୩୦ରୁ ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର) : ରାଜ୍ୟରେ ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) କାର୍ଯ୍ୟକ୍ରମର ସୁପରିଚାଳନା ନେଇ ମଙ୍ଗଳବାର ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ଏସ. ଗୋପଲନଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଆୟୋଜିତ ଏହି ବୈଠକରେ ସମସ୍ତ ଜିଲ୍ଲାର ନୋଡାଲ ଅଫିସର, ଡେପୁଟି କଲେକ୍ଟର (ନିର୍ବାଚନ) ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାମିଲ ହୋଇଥିଲେ।

     ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆସନ୍ତା ଏସଆଇଆର କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ ଓ ତ୍ରୁଟିଶୂନ୍ୟ କରିବା ପାଇଁ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ, ତ୍ରୁଟି ସଂଶୋଧନ ଏବଂ ସ୍ଥାନାନ୍ତରଣ ପ୍ରକ୍ରିୟାକୁ କିପରି ସରଳୀକରଣ କରାଯାଇପାରିବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ଅଭିଯାନରେ କୌଣସି ଯୋଗ୍ୟ ଭୋଟର ଯେପରି ବାଦ୍ ନପଡ଼ନ୍ତି ସେଥିପ୍ରତି ସତର୍କ ଦୃଷ୍ଟି ଦେବାକୁ ସେ କହିଛନ୍ତି।

         ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ସମୟରେ ବିଏଲଓ ମାନେ ଘରକୁ ଘର ବୁଲି ସର୍ଭେ ପ୍ରକ୍ରିୟାକୁ ସ୍ୱଚ୍ଛ, ସରଳ ଓ ଗୁଜବମୁକ୍ତ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ଜିଲ୍ଲା ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ସୋସିଆଲ ମିଡିଆରେ ଏସଆଇଆରକୁ ନେଇ ପ୍ରସାରିତ ହେଉଥିବା ଯେକୌଣସି ଅପପ୍ରଚାରର ତୁରନ୍ତ ମୁକାବିଲା କରିବାକୁ ଏହି ଆଭାସୀ ବୈଠକରେ ଚେତାବନୀ ଦିଆଯାଇଛି।ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ନେଇ ସୋସିଆଲ ମିଡିଆରେ କୌଣସି ପ୍ରକାର ଭ୍ରମାତ୍ମକ ସୂଚନା କିମ୍ବା ଗୁଜବ ଯେପରି ନ ବ୍ୟାପେ ସେଥିପାଇଁ ପ୍ରତ୍ୟେକ ଜିଲ୍ଲାର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ତୀକ୍ଷ୍ଣ ନଜର ରଖିବେ।

     କୌଣସି ଅପପ୍ରଚାର ନଜରକୁ ଆସିଲେ ପ୍ରଶାସନ ପକ୍ଷରୁ ସଙ୍ଗେ ସଙ୍ଗେ ଏହାର ସତ୍ୟାସତ୍ୟ ଉପସ୍ଥାପନ କରାଯାଇ ଖଣ୍ଡନ କରାଯିବ। ଭୋଟର ତାଲିକା ପ୍ରସ୍ତୁତି ପାଇଁ ଉଦ୍ଦିଷ୍ଟ ସମସ୍ତ ଗଣନା ଫର୍ମକୁ ସ୍ଥାନୀୟ ଓଡ଼ିଆ ଭାଷାରେ ଉପଲବ୍ଧ କରାଯିବ । ଯାହାଦ୍ୱାରା ଗ୍ରାମାଞ୍ଚଳର ସାଧାରଣ ଲୋକେ ଏହାକୁ ସହଜରେ ବୁଝିପାରିବେ। ଏହାସହିତ ଘରକୁ ଘର ବୁଲି ହେବାକୁ ଥିବା ଗଣନା କାର୍ଯ୍ୟକ୍ରମ ବିଷୟରେ ଲୋକଙ୍କୁ ସଚେତନ କରାଯିବ ଯେପରି ସେମାନେ ନିଜ ସଠିକ୍ ତଥ୍ୟ ପ୍ରଦାନ କରିବେ। ଜନସାଧାରଣଙ୍କ ସହାୟତା ପାଇଁ ୧୯୫୦ ଟୋଲ୍ ଫ୍ରି ନିର୍ବାଚନ ହେଲ୍ପଲାଇନ ନମ୍ବରର ବ୍ୟାପକ ପ୍ରଚାର କରାଯିବ। ଏହି ନମ୍ବର ଜରିଆରେ ନାଗରିକମାନେ ଭୋଟର ତାଲିକା ସମ୍ବନ୍ଧୀୟ ସମସ୍ତ ସୂଚନା ପାଇପାରିବେ ଏବଂ ନିଜ ଅଞ୍ଚଳର ବୁଥସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା ପାଇଁ ଏକ କଲ୍ ମଧ୍ୟ ବୁକ୍ କରିପାରିବେ।
         ଭୋଟର ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ସ୍ଥାନୀୟ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମରେ ଏହାର କିପରି ବହୁଳ ଭାବରେ ପ୍ରଚାର ପ୍ରସାର କରାଯାଇପାରିବ ସେ ଉପରେ ଡେ଼ପୁଟି ସିଇଓ ଡ଼. ଲଷ୍ମୀପ୍ରସାଦ ସାହୁ ସମସ୍ତ ଜିଲ୍ଲାର ମିଡ଼ିଆ ସେଲ, ସୋସିଆଲ ମିଡ଼ିଆ ସେଲର ମୁଖ୍ୟ ଓ ଡିଆଇପିଆରଓ ମାନଙ୍କୁ ପରାମର୍ଶ ଦେଇଛନ୍ତି।

     ପ୍ରତ୍ୟେକ ଜିଲ୍ଲାରେ ନିର୍ବାଚନ ବିଭାଗ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଡେପୁଟି କଲେକ୍ଟର (ନିର୍ବାଚନ) ଓ ନୋଡାଲ ଅଫିସରମାନଙ୍କୁ ପରାମର୍ଶ ଦିଆଯାଇଛି। ଅନଲାଇନ୍ ମାଧ୍ୟମରେ ଆବେଦନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ସହ ବୁଥସ୍ତରୀୟ ଅଧିକାରୀ ମାନଙ୍କୁ ସକ୍ରିୟ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି ।

Leave a Reply

Your email address will not be published. Required fields are marked *