ଅନିଶ୍ଚିତତାରେ କ୍ରସ୍‌ ଭୋଟିଂ ୧୧ ବିଧାୟକଙ୍କ ଭାଗ୍ୟ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ରାଜ୍ୟସଭା ନିର୍ବାଚନ ସରିଛି । ଛାଡ଼ିଯାଇଛି ଅନେକ ପାଦ ଚିହ୍ନ । ବିଜେଡି ଓ କଂଗ୍ରେସ ମୁଖିଆଙ୍କୁ ପଛରୁ ଛୁରୀ ମାରିଥିବା ଦଳୀୟ ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ କରିବା ପାଇଁ ଉଭୟ ଦଳ ପକ୍ଷରୁ ଉଦ୍ୟମ ଜାରି ରହିଛି । କେତେଦୂର ଏଥିରେ ଦୁଇ ଦଳ ସଫଳ ହେବେ ତାହା ଭବିଷ୍ୟତ କହିବ । କିନ୍ତୁ ଯେଉଁ ୧୧ଜଣ ବିଧାୟକ ଏଭଳି ପଦକ୍ଷେପ ନେଲେ ସେମାନଙ୍କ ରାଜନୈତିକ ଭବିଷ୍ୟତ କ’ଣ ହେବ, ତାହା ଅନିଶ୍ଚିତତା ଘେରରେ ରହିଛି । ସେମାନଙ୍କ ରାଜନୈତିକ ଭବିଷ୍ୟତ ଉପରେ ଡ଼ୋରି ଲାଗିଯିବନି ତ ଏକଥା ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି ।

      ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ଏହି ବିଧାୟକମାନେ ନିଜ ନିଜ ସପକ୍ଷରେ ନିର୍ଦୋଷତା ନେଇ ଯୁକ୍ତି ରଖୁଛନ୍ତି । ସେମାନେ ଯେ ଦିଲୀପ ରାୟଙ୍କ ଦ୍ଵାରା ଲୋଭର ବଶବର୍ତ୍ତି ହୋଇ ଏପରି କରି ନାହାନ୍ତି ତାହା କେହି ବିଶ୍ଵାସ କରୁ ନାହାନ୍ତି ବୋଲି କୁହାଯାଉଛି ।

     ବିଜେଡିର ୮ଜଣ ବିଧାୟକ ଚକ୍ରମଣି କଅଁର, ସୁବାଷିନୀ ଜେନା, ସୌଭିକ୍ ବିଶ୍ବାଳ, ଦେବି ରଞ୍ଜନ ତ୍ରିପାଠୀ, ସନାତନ ମହାକୁଡ଼, ଅରବିନ୍ଦ ମହାପାତ, ନନ୍ଦ ବିଶୋର ମଲ୍ଲିକ, ରମାକାନ୍ତ ଭୋଇ ଏବଂ କଂଗ୍ରେସର ୩ଜଣ ବିଧାୟକ ସୋଫିଆ ଫିର୍ଦ୍ଦୋସ, ରମେଶ ଜେନା ଓ ଦାଶରଥୀ ଗମାଙ୍ଗୋ କ୍ରସ୍ ଭୋଟିଂ କରିଥିବାରୁ ଏମନଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ବିଜେଡି ଓ କଂଗ୍ରେସ ମିଳିତ ଭାବେ ଡ. ଦତ୍ତେଶ୍ୱର ହୋତାଙ୍କୁ ସ୍ଵାଧୀନ ପ୍ରାର୍ଥୀ କରାଇଥିଲେ ।

      ଏମାନେ ଦଳ ନିଷ୍ପଭି ବିରୋଧରେ ଯାଇ ବିଜେପି ସମର୍ଥିତ ରାଜ୍ୟସଭା ସ୍ଵାଧୀନ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲେ। ଦଳ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥବାରୁ ଆଉ ଦଳକୁ ପୁଣି ଫେରିବାର ସମ୍ଭାବନା କ୍ଷୀଣ । କାରଣ ଅନ୍ୟ କୌଣସି ଘଟଣା ହୋଇଥିଲେ କିଛିଦିନ ପରେ ହୁଏତ ନିଲମ୍ବନ ଉଠାଇ ଦଳ ତାଙ୍କୁ ଆପଣାଇ ନେଇଥାଆନ୍ତା । ହେଲେ ସମ୍ପୃକ୍ତ ବିଧାୟକମାନେ ଦଳ ମୁଖିଆଙ୍କ ମୁହଁରେ ଚୂନକାଳୀ ବୋଳି ସାଧାରଣରେ ନିନ୍ଦିତ କରିଥୁବାରୁ ସେମାନଙ୍କର ଆଉ ଫେରିବା ସମ୍ଭାବନା ଦେଖାଯାଉ ନାହିଁ ।

     ଦଳୀୟ କାର୍ଯ୍ୟନୁଷ୍ଠାନ ପରେ ସେମାନେ ଯେଉଁ ସବୁ ବିଷୋଦଗାର ମୁଖୁଆଙ୍କ ବିରୋଧରେ କରିଛନ୍ତି ଆଉ ଦଳ ଆପଣାଇବ ବୋଲି ସମ୍ଭାବନା ଦେଖାଯାଉ ନାହିଁ । ନବୀନ ପଟ୍ଟନାୟକ ଯେଉଁଭଳି ବ୍ୟକ୍ତି ସେ କୌଣସି ପରିସ୍ଥିତିରେ ରାଜି ହେବେ ଏକଥା ମଧ୍ୟ ବିଶ୍ବାସ କରାଯାଇ ପାରିବ ନାହିଁ । ତେବେ ଏହି ବିଧାୟକଙ୍କ ଭିତରୁ ଅଧୁକାଂଶ ହେଉଛନ୍ତି ଯୁବକ ଓ ଥରେ କିଏ ଦୁଇଥର ବିଧାନସଭାକୁ ଆସିଛନ୍ତି । ଏମାନଙ୍କର ଦୀର୍ଘ ରାଜନୈତିକ ଭବିଷ୍ୟତ ରହିଛି । ତେବେ ଏମନେ କରିବେ କ’ଣ ।

       ଯାହା ଆଲୋଚନା ହେଉଛି, ଏହି ରାଜ୍ୟସଭା ଘଟଣା ପରେ ରାଜ୍ୟରେ ଏକ ନୂଆ ସଙ୍ଗଠନ ଗଢ଼ି ଉଠିଛି ଯାହାର ନାମ ହେଉଛି ‘ବିଜୁ ଲିଗାସୀ’ । ଏହି ସଙ୍ଗଠନରେ ଯେଉଁମାନେ ମୁଖ୍ୟ ପୁରୋଦ୍ଧା ଅଛନ୍ତି ସେମାନେ ସମସ୍ତେ ରାଜନୀତିରେ ବେଶ୍ ଅଭିଜ୍ଞ ଓ ଦୂରଦୃଷ୍ଟି ସମ୍ପନ୍ନ । ବର୍ତ୍ତମାନ ସୁଦ୍ଧା ଉକ୍ତ ସଙ୍ଗଠନ କୌଣସି ରାଜନୈତିକ ଦଳରେ ପରିଣତ ହୋଇନାହିଁ । ଭବିଷ୍ୟତରେ ଏହା ଏକ ଆଞ୍ଚଳିକ ରାଜନୈତିକ ଦଳର ରୂପ ନେବ ଏକଥା ମଧ୍ୟ ପୃଷ୍ଠପୋଷକ ମାନେ ଖୋଲାଖୋଲି ଭାବେ କହିପାରୁ ନାହାଁନ୍ତି । କାରଣ ଏହା ମୂଳରେ ସବୁଠୁ ବଡ଼ ଆବଶ୍ୟକ ହେଉଛି ଅର୍ଥ ।

       ରାଜ୍ୟସଭା ନିର୍ବାଚନରେ ଏମାନେ ମିଳିମିଶି ଦିଲୀପଙ୍କୁ ଜିତାଇଥୁବାରୁ ତାଙ୍କ ଉପରେ ଅନେକ ଭରସା କରୁଛନ୍ତି । କୁହାଯାଉଛି ଦଳ ଗଠନ ହେଲେ ତାହା ଚଳାଇବା ପାଇଁ ବହୁ ଅର୍ଥ ଆବଶ୍ୟକ ହେବ । ଏ ଅଭିଜ୍ଞତା ସଙ୍ଗଠନ ଗଢ଼ିଥିବା ବିଜୟ ମହାପାତ୍ରଙ୍କର ରହିଛି । କାରଣ ସେ ନିଜେ ଆଞ୍ଚଳିକ ଦଳ ଗଠନ କରି କିପରି ବିଫଳ ହେଲେ ତାହା ସେ ଜାଣିଛନ୍ତି । ଦଳ ପାଇଁ ଯେତେ ସାଧନ ଦରକାର ତାହା ଏକାକୀ ଦିଲୀପ ଦେବା ସମ୍ଭବ ନୁହେଁ । ହେଲେ ଅର୍ଥ ସଂଗ୍ରହ କରିବା ପାଇଁ ଦାୟିତ୍ୱ ତାଙ୍କୁ ଦିଆଯାଇଥବା କଥା କୁହାଯାଇଛି । ଯଦି ଦିଲୀପ ଏଥରେ ସମର୍ଥ ହେଲେ ତେବେ ‘ ବିଜୁ ଲିଗାସୀ’ ଏକ ରାଜନୈତିକ ଦଳର ରୂପରେଖ ନେବ । ନଚେତ୍‌ ଏହା ଏକ ସଙ୍ଗଠନ ହୋଇ
ରହିବ ।

      କୁହାଯାଉଛି ଯଦି ରାଜନୈତିକ ରୂପରେଖ ନିଏ ତେବେ ସମ୍ପୃକ୍ତ ୧୧ ବିଧାୟକ ଏଥୁରେ ଯୋଗଦେଇ ୨୦୨୯ ନିର୍ବାଚନ ଲଢ଼ି ନିଜ ନିଜର ଭିବିଷ୍ୟତ ଗଢ଼ିବାକୁ ସୁଯୋଗ ପାଇବେ । ନଚେତ୍
ଏମାନଙ୍କ ଏକମାତ୍ର ଆଶ୍ରା ରହିଛି ବିଜେପି । ଏମାନେ ବିଧାୟକ ଥିବାରୁ ଦଳ ନେବାରେ କିଛି ଅସୁବିଧା ନାହିଁ । କିନ୍ତୁ ଏମାନଙ୍କୁ ବିରୋଧ କରି ବିଜେପିର ଯେଉଁ ନେତାମାନେ ନିର୍ବାଚନରେ ଲଢ଼ି ପରାଜିତ ହୋଇଛନ୍ତି ଓ ତିକ୍ତତାର ମୁକାବିଲା କରିଛନ୍ତି ସେମାନେ କ’ଣ ସହଜରେ ବାଟ ଛାଡ଼ି ଦେବେ କି ?

       ଯେଉଁ ବିଦ୍ରୋହ ଏମାନଙ୍କ ପାଇଁ ସୃଷ୍ଟି ହେବ ତାହା ବିଜେପି ପାଇଁ କାଳ ମଧ୍ଯ ହୋଇୟରେ । ହୁଏତ ଶେଷ ମୂହୁର୍ଭରେ ବିଜେପି ଏମାନଙ୍କୁ ଦୂରେଇ ଦେଇପାରେ । ଏକଥାକୁ ଅସ୍ଵୀକାର କରି ହେବନାହିଁ । କୁହାଯାଉଛି ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ି ଏ ଦୁଇଜଣଙ୍କର ବିଜେପିରେ ସାମିଲ୍ ହେବାରେ ବିଶେଷ ଅସୁବିଧା ହେବ ନାହିଁ । କିନ୍ତୁ ଅନ୍ୟମାନଙ୍କ ପାଇଁ ଅଡୁଆ ସୃଷ୍ଟି ହେବ । ଏହି ୧୧ ବିଧାୟକ ବର୍ତ୍ତମାନ ଚାହିଁଲେ ବି ବିଜେପିରେ ମିଶି ପାରିବେ ନାହିଁ । କାରଣ ସେମାନଙ୍କୁ ବିଧାୟକ ପଦ ହରାଇବାକୁ ପଡ଼ିବ । ଏଣୁ ଆଗାମୀ ନିର୍ବାଚନ ସମୟକୁ ହିଁ ଏମାନଙ୍କୁ ଅପେକ୍ଷା କରିବାକୁ ହେବ ।

       ଫଳରେ କ୍ରସ୍ ଭୋଟିଂ କରିଥିବା ବିଧାୟକମାନଙ୍କ ରାଜନୈତିକ ଭବିଷ୍ୟତ ଅନିଶ୍ଚତତା ଭିତରେ ରହିଛି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ଦେଇଛନ୍ତି । କାରଣ ଏମାନେ ନିର୍ବାଚନରେ ପ୍ରତିଦ୍ଵନ୍ଦିତା କଲେ ଯେ, ଜିତବେ ତାହା ମଧ୍ୟ ଅନିଶ୍ଚିତ । ଏହା ପଛରେ କୁହାଯାଉଛି ନେତାଙ୍କ ମୁହଁରେ ଚୂନକାଳୀ ଲଗାଇବା ନିଜ ମୁହଁରେ ମଧ୍ଯ କଳା ବୋଳିଛନ୍ତି ବୋଲି ସାଧାରଣରେ ଏବେ ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published. Required fields are marked *