କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଚମ୍ପୁଆ ଥାନା ପତଳା ଛକ ନିକଟରେ ଟ୍ରଲର ଚାପାରେ ରଜିଆ ଗ୍ରାମର ଦିଲୀପ ଗିରିଙ୍କ ପୁଅ ଶୁଭମ (୧୬) ମୃତ୍ୟୁବରଣ କରିଥିବା ଜଣାପଡିଛି । ଗୋପବନ୍ଧୁ ମହାକୁଡଙ୍କ ପୁତ୍ର ହାନିସ (୧୪) ଓ ପ୍ରମୋଦଙ୍କ ପୁଅ ଦୀପକ (୧୪) ଆହତ ହୋଇଥିବା ଜଣାପଡିଛି ।
ଆହତମାନଙ୍କ ମଧ୍ୟରେ ହାନିସ ମହାକୁଡର ଅବସ୍ଥା ଗୁରୁତର ଥିବାବେଳେ ତାଙ୍କୁ ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପକ୍ଷରେ ଦୀପକ ମହାକୁଡକୁ ପ୍ରାଥମିକ ଚିକିତ୍ସାପରେ ଛାଡି ଦିଆଯାଇଛି । ତେବେ ଖବର ନେବାରୁ ଜଣାପଡିଛି ଏମାନେ ୩ ଜଣ ଏକ ସ୍କୁଟି ଯୋଗେ ଯାଉଥିଲାବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରଲର ଧକ୍କା ଦେଇ ଦ୍ରୁତଗତିରେ ପଳାଇଥିଲା । ତେବେ ଖବରପାଇ ସ୍ଥାନୀୟ ଲୋକେ ଚମ୍ପୁଆ ଥାନାକୁ ଖବର ଦେବାସହ ଆହତମାନଙ୍କୁ ତୁରନ୍ତ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଚମ୍ପୁଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
