କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଓଡ଼ିଶା ସୀମାନ୍ତ ସରଣ୍ଡା ଜଙ୍ଗଲରେ ବୁଧବାର ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ପୁଣି ଗୁଳି ବିନିମୟ ଘଟିଛି। ଏହି ସଂଘର୍ଷରେ ୨୦୫ କୋବ୍ରା ବାଟାଲିୟନର ଇନ୍ସପେକ୍ଟର ସତ୍ୟ ପ୍ରକାଶଙ୍କ ସହ ୫ ଯବାନ ଗୁରୁତର ଆହତ ହୋଇଛନ୍ତି।
ରାଞ୍ଚି ପୁଲିସ ଅଧୀକ୍ଷକ ଅମିତ ରେଣୁ ଏହି ମୁହାଁମୁହିଁ ଘଟଣାକୁ ସ୍ବୀକାର କରିଛନ୍ତି। ସରଣ୍ଡା ଜଙ୍ଗଲର ବାବୁଡେରା, ଦଲାଇଡେରା ଓ ଚଡରାଡେରା ପାହାଡ଼ି ଅଞ୍ଚଳରେ ବୁଧବାର ପୂର୍ବାହ୍ନ ପ୍ରାୟ ୧୦ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଗୁଳି ବିନିମୟ ହୋଇଥିଲା। ଏଥିରେ ଇନ୍ସପେକ୍ଟର ସତ୍ୟ ପ୍ରକାଶଙ୍କ ସହ ଶୈଳେଶ କୁମାର ଦୁବେ, ଉତ୍ତମ କୁମାର ସେନାପତି, ଜିତେନ୍ଦ୍ର ରାୟ ଓ ପ୍ରେମ କୁମାର ଆହତ ହୋଇଛନ୍ତି। ମାଓବାଦୀ ବିରୋଧୀ ଅଭିଯାନରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ କରୁଥିବା ବେଳେ ପୂର୍ବରୁ ଛକିଥିବା ମାଓବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ।
ମାଓବାଦୀମାନେ ଖଞ୍ଜିଥିବା ଆଇଇଡି ବିସ୍ଫୋରଣରେ ଇନ୍ସପେକ୍ଟର ସତ୍ୟପ୍ରକାଶଙ୍କ ଅଣ୍ଟାରେ ଗଭୀର ଆଘାତ ଲାଗିଛି। ଗୁଳି ବିନିମୟ ସମୟରେ ଅନ୍ୟ ୪ ଯବାନ ଆହତ ହୋଇଛନ୍ତି। ଶୈଳେଶଙ୍କ ବେକ, ଉତ୍ତମଙ୍କ ହାତ ଓ ଜିତେନ୍ଦ୍ରଙ୍କ ଗୋଡ଼ରେ ଗୁଳି ବାଜିଛି। ଆହତ ଇନ୍ସପେକ୍ଟର ଓ ଯବାନଙ୍କୁ ବାଲିବା ଗାଁରୁ ରାଞ୍ଚିକୁ ଏୟାରଲିଫ୍ଟ କରାଯାଇଛି। ଅନ୍ୟଜଣେ ଯବାନଙ୍କୁ ସ୍ଥାନୀୟସ୍ତରରେ ଚିକିତ୍ସା କରାଯାଉଛି। ସୁରକ୍ଷା ବାହିନୀର ପାଲଟା ଜବାବରେ ମାଓବାଦୀଙ୍କ ବଡ଼ ଧରଣର କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି। ଅବଶ୍ୟ ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରୁ କାହାରି ମୃତଦେହ କିମ୍ବା ସାମଗ୍ରୀ ଜବତ ହୋଇନାହିଁ।
