ଅଶ୍ରୁଳ ଶ୍ରଦ୍ଧାଞ୍ଜଳି,ସୋମବାର ଶେଷକୃତ୍ୟ
କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝରର ଖ୍ୟାତନାମା ଭେଷଜ ବିଶେଷଜ୍ଞ ଡାକ୍ତର ପି.ସି ଦାସ ୮୪ବର୍ଷ ବୟସରେ ଶନିବାର ସକାଳ ପ୍ରାୟ ୭ଟାରେ ଇହଲୀଳା ସମ୍ବରଣ କରିଛନ୍ତି । ଡାକ୍ତର ଦାସ ବାର୍ଦ୍ଧକ୍ୟଜନିତ କାରଣରୁ ଗତ କିଛିଦିନ ଧରି ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟରେ ଚିକିସ୍ଥିତ ଥିବାବେଳେ ଶନିବାର ସକାଳେ ତାଙ୍କର ମୃତ୍ୟୁ ଘଟିଥିବା ସାନପୁଅ ତଥା କେନ୍ଦୁଝର ଉପନଗରପାଳ ବରଦା ପ୍ରସନ୍ନ ଦାସ ଜଣାଇଛନ୍ତି ।
ଡାକ୍ତର ଦାସ ଜଗତସିଂହପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ହେଁ ଜଣେ ଦକ୍ଷ ଡାକ୍ତର ଭାବେ କେନ୍ଦୁଝରକୁ ତାଙ୍କର କର୍ମସ୍ଥଳୀ ଭାବେ ଗ୍ରହଣ କରି ମୃତ୍ୟୁ ପର୍ଯ୍ୟନ୍ତ ନିରବଛିନ୍ନ ରୋଗୀ ସେବା ଯୋଗାଇ ଆସୁଥିଲେ । ସେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର କର୍ମମୟ ଜୀବନ ଆରମ୍ଭ କରି ବାରିପଦା ଓ ପରେ ଜଗତସିଂହପୁର ଜିଲାରେ ସିଡିଏମଓ ଭାବେ କର୍ମମୟ ଜୀବନରୁ ଅବସର ପରେ ମଧ୍ୟ ଲୋକଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେଇ ଆସୁଥିଲେ ।
ଡାକ୍ତର ଦାସ ପେଶାରେ ଜଣେ ଡାକ୍ତର ଥିଲେ ହେଁ ସେ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ସକ୍ରୀୟ ଭାବେ ଜଡିତ ଥିଲେ । ରୋଟାରୀ କ୍ଲବ କେନ୍ଦୁଝରର ସ୍ଥାୟୀ ସଦସ୍ୟ ସମେତ ତାଙ୍କରି ଉଦ୍ୟମରେ କେନ୍ଦୁଝରରେ ମା’ ତାରିଣୀ ୱାକର୍ସ କ୍ଲବ ଗଠନ କରି ସହରର ବରିଷ୍ଠ ନାଗରିକଙ୍କୁ ସୁସ୍ଥ ରଖିବା ଉଦ୍ଦେଶ୍ୟରେ ସକାଳବେଳା ପ୍ରାତଃ ପ୍ରମଣରେ ସାମିଲ କରି ବେଶ୍ ପ୍ରଶଂସା ସାଉଁଟିଥିଲେ । ଏଥିସହ ସେ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡିତ ରହି ମାଗଣାରେ ଚିକିତ୍ସା ସହାୟତା ସହ ଔଷଧ ବଣ୍ଟନ, ଚାରାରୋପଣ, ସ୍ଵାସ୍ଥ୍ୟ ସଚେତନତା ଭଳି ବିଭିନ୍ନ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଆସୁଥିଲେ ।
ବିଶେଷକରି ସେ କେନ୍ଦୁଝର ଓ ମୟୁରଭଞ୍ଜ ଜିଲା ସମେତ ପଡୋଶୀ ଝାରଖଣ୍ଡ ରାଜ୍ୟର ବହୁ ଦୁରାରୋଗ୍ୟ ପକ୍ଷାଘାତ ପୀଡିତଙ୍କୁ ଅଳ୍ପ ଦିନ ମଧ୍ୟରେ ସୁସ୍ଥ କରି ଜଣେ ସୁଦକ୍ଷ ଭେଷଜ ବିଶେଷଜ୍ଞ ଭାବେ ସାଧାରଣରେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁଅ, ବୋହୂ, ଝିଅ, ଜ୍ବାଇଁ, ନାତି ନାତୁଣୀ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ତେବେ ଡାକ୍ତର ଦାସଙ୍କ ବଡପୁଅ ଆମେରିକାରେ ରହୁଥିବାରୁ ସେ ରବିବାର ସନ୍ଧ୍ୟାରେ ଭୁବନେଶ୍ଵରରେ ପହଞ୍ଚି ସ୍ଵର୍ଗତଃ ପିତାଙ୍କ ଶେଷ ଦର୍ଶନ କରିବା ପରେ ସେହିଦିନ ରାତିରେ ତାଙ୍କ ମରଶରୀରକୁ କେନ୍ଦୁଝର ବଣିଆପାଟସ୍ଥିତ ବାସଭବନରେ ପହଞ୍ଚାଯିବ । ସୋମବାର ସକାଳେ ଶୁଭେଛୁ ଶେଷଦର୍ଶନ କରିବା ପରେ ଧାଙ୍ଗରପଡାସ୍ଥିତ ଆଦର୍ଶ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହେବବୋଲି ସାନପୁଅ ବରଦା ଏହି ସୂଚନା ଦେଇଛନ୍ତି ।
ତାଙ୍କ ବିୟୋଗରେ ସମଗ୍ର କେନ୍ଦୁଝର ଜିଲାରେ ଶୋକରଛାୟା ଖେଳି ଯାଇଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିବା ସହ ଏଭଳି ଦୁର୍ଦ୍ଦିନରେ ପରିବାରବର୍ଗଙ୍କୁ ପ୍ରଭୁ ସହାୟ ହୁଅନ୍ତୁ ବୋଲି ସମବେଦନା ଜ୍ଞାପନ କରିଛନ୍ତି ।
