ବିଶ୍ୱ ପରିବେଶ ଦିବସ ଅବସରରେ ‘ସ୍ୱଚ୍ଛ ଗାଁ, ସୁରକ୍ଷିତ ଜଳବାୟୁ’ ଅଭିଯାନ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ‘ସ୍ୱଚ୍ଛ ଗାଁ, ସୁରକ୍ଷିତ ଜଳବାୟୁ ଅଭିଯାନ’ କେନ୍ଦୁଝର ଜିଲ୍ଲାର ସମସ୍ତ ୨୯୭ଟି ପଞ୍ଚାୟତରେ ଜୁନ୍ ୧ରୁ ୫ ତାରିଖ ପର୍ଯ୍ୟନ୍ତ ସଫଳତାର ସହ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା, ପଞ୍ଚାୟତ ସମିତି ଓ ପଞ୍ଚାୟତ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ।

     କାର୍ଯ୍ୟକ୍ରମର ପ୍ରଥମ ଦିନରେ ଉକ୍ତ ଅଭିଯାନକୁ ପଞ୍ଚାୟତସ୍ତରରେ ପାଳନ କରାଯିବା ସହିତ  ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ଏବଂ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ-୨୦୨୬ ରୁପାୟନ ନିମନ୍ତେ ପଞ୍ଚାୟତ ପ୍ରତିନିଧି ଓ କାର୍ଯ୍ୟକର୍ତ୍ତା ମାନଙ୍କର ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଆଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ଅନୁରୂପଭାବେ ବ୍ଲକସ୍ତରରେ ପ୍ରସ୍ତୁତି ବୈଠକମାନ ଅନୁଷ୍ଠିତ ହୋଇଥିଲା ।

      କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ପଞ୍ଚାୟତସ୍ତରରେ ସ୍ୱଚ୍ଛଭାରତ ମିଶନ (ଗ୍ରାମୀଣ) କାର୍ଯ୍ୟକ୍ରମ ଅଧିନରେ କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଗୋଷ୍ଠୀସ୍ତରରେ କରାଯାଇଥିବା ବିଭିନ୍ନ ଭିତ୍ତିଭୂମିଗୁଡ଼କର କାର୍ଯ୍ୟକ୍ଷମତା ଉପରେ ପର୍ଯ୍ୟବେକ୍ଷଣ କରାଯିବା ସହିତ ଆବଶ୍ୟକ ମରାମତି ତଥା ଏହାର ବ୍ରାଣ୍ଡିଙ୍ଗ ଓ ରଙ୍ଗ କରିବା ଆଦି କାର୍ଯ୍ୟ କରାଯାଇଥିଲା । ଏଥିସହିତ ‘ମୋ ଗାଁ, ମୋ ଦାୟିତ୍ୱ’ ସେଲ୍ଫି ମାଧ୍ୟମରେ ସମସ୍ତ ପଞ୍ଚାୟତସ୍ତରୀୟ ପ୍ରତିନିଧି, ଗ୍ରାମ୍ୟ ଜଳ ଓ ପରିମଳ କମିଟି, ମୁଖ୍ୟ ସହାୟକ ଏବଂ ଯୁବବର୍ଗ ମାନଙ୍କୁ ସଚେତନ କରାଯାଇଥିଲା ।

      ତୃତୀୟ ଦିନରେ ପଞ୍ଚାୟତ ତରଫରୁ ବର୍ଜ୍ୟବସ୍ତୁ ବୃହତ ଉତ୍ପାଦକମାନଙ୍କୁ ଚିହ୍ନଟ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ-୨୦୨୬ ପାଳନ, ପଞ୍ଜିକରଣ ତଥା ପ୍ରମାଣପତ୍ର ପ୍ରଦାନ ସମ୍ପର୍କରେ ସେମାନଙ୍କ ସହିତ ଆଲୋଚନାକରି ତାଲିକା ପ୍ରସ୍ତୁତ କରାଯାଇଥିଲା । କାର୍ଯ୍ୟକ୍ରମର ଚତୁର୍ଥ ଦିନରେ ଜିଲ୍ଲାର ବିଭିନ୍ନ ସର୍ବସାଧାରଣ ସ୍ଥାନ ରାସ୍ତାଘାଟ, ନଳା, ପର୍ଯ୍ୟଟନସ୍ଥଳୀ, ଜଳାଶୟ, ଧାର୍ମିକ ଅନୁଷ୍ଠାନ, ବିଦ୍ୟାଳୟ, ଅଙ୍ଗନବାଡ଼ିକେନ୍ଦ୍ର, ପଞ୍ଚାୟତ, ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ସାମୂହିକ ସ୍ୱଚ୍ଛତା କାର୍ଯ୍ୟକ୍ରମ ସହିତ ମା’ପାଇଁ ଗଛଟିଏ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ସ୍ଥାନରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିସହିତ ଗ୍ରାମ ପରିକ୍ରମା, ସ୍ୱଚ୍ଛତା ଶପଥପାଠ, ସାଧାରଣ ସଭା, ୪ ଧାରା ବର୍ଜ୍ୟବସ୍ତୁ ପୃଥକୀକରଣ ଯଥା; ଓଦା, ଶୁଖିଲା, ସାନିଟାରୀ ଏବଂ ସ୍ୱତନ୍ତ୍ର ବର୍ଜ୍ୟବସ୍ତୁ, ଉତ୍ସରୁ ବର୍ଜ୍ୟ ପୃଥକୀକରଣ, ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନାର ୪ ମନ୍ତ୍ର ମନା କରନ୍ତୁ, କମାନ୍ତୁ, ପୁନଃ ବ୍ୟବହାର କରନ୍ତୁ ଓ ପୁନଃଚକ୍ରଣ କରନ୍ତୁ, ଏକକ ବ୍ୟବହାର ପ୍ଲାଷ୍ଟିକ୍‌କୁ ନା, କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ୨୦୨୬ ପାଳନ, ଜଳବାୟୁ ସହନଶୀଳ ପଦ୍ଧତି, ଜଳ ସଂରକ୍ଷଣ, ମିଶନ୍ ଲାଇଫ ଅଧୀନରେ ପରିବେଶ ଅନୁକୂଳ ଅଭ୍ୟାସର ପ୍ରୋତ୍ସାହନ, ବିଭିନ୍ନ ପ୍ରତିଯୋଗିତା, ଜନ ସହଭାଗିତା, କାନ୍ଥ ଚିତ୍ର /କାନ୍ଥ ଲିଖନ ଆଦି କରାଯାଇଥିଲା ।

      ଅଭିଯାନର ଅନ୍ତିମ ଦିନ ଜୁନ ୫ ତାରିଖ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ସମସ୍ତ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ କରାଯାଇଥିଲା । ଉକ୍ତ ଗ୍ରାମସଭାରେ ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ-୨୦୨୬ ତଥା ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁପାଳନ ସମ୍ପର୍କରେ ଆଲୋକପାତ କରାଯିବା ସହିତ ଗତ ୪ ଦିନ ଧରି ଅଭିଯାନ ଅଧିନରେ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୁପାୟନ ସମ୍ପର୍କରେ ବିଶଦ୍ ଆଲୋଚନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *