କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ଧନେଶ୍ଵର ସେଠୀ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଭାବେ ବୁଧବାର ବିଦାୟୀ ସିଡିଏମ୍ ତଥା ପିଏଚ୍ଓ ଡାକ୍ତର ବିନୋଦ ବିହାରୀ ମିଶ୍ରଙ୍କ ଠାରୁ ଦାୟିତ୍ୱଗ୍ରହଣ କରିଛନ୍ତି । ଡାକ୍ତର ଶ୍ରୀ ସେଠୀ ଦାୟିତ୍ୱଗ୍ରହଣ କରିବା ପରେ କାର୍ଯ୍ୟାଳୟର କର୍ମଚାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ଓ ବିଭାଗୀୟ କର୍ମମରୀଙ୍କ ସମେତ ବୁଦ୍ଧିଜୀବୀ ଓ ଶୁଭେଛୁ ପୁଷ୍ପଗୁଛ ଦେଇ ସ୍ଵାଗତ ଜଣାଇଥିଲେ ।
ଡାକ୍ତର ଶ୍ରୀ ସେଠୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର ବିଭିନ୍ନ ଚିକିତ୍ସାଳୟରେ ଜଣେ ଭେଷଜ ବିଶେଷଜ୍ଞ ଭାବେ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ସାଧାରଣରେ ବେଶ୍ ପରିଚିତି ଲାଭ କରିଥିଲେ ବିଶେଷକରି ଡାକ୍ତର ଶ୍ରୀ ସେଠୀ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଧିକାରୀ ଭାବେ ଦୀର୍ଘ ୭ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ନିଷ୍ଠାର ସହ ଦାୟିତ୍ଵ ନିର୍ବାହ କରି ଉପଖଣ୍ଡବାସୀଙ୍କ ପ୍ରିୟଭାଜନ ହୋଇ ପାରିଥିଲେ। ନିକଟରେ ଗତ କିଛି ମାସ ତଳେ ସେ ପଦୋନ୍ନତି ପାଇ ସୁଦୂର ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ ।
ତେବେ ନିଜ ଜିଲ୍ଲାରେ ଏହି ଗୁରୁଦାୟିତ୍ଵକୁ ସୁଚାରୁରୂପେ ତୁଲାଇବା ସହ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଣ ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶକୁ ପ୍ରାଧାନ୍ୟ ଦେବେ ବୋଲି ଦାୟିତ୍ଵଗ୍ରହଣ ପରେ ଡାକ୍ତର ସେଠୀ ପ୍ରତିକ୍ରିୟାରେ ଏହା କହିଛନ୍ତି ।
