ଗର୍ବ ଓ ଗୌରବର ପ୍ରତୀକ ବିପ୍ଳବୀ ଧରଣୀଧର

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝରର ବରପୁତ୍ର ତଥା ମହାନ ବିପ୍ଳବୀ ଧରଣୀଧରଙ୍କ ୧୬୨ତମ ଜିଲ୍ଲାସ୍ତରୀୟ ଜୟନ୍ତୀ ସମାରୋହ ମଙ୍ଗଳବାର ଜିଲ୍ଲା ପ୍ରଶାସନ ଆନୂକୁଲ୍ୟରେ ଓ ଭୂୟାଁ ସାଂସ୍କୃତିକ ସଂଗଠନ କେନ୍ଦୁଝର ସହଯୋଗରେ ପାଳିତ ହୋଇଯାଇଛି ।

     ଏହି ଅବସରରେ ଜିଲ୍ଲା ପ୍ରେକ୍ଷାଳୟଠାରେ ଜିଲ୍ଲାପାଳ ବିଶାଲ ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଲାସ୍ତରୀୟ ସମାରୋହରେ ବିଦ୍ୟାଳୟ ଓ ଗଣଶିକ୍ଷା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟଅତିଥ୍ଵ, ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥିଭାବେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ପଦ୍ମଶ୍ରୀ ଦୈତାରୀ ନାଏକ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମମିତା ନାଏକ, ଭୂୟାଁ ସାଂସ୍କୃତିକ ସଙ୍ଗଠନ ସଭାପତି ହରିଶଙ୍କର ନାଏକ, ସମ୍ପାଦକ ଶ୍ୟାମସୁନ୍ଦର ନାଏକ, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷ ମାନସ ନାଏକ ଓ ମୁଖ୍ୟବକ୍ତା ଭାବେ ଗବେଷକ ପଣ୍ଡିତ ଦୈତାରୀ ମହାପାତ୍ର ଯୋଗ ଦେଇଥିଲେ।

       ବିପ୍ଳବୀ ଧରଣୀଧରଙ୍କ ୧୬୨ତମ ଜିଲ୍ଲସ୍ତରୀୟ ଜୟନ୍ତୀ

ବିପ୍ଳବୀ ଧରଣୀଧର କେନ୍ଦୁଝରର ଗର୍ବ ଓ ଗୌରବ, ସ୍ପର୍ଦ୍ଧା ଓ ସ୍ୱାଭିମାନର ପ୍ରତୀକ ବୋଲି ମୁଖ୍ୟଅତିଥି କହିବା ସହ ଧରଣୀଧର ଜୟନ୍ତୀ ପାଳନକୁ ପୂଜ୍ୟପୂଜାର ମହାନ ପରମ୍ପରା ଭାବେ ଅଭିହିତ କରି ବିପ୍ଳବୀ ଧରଣୀଧରଙ୍କ ତ୍ୟାଗ, ତିତିକ୍ଷା, ସଂଗ୍ରାମ, ଆଦର୍ଶ, ବ୍ୟକ୍ତିତ୍ୱ ଓ ନେତୃତ୍ୱ ସବୁବେଳେ ପ୍ରେରଣା ଯୋଗାଉଥିବ ବୋଲି ମତବ୍ୟକ୍ତ କରିଥିଲେ । ଇଂରେଜ ସମର୍ଥିତ ରାଜତନ୍ତ୍ରର ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ଧରଣୀଧରଙ୍କ ସଂଗ୍ରାମ ଭାରତ ଇତିହାସରେ ଏକ ଯୁଗାନ୍ତକାରୀ ଘଟଣା । କେନ୍ଦୁଝର ଜିଲ୍ଲାରେ ବିକାଶ ପାଇଁ ଏହି ମାଟିର ପୁଅ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ଵାଧୀନ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଵର୍ତ୍ତିତ ବିଭିନ୍ନ ଯୋଜନା ଏବଂ ଜିଲ୍ଲା ପ୍ରଶାସନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ହୋଇ ଏହାର ସୁଫଳ ନେବା ସହିତ କେନ୍ଦୁଝର ଜିଲ୍ଲାକୁ ଏକ ଅଗ୍ରଣୀ ଜିଲ୍ଲାରେ ପରିଣତ କରିବାପାଇଁ ଶ୍ରୀ ଗଣ୍ଡ ଆହ୍ୱାନ ଜଣାଇଥିଲେ ।

     ଏତଦ୍‌ବ୍ୟତୀତ ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ଶ୍ରୀ ଭୋଇ ବକ୍ତବ୍ୟ ପ୍ରଦାନ କରି ଧରଣୀଧରଙ୍କୁ ଅତ୍ୟାଚାରିତ ସମାଜର ତ୍ରାଣକର୍ତ୍ତା ଭାବେ ବର୍ଣ୍ଣନା କରିବା ସହିତ ରାଜତନ୍ତ୍ରର ଅନ୍ୟାୟ, ଅନୀତି, ବେଠି, ବ୍ୟଭିଚାର ଏବଂ ପ୍ରଜା ବିରୋଧି ଶାସନ ବିରୋଧରେ କିପରି ଆଦିବାସୀମାନଙ୍କୁ ସଙ୍ଗଠିତ କରି ବିପ୍ଲବ କରିଥିଲେ ତାହା ଅବତାରଣା କରିଥିଲେ । ବିପ୍ଳବୀ ଧରଣୀଧରଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରି ତାଙ୍କର କୃତୀକୁ ସ୍ମରଣ କରିବା ସହିତ ଧରଣୀଧରଙ୍କ ଆଦର୍ଶକୁ ପାଥେୟ କରି କାର୍ଯ୍ୟ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଥିଲେ ।

       ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ମମିତା ନାଏକ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିବା ସହ ବିପ୍ଳବୀ ଧରଣୀଧରଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ସମାରୋହରେ ଭୂୟାଁ ସାଂସ୍କୃତିକ ସଙ୍ଗଠନ କେନ୍ଦୁଝରର ସମ୍ପାଦକ ଶ୍ୟାମସୁନ୍ଦର ନାଏକ ବିବରଣୀ ଉପସ୍ଥାପନ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାଏକ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ସମାରୋହର ସଞ୍ଚାଳନ କରିଥିଲା ବେଳେ ପ୍ରକଳ୍ପ ନିର୍ଦ୍ଦେଶକ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା କେନ୍ଦୁଝର ଶିବଶଙ୍କର ମିଶ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

     ବିପ୍ଳବୀ ଧରଣୀଧରଙ୍କ ଜୀବନାଦର୍ଶର ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୁଆଲି ଅଞ୍ଚଳର କବିନ୍ଦ୍ର ନାଏକଙ୍କୁ ଧରଣୀଧର ସମ୍ମାନ ପ୍ରଦାନ କରାଯାଇଥିଲା । ଏତଦ୍‌ବ୍ୟତୀତ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ଜନଜାତିବର୍ଗର ବ୍ୟକ୍ତିବିଶେଷ, ଅନୁଷ୍ଠାନ, ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ୨୦୨୫ ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷାରେ କେନ୍ଦୁଝର ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖିଥିବା ଜନଜାତିବର୍ଗର ଛାତ୍ରଛାତ୍ରୀ, ଭୂୟାଁବର୍ଗର ଛାତ୍ରଛାତ୍ରୀ, +୨ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀ, ୨ଜଣ ଅଗ୍ରଣୀ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ନେକଡାଘର ଓ ଜେଲରୋଡ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ବିପ୍ଲବୀ ଧରଣୀଧରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ସକାଳେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *