ବ୍ୟାଙ୍କକୁ ଶବ ନେବା ମାମଲା: ଦଳୀୟ ନେତାଙ୍କ ନୀରବତାକୁ ବିରୋଧ କରି ବିଜେପି ଆଦିବାସୀ ମୋର୍ଚ୍ଚା ସାଧାରଣ ସମ୍ପାଦକଙ୍କ ଇସ୍ତଫା

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଜିତୁ ମୁଣ୍ଡା ଘଟଣାରେ ଦଳୀୟ ନେତାଙ୍କ ନୀରବତାକୁ ବିରୋଧ କରି ବିଜେପି ଆଦିବାସୀ ମୋର୍ଚ୍ଚାର ଜିଲ୍ଲା ସାଧାରଣ ସମ୍ପାଦକ ମାଟୁରାମ ମୁଣ୍ଡାଙ୍କ ଇସ୍ତଫା ଚର୍ଚ୍ଚାର ବିଷୟ ହୋଇଛି। କେନ୍ଦୁଝର ଜିଲା ବିର୍ସା ମୁଣ୍ଡା ହୋ ସମ୍ପ୍ରଦାୟର କଙ୍କାଳକୁ ମଧ୍ଯ ଟଙ୍କା ଉଠାଣ ନିମନ୍ତେ ପ୍ରମାଣ ମଗା ଯାଉଥିବାରୁ ସେ ଲଜ୍ଜିତ ଓ ମର୍ମାହତ। ଏହି କାରଣରୁ ଇସ୍ତଫା ଦେଇଥିବା ଓ ମଞ୍ଜୁର ପ୍ରଦାନ କରିବାକୁ ଶ୍ରୀ ମୁଣ୍ଡା ଇସ୍ତଫାପତ୍ରରେ ଦର୍ଶାଇଛନ୍ତି। ଇସ୍ତଫାପତ୍ରକୁ ଜିଲା ବିଜେପି ସଭାପତି ଶୁକଦେବ ମହାନ୍ତଙ୍କୁ ଅପ୍ରେଲ ୨୮ ତାରିଖରେ ପଠାଇଥିବା ଜଣାପଡ଼ିଛି।
       ମାଟୁରାମ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି ଯେ, ସେ ୧୮ ବର୍ଷ ବୟସରୁ ବିଶ୍ବ ହିନ୍ଦୁ ପରିଷଦ, ଆର୍‌ଏସ୍ଏସ୍ ଓ ବିଜେପି ସହିତ ଜଡ଼ିତ ରହି ବିଭିନ୍ନ ପଦ ପଦବୀରେ କାର୍ଯ୍ୟ ତୁଲାଇ ଆସିଛନ୍ତି । ଏବେ ଜିଲା ଆଦିବାସୀ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଭାବେ କାମ କରି ଆସୁଥିଲେ। କିନ୍ତୁ ଲଜ୍ଜାର ବିଷୟ, ପାଟଣା ନିର୍ବାଚନମଣ୍ଡଳୀର ମଲ୍ଲିପୋଷି ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖକୁ ଟଙ୍କା ଉଠାଣ ପାଇଁ ଏକ କଙ୍କାଳକୁ ଆଣିବାକୁ ପଡ଼ିଲା। ତାପରେ ବି ସ୍ଥାନୀୟ ବିଧାୟକ ଅଖିଳ ନାଏକ, ସାଂସଦ ଅନନ୍ତ ନାୟକ କୌଣସି ପଦକ୍ଷେପ ନେଇନାହାନ୍ତି I ସେହି ସମୟରେ ଜିଲାର ବିଧାୟକ ତଥା ଆଦିବାସୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲା ଗସ୍ତରେ ଥିଲେ।

       ହୋ (ମୁଣ୍ଡା) ସମ୍ପ୍ରଦାୟ ପ୍ରତି ସେମାନଙ୍କ ଘୃଣା, ଅସମ୍ମାନ, ଅଣଦେଖାକୁ ନେଇ ସେ ଇସ୍ତଫା ପ୍ରଦାନ କରିଥ‌ିବା ଦର୍ଶାଇଛନ୍ତି। ଏଥିସହ ଆହୁରି କହିଥିଲେ, ନିର୍ବାଚନ ସମୟରେ ସେ ତାଙ୍କ ସମ୍ପଦାୟର ଲୋକଙ୍କୁ ଭୋଟ ମାଗିଥିଲେ। ଏବେ ଏହି ଘଟଣାକୁ ନେଇ ତାଙ୍କୁ ଲଜ୍ଜା ଲାଗୁଛି । ଜିଲା ସଭାପତି ସୁକଦେବ ମହାନ୍ତ କହିଛନ୍ତି, ସାମାନ୍ୟ ମତ ପାର୍ଥକ୍ୟକୁ ନେଇ ଏଭଳି ହୋଇଛି ତାହା ସମାଧାନ କରାଯିବ। ପାଟଣା ବିଧାୟକ ଅଖିଳ ନାୟକ କହିଛନ୍ତି, ସେ ନିଜେ ଯାଇ ଜିତୁ ମୁଣ୍ଡାଙ୍କୁ ସାକ୍ଷାତ କରି ତାଙ୍କର ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଛନ୍ତି ।

Leave a Reply

Your email address will not be published. Required fields are marked *