କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଓଡିଶା ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସଂଘ କେନ୍ଦୁଝରର ଜିଲ୍ଲାସ୍ତରୀୟ ସମ୍ମିଳନୀ ସଂଘ ସଭାପତି ସଞ୍ଜୟ ବସନ୍ତ ଚକ୍ରଙ୍କ ଅଧ୍ୟକ୍ଷତାରେ ଏନ୍.ଏସ୍ ପୋଲିସ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।
ପ୍ରାରମ୍ଭର ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ ଅବସରରେ ସଭାର ଉଦ୍ଦେଶ୍ଯ ତଥା ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ ।
ସଂଘର ରାଜ୍ୟ ସଭାପତି ନିକୁଞ୍ଜ ବିହାରୀ ବେହେରା ମୁଖ୍ୟ ଅତିଥି ଏବଂ ରାଜ୍ୟ ସାଧାରଣ ସମ୍ପାଦକ ପ୍ରେମାନନ୍ଦ ଜେନା ମୁଖ୍ୟବକ୍ତା ଭାବେ ଯୋଗଦେଇ ଅବସରପ୍ରାପ୍ତ ନୂତନ ଅନୁଦାନପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ସମସ୍ୟା ସହ ନୂତନ ଅର୍ଥ ଆଇନ-୨୦୨୫ (ପେନସନ ଆକ୍ଟ) ସମ୍ପର୍କରେ ବିଶଦ ସୂଚନା ପ୍ରଦାନ କରିବା ସହ ପରବର୍ତ୍ତୀ ସମୟରେ ଆନ୍ଦୋଳନ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଥିଲେ ।
ସମ୍ମାନିତ ଅତିଥି ଭାବରେ କହ୍ନେଇ ଚରଣ ମହାନ୍ତି, ଚିନ୍ତାମଣି ଜେନା, ମଦନ ମୋହନ ଦ୍ୱିବେଦୀ, ଶରତ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦେଇ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଏବଂ ଏହାର ନିରାକରଣ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ ।
ଜିଲ୍ଲା ସଂଯୋଜକ କ୍ଷୀରୋଦ କୁମାର ରାଉତ ଓ ଭିକାରୀ ଚରଣ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଏନ୍. ଏସ୍ ପୋଲିସ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବିଜୟ କୁମାର ବେହେରା ଓ ସଞ୍ଜୟ କୁମାର ସାମଲ ପ୍ରମୁଖ ସହଯୋଗ କରିଥିଲେ । ଉକ୍ତ ସମ୍ମିଳନୀରେ ଶତାଧିକ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଯୋଗଦାନ କରିଥିଲେ । ଶେଷରେ ସଂଘର ବରିଷ୍ଠ ସଦସ୍ୟ ସୁଶୀଲ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
