କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବଡ଼ବିଲସ୍ଥିତ ଜିନ୍ଦଲ ପବ୍ଲିକ ସ୍କୁଲକୁ ଏଡୁକନେକ୍ଟଇନ ପକ୍ଷରୁ ବେଷ୍ଟ ସ୍କୁଲ ଆଓ୍ୱାର୍ଡ ୨୦୨୫–୨୬ ପ୍ରଦାନ କରାଯାଇଛି। କେନ୍ଦୁଝର ଜିଲ୍ଲାର ୨୦୭୧ ସ୍କୁଲ ମଧ୍ୟରୁ ଏହି ଗୌରବମୟ ପୁରସ୍କାର ପାଇବାକୁ ଜିନ୍ଦଲ ପବ୍ଲିକ ସ୍କୁଲ ମନୋନୀତ ହୋଇଥିଲା। ଏକ ଶାନ୍ତ ପରିବେଶରେ ଅବସ୍ଥିତ ଜିନ୍ଦଲ ପବ୍ଲିକ ସ୍କୁଲ ଏହା ପ୍ରତିଷ୍ଠା ଠାରୁ ନିରନ୍ତର ଭାବେ ଶିକ୍ଷାର ଗୁଣାତ୍ମକ ମାନକୁ ବଜାୟ ରଖିଆସିଛି।
ଏହି ସ୍କୁଲର ଛାତ୍ରଛାତ୍ରୀ କ୍ରମାଗତ ଭାବେ ଉତ୍ତମ ପ୍ରଦର୍ଶନ କରି ଆସୁଛନ୍ତି। ଶତ ପ୍ରତିଶତ ସଫଳତା ପାଇଁ ଏହି ସ୍କୁଲରେ ପଢ଼ିବାକୁ ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀ ବେଶୀ ଆଗ୍ରହୀ ହେଉଛନ୍ତି। ଏହି ପୁରସ୍କାର ଉତ୍ତମ ଓ ଗୁଣାତ୍ମକ ଶିକ୍ଷାଦାନ ପ୍ରତି ଜିନ୍ଦଲ ସ୍କୁଲର ପ୍ରତିବଦ୍ଧତାକୁ ଦର୍ଶାଉଛି। ଜିନ୍ଦଲ ଷ୍ଟିଲ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, କ୍ରୀଡ଼ା ଓ ସାଂସ୍କୃତିକ ବିକାଶକୁ ପ୍ରାଧାନ୍ୟ ଦିଆଯାଇ ଆସୁଛି।
