭ୍ୟାସ କରିବା ସହିତ ଅନନ୍ୟ ଭାରତୀୟ ପରମ୍ପରା ଯୋଗକୁ ବିଶ୍ୱ ଦରବାରରେ ବିଦିତ କରି ଆନ୍ତର୍ଜାତିକସ୍ତରରେ ଏହାର ପ୍ରଚାର ପ୍ରସାର କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଭିଡିଓ କନଫରେନସିଂ ମାଧ୍ୟମରେ କୋଲକାତାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନର ସିଧାପ୍ରସାରଣକୁ ପ୍ରଦର୍ଶିତ କରାଯାଇଥିଲା।

ଏହି ସାମୁହିକ ଯୋଗାଭ୍ୟାସରେ ସାଂସଦ ଅନନ୍ତ ନାୟକ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ଜିଲ୍ଲାପାଳ ଵିଶାଲ ସିଂହ, ବନଖଣ୍ଡ ଅଧିକାରୀ ଧନରାଜ ଏଚଡ଼ି, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ଉପଜିଲ୍ଲାପାଳ ଉମାଶଙ୍କର ଦଳାଇ, ଡେପୁଟି କଲେକ୍ଟର ସଂଗ୍ରାମ କେଶରୀ ପରିଡ଼ା, ଅଭିଳାଷ ପୁରୋହିତଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ, କର୍ମଚାରୀ ଓ ଜନସାଧାରଣ ଯୋଗାଭ୍ୟାସ କରିଥିଲେ। ଯୋଗକୁ ନିଜ ଦୈନନ୍ଦିନ ଜୀବନରେ ସାମିଲ କରିବା ପାଇଁ ଏକ ଶପଥ ପାଠ ଆୟୋଜିତ କରାଯାଇଥିଲା। ଶେଷରେ ଯୋଗ ଦିବସ ପରିପ୍ରେକ୍ଷୀରେ ବିଦ୍ୟାଳୟସ୍ତରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲା କ୍ରୀଡ଼ା ଅଧିକାରୀ ସରୋଜ କୁମାର ମଲ୍ଲିକ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
