କେନ୍ଦୁଝର ସାଇନ: ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ସ୍ୱରୂପ ଶୁକ୍ରବାର କେନ୍ଦୁଝର ଜିଲ୍ଲାସ୍ତରୀୟ ‘ପଖାଳ ଦିବସ’ ପାଳିତ ହୋଇଯାଇଛି। ସର୍କିଟ ହାଉସରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଶାଲ ସିଂହଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସହ ଆଭାସୀ ମାଧ୍ୟମରେ ଯୋଡି ହୋଇଥିଲେ। ପରେ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ, କର୍ମଚାରୀ ସାମୁହିକ ଭାବେ ପଖାଳ ସହିତ ପାରମ୍ପରିକ ଓଡ଼ିଆ ବ୍ୟଞ୍ଜନ ବଡ଼ି ଚୂରା, ଶାଗ ଭଜା, ଆଳୁ ଭର୍ତ୍ତା ଏବଂ ଚଟଣି ପରି ବିଭିନ୍ନ ପ୍ରକାରର ଖାଦ୍ୟ ଗ୍ରହଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ନିତିନ କୁଶଳକର, ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ, ଉପଜିଲ୍ଲାପାଳ ଉମାଶଙ୍କର ଦଳାଇ, ପିଏ ଆଇଟିଡିଏ ଶିବଶଙ୍କର ମିଶ୍ର, ବିଭିନ୍ନ ବିଭାଗରୀୟ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସହକାରୀ ନିର୍ଦ୍ଦେଶକ ପର୍ଯ୍ୟଟନ ରମେଶ ଚନ୍ଦ୍ର ନାୟକ, ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ସୁଶ୍ରୀ ବିନତୀ ମାଝୀ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ପରିଚାଳନା କରିଥିଲେ।
