କେନ୍ଦୁଝର ସାଇନ(ଜ୍ଞାନରଞ୍ଜନ ମିଶ୍ର): ଏକ ଗୁରୁତ୍ୱପୂର୍ଣ୍ଣ ଦୁର୍ନୀତି ବିରୋଧୀ ଘଟଣାକ୍ରମରେ ଓଡିଶା ଭିଜିଲାନ୍ସ କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକର ପୂର୍ବତନ ଉନ୍ନୟନ କିରାଣୀ ତଥା ଷ୍ଟୋର ଇନଚାର୍ଜଙ୍କୁ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରିଛି। ଏ ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ ଦୋଷୀ ଉନ୍ନୟନ କିରାଣୀ ତଥା ଷ୍ଟୋର ଇନଚାର୍ଜ ଶରତ ଚନ୍ଦ୍ର ନନ୍ଦଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଦୁର୍ନୀତି ନିବାରଣ ଆଇନରେ ତଦନ୍ତ କରି ଦୋଷ ପ୍ରମାଣ ହୋଇ ଚାର୍ଜସିଟ ଦାଖଲ କରାଯାଇଥିବା କୁହାଯାଇଛି ।
୨୦୦୪-୨୦୦୫ ଏବଂ ୨୦୦୫-୨୦୦୬ ସମୟ ମଧ୍ୟରେ ଦୋଷୀ କର୍ମଶରୀ ଶ୍ରୀ ନନ୍ଦ ଚମ୍ପୁଆ ବ୍ଲକର ସିମେଣ୍ଟ ଷ୍ଟକ ଏବଂ ଇସ୍ୟୁ ରେଜିଷ୍ଟରରେ ହେରାଫେରି କରି ସରକାରୀ ଟଙ୍କା ଆତ୍ମସାତ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ଭିଜିଲାନ୍ସ ବିଭାଗ ତଦନ୍ତ କରିଥିଲା। ଆଜି ସ୍ୱତନ୍ତ୍ର ବିଚାରପତି କେନ୍ଦୁଝର ଭିଜିଲାନ୍ସ ଦ୍ୱାରା ଚୁଡାନ୍ତ ଶୁଣାଣୀ କରାଯାଇ ଅଭିଯୁକ୍ତ ଶ୍ରୀ ନନ୍ଦଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୨ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧୦୦୦୦ ଟଙ୍କା ଜୋରିମାନା ଆଦେଶ ହୋଇଛି । ଏଥିସହ ଦୋଷୀ ସାବ୍ୟସ୍ତ ଶ୍ରୀ ନନ୍ଦଙ୍କ ପେନସନ ବନ୍ଦ କରିବା ପାଇଁ ମଧ୍ୟ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ସୁପାରିଶ କରାଯାଇଛି ।
