କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ତେଲକୋଇ ଥାନା ଅଧୀନରେ ଜଣେ ଆଦିମ ଜନଜାତି ଜୁଆଙ୍ଗ ସମ୍ପ୍ରଦାୟର ବିଧବାଙ୍କୁ ଚଳିତମାସ ୧୦ ତାରିଖରେ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ଘଟଣାରେ ପିଡୀତାଙ୍କ ରବିବାର ବିଳମ୍ବିତ ରାତିରେ କଟକ ବଡ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ମୃତ୍ୟୁ ପରେ ସୋମବାର ଘଟଣାସ୍ଥଳରେ ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ତେଲକୋଇ ଆଇଆଇସି ଦିଲୀପ କୁମାର ଲାକ୍ରା ଓ କେନ୍ଦୁଝରରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅନୁଧ୍ୟାନ କରିଛନ୍ତି।
ମୃତ୍ୟୁର ଶୀକାର ପୀଡିତା ବିଧବା ଜଣକ ଗତ ୧୦ ତାରିଖ ସାପ୍ତାହିକ ହାଟରୁ ଘରକୁ ଫେରିବା ସମୟରେ ଦୁଷ୍କର୍ମର ଶୀକାର ହେବାସହ ଦୁବୃର୍ତ୍ତମାନେ ହତ୍ୟା ଉଦ୍ୟମ କରି ଫେରାର ହୋଇଯାଇଥିଲେ । ଦୁଷ୍କର୍ମ ପୀଡିତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ପୀଡିତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇ ଟ୍ରମା କେୟାର ସେଣ୍ଟରରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଥିଲା ।
ଦୀର୍ଘ ୬ ଦିନ ଜୀବନ ସହ ସଂଗ୍ରାମ କରି ଶେଷରେ ରବିବାର ବିଳମ୍ବିତ ରାତିରେ ପିଡୀତା ଆଖିବୁଜି ଦେଇଛନ୍ତି। ମୃତ୍ୟୁ ପରେ କଟକ ବଡ଼ ଡ଼ାକ୍ତରଖାନାରେ ତଦନ୍ତକାରୀ ପୁଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଉଦ୍ୟମ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଫେରାର ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇପାରି ନାହିଁ । ତେବେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଆଦିମ ଜନଜାତି ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଭଳି ସମ୍ବେଦନଶୀଳ ଘଟଣାରେ ଆଗକୁ ପୁଲିସ କିଭଳି ତ୍ଵରିତ ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ।
