ଷ୍ଟାଣ୍ଡପୋଷ୍ଟରେ ସୀମିତ ପାନୀୟଜଳ ସେବାକେନ୍ଦ୍ର

ପ୍ରଚାରସର୍ବସ୍ବ କେନ୍ଦୁଝରଗଡ ପୌରପାଳିକା

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କେନ୍ଦୁଝରଗଡ ପୌରପାଳିକା ପକ୍ଷରୁ ପ୍ରତିବର୍ଷ ମହାବିଷୁବ ପଣାସଂକ୍ରାନ୍ତି ଠାରୁ ସହରର ପ୍ରମୁଖ ଜନଗହଳିପୂର୍ଣ ସ୍ଥାନ ମାନଙ୍କରେ ଅସ୍ଥାୟୀ ଷ୍ଟାଣ୍ଡପୋଷ୍ଟ ମାଧ୍ୟମରେ ପାନୀୟଜଳ ଯୋଗାଣ ବ୍ୟବସ୍ଥା ହୋଇଆସୁଛି । ଚଳିତବର୍ଷ ମଧ୍ୟ ପୌର ପ୍ରଶାସନ ପକ୍ଷରୁ ସହରର ପ୍ରମୁଖ ୧୩ଟି ସ୍ଥାନରେ ପଣାସଂକ୍ରାନ୍ତି ତିଥୀ ପୂର୍ବରୁ ଅସ୍ଥାୟୀ ଷ୍ଟାଣ୍ଡପୋଷ୍ଟ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ମାତ୍ର, ଏହି ସମସ୍ତ ଅସ୍ଥାୟୀ ଷ୍ଟାଣ୍ଡପୋଷ୍ଟ କେବଳ ପ୍ରଚାରସର୍ବସ୍ଵ ପାଲଟିଥିବା ବେଳେ ଶନିବାର ସୁଦ୍ଧା କୌଣସି ଗୋଟିଏ ହେଲେ ଷ୍ଟାଣ୍ଡପୋଷ୍ଟରେ ପାନୀୟଜଳ ଯୋଗାଣ ବ୍ୟବସ୍ଥା ହୋଇପାରିଲା ନାହିଁ ।

       ଗତ ୫ ଦିନ ଧରି ଯେଭଳି ଭାବେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ପ୍ରଚଣ୍ଡ ରୌଦ୍ରତାପ ବୃଦ୍ଧି ପାଇଛି ସହରକୁ ଜିଲାର ବିଭିନ୍ନ କୋଣ ଅନୁକୋଣରୁ ଆସୁଥିବା ସାଧାରଣ ଲୋକେ ଟୋପାଏ ବିଶୁଦ୍ଧ ପାନୀୟଜଳ ପାଇଁ ଡହଳବିକଳ ହେଉଥ‌ିବା ଦେଖିବାକୁ ମିଳିଛି । ବିଶେଷକରି ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର, ଜିଲା ଓ ଦୌରାଜଜଙ୍କ କାର୍ଯ୍ୟାଳୟ ସମ୍ମୁଖ, ତେଲକୋଇ, ବଡବିଲ, କରଞ୍ଜିଆ ଓ ଭୁବନେଶ୍ବର ବସ୍ୟାଣ୍ଡ ସମେତ ସରକାରୀ ବସ୍ୟାଣ୍ଡ, ଡିଏଫଓ କାର୍ଯ୍ୟାଳୟ ସମ୍ମୁଖ, ଡେଲି ମାର୍କେଟ, ଜିଲା ମୁଖ୍ୟ ଚିକିତ୍ସାଳୟ ଆଦି ପ୍ରମୁଖ ସ୍ଥାନକୁ ଦୈନିକ ଆସୁଥ‌ିବା ସାଧାରଣ ଜନତା ଗ୍ରୀଷ୍ମପ୍ରବାହରୁ ମୁକ୍ତି ପାଇଁ ଟୋପାଏ ପାନୀୟଜଳରୁ ବଞ୍ଚିତ ହୋଇ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ।

       ଏହି ସମସ୍ତ ପ୍ରମୁଖ ସ୍ଥାନ ମାନଙ୍କରେ ପୌର ପ୍ରଶାସନ ପକ୍ଷରୁ ଆଜକୁ ଦୀର୍ଘ ୭ଦିନ ଧରି ଅସ୍ଥାୟୀ ଷ୍ଟାଣ୍ଡପୋଷ୍ଟ ନିର୍ମାଣ ସରିଥିଲେ ହେଁ ଏହା ସାଧାରଣ ଜନତାଙ୍କ କାମରେ ଆସିପାରିଲା ନାହିଁ । ଖୋଦ୍ ଜିଲା ମୁଖ୍ୟାଳୟରେ ଏଭଳି ଅବ୍ୟବସ୍ଥା ସହରବାସୀଙ୍କୁ ନିରାଶ କରିଥିବା ବେଳେ ଜିଲା ମୁଖିଆଙ୍କ ମଧ୍ୟ ଏଥୁପ୍ରତି ସାମାନ୍ୟ ନଜର ଥିବାପରି ମନେହୁଏ ନାହିଁ । ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ଲଳିତ କୁମାର ନାଏକଙ୍କ ପଚାରିବାରୁ ପ୍ରାଥମିକ ପର୍ଯ୍ୟାୟରେ ସହରର ପ୍ରମୁଖ ୧୩ଟି ସ୍ଥାନରେ ପାନୀୟଜଳ ଯୋଗାଣ ନେଇ ଅସ୍ଥାୟୀ ଷ୍ଟାଣ୍ଡପୋଷ୍ଟ ନିର୍ମାଣ ସରିଛି । ତେବେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ ହୋଇନଥିବାରୁ ଏପର୍ଯ୍ୟନ୍ତ ପାନୀୟଜଳ ଯୋଗାଣ ହୋଇନଥିବା ସଫେଇରେ ଏହା କହିଛନ୍ତି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସହରର ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ତୁରନ୍ତ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବାକୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *