ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା
କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝର ସହର ଉପକଣ୍ଠ ନରଣପୁରରେ ଗୁରୁବାର ଅପରାହ୍ନରେ କାଳବୈଶାଖୀର କରାଳ ରୂପ ସାଙ୍ଗକୁ ପ୍ରବଳ ବର୍ଷା ପବନରେ ଭାଙ୍ଗିଲା ଅସ୍ଥାୟୀ ଗୃହ । ଉକ୍ତ ଅସ୍ଥାୟୀ ଗୃହରେ ୪ଜଣ ଶ୍ରମିକ ବିଶ୍ରାମ ନେଉଥିବା ସମୟରେ ଟେଣ୍ଟ ନିର୍ମାଣ ପାଇଁ ଉଦ୍ଦିଷ୍ଟ ସାମଗ୍ରୀ ତଳେ ଚାପି ହୋଇ ୩ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ହରିଡାଗୋଠ ଗ୍ରାମର ଅମିତ କୁମାର ନାଏକଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ପ୍ରବଳ ଘୂର୍ଣ୍ଣିଝଡରେ ନରଣପୂର ଠାରେ ଥିବା ଏକ ଟେଣ୍ଟ ହାଉସର ଅସ୍ଥାୟୀ କାଠ ବେଟେନ ଘର ଭାଡାଟି ଭାଙ୍ଗି ଯାଇଥିଲା । ଫଳରେ ତଳେ ଶୋଇଥିବା ୪ ଜଣ କନା ବଣ୍ଡଲ ଓ କାଠ ବେଟେନରେ ଚାପି ହୋଇ ରହିଗଲେ । ସ୍ଥାନୀୟ ଲୋକ ବହୁ ଚେଷ୍ଟା କରି ଉଦ୍ଧାର କରିପାରି ନଥିଲେ । ଶେଷରେ ଅଗ୍ନିଶ୍ରମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୪ ଜଣଙ୍କୁ ଉଦ୍ଧାର କରିଥିଲେ । ସେଥିମଧ୍ୟରୁ ଘଟଣାସ୍ଥଳରେ ନରଣପୁର ରୁଗୁଡ଼ି ସାହିର ଆଲୋକ ତିଗିରିଆ , ଘଟଗାଁର ସାଗର ନାୟକ ଓ ଷଡଙ୍ଗୀ ଅଞ୍ଚଳର ପେଟୁ ନାଏକଙ୍କ ମୃତ୍ୟୁ ହୋଇଥିବା ବେଳେ ନରଣପୁର ରୁଗୁଡ଼ିସାହିର ଅମିତ ନାଏକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଏହି ଘଟଣାରେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।

ଅଗ୍ନୀଶମ ବାହିନି ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଥିବା ବେଳେ ଘଟଣାସ୍ଥଳରେ ସଦର ତହସିଲଦାର ଓ ଟାଉନ ପୁଲିସ ପହଞ୍ଚି କ୍ଷୟକ୍ଷତି ଆକଳନ ସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛନ୍ତି ।

