ଦଳିତ,ଅବହେଳିତ ଓ ନିଷ୍ପେସିତଙ୍କ ସ୍ୱର  ଥିଲେ ସମ୍ବିଧାନ ପ୍ରଣେତା ଡ.ଆମ୍ବେଦକର-ମୁଖ୍ୟମନ୍ତ୍ରୀ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝର ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଡ଼. ବି.ଆର ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଡ଼. ଆମ୍ବେଦକରଙ୍କ ସମେତ ଉତ୍କଳ ଗୌରବ ମଧୁସୂଦନ ଦାସ ଏବଂ ପୂଜ୍ୟ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

    ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ପ୍ରଦାନ କରିଥିବା ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ ଭାରତରତ୍ନ ଡ଼. ଆମ୍ବେଦକରଙ୍କୁ ମହାନ ସମାଜ ସଂସ୍କାରକ ଭାବେ ଅଭିହିତ କରିବା ସହ ବିଶ୍ୱର ସର୍ବବୃହତ ସମ୍ବିଧାନ ପ୍ରସ୍ତୁତ କରି ଦେଶର ଏକତା, ଅଖଣ୍ଡତା ଓ ସାମାଜିକ ସମାନତାକୁ ସୁନିଶ୍ଚିତ କରିବାରେ ତାଙ୍କ ଅଗ୍ରଗଣ୍ୟ ଭୂମିକାକୁ ମନେ ପକାଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

   ଦଳିତ, ଅବହେଳିତ ଓ ନିଷ୍ପେସିତଙ୍କ ସାମାଜିକ ସୁରକ୍ଷା ଓ ଅଭିବୃଦ୍ଧି କରି ସେମାନଙ୍କ ଉଥାନ ପାଇଁ ଡ଼. ଆମ୍ବେଦକର ସମ୍ବିଧାନରେ ଯେଉଁ ବ୍ୟବସ୍ଥା କରିଛନ୍ତି ସେହି ସବୁକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ସରକାର ଅଗ୍ରାଧିକାର ଦେଉଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଜନତାଙ୍କୁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ମାଧ୍ୟମରେ ଅନ୍ତର୍ଭୁକ୍ତ କରାଇ ଡ଼. ଆମ୍ବେଦକରଙ୍କ ଦ୍ୱାରା ପ୍ରବର୍ତ୍ତିତ ସାମାଜିକ ସମାନତାର ମନ୍ତ୍ରକୁ ପ୍ରତିଫଳିତ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ।

     ଏଥିସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଜିଲ୍ଲା ତଥା ରାଜ୍ୟବାସୀଙ୍କୁ ମହାବିଷୁବ ପଣାସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଏବଂ ମହାବୀର ଜୟନ୍ତୀର ମଧ୍ୟ ଶୁଭେଚ୍ଛା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ଡିଆଇଜି ବ୍ରିଜେଶ କୁମାର ରାୟ, ଜିଲ୍ଲାପାଳ ଵିଶାଲ ସିଂହ, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *