କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଏକ ହତ୍ୟା ମାମଲାର ଚୁଡାନ୍ତ ଶୁଣାଣୀ କରି ଜିଲ୍ଲା ଓ ଦୌରାଜଜ କେନ୍ଦୁଝର ୧୦ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ କରିଛନ୍ତି । ପାଟନା ଥାନା ଫୁଲପାହାଡି ଭାଲୁଘରସାହିର କାଦେ ମାଝୀ ୨୫ ଜୁଲାଇ ୨୦୧୯ ସନ୍ଧ୍ୟାରେ ଗ୍ରାମର ଏକ ସଭାରେ ଯୋଗ ଦେଇଥିଲେ । ଭକ୍ତ ସଭାରେ କାଦେଙ୍କୁ ୮ ହଜାର ଟଙ୍କା ଜୋରିମାନା ଦେବାକୁ କୁହାଯାଇଥିଲା ।
ଜୋରିମାନା ଅର୍ଥ ଦେଇ ନପାରିବାରୁ ଭକ୍ତ ସଭାରେ ଉପସ୍ଥିତ ଥିବା ଧନେଶ୍ୱର ମାଝୀ(୨୨)ଙ୍କ ସହ ବଳରାମ ମାଝୀ (୪୫),ପାଣ୍ଡିଆ କାଦୁ ମାଝୀ(୭୦), ମିର୍ଜା ମାଝୀ (୪୫), ଭଜହରି ମାଝୀ (୨୨), ସରପଞ୍ଚ ଲେଦା ଓରଫ ମଙ୍ଗତ ମାଝୀ (୨୫), ଶୁକଦେବ ମାଝୀ (୨୨),ବବୁଲ ଓରଫ ବେଞ୍ଜୁ ମାଝୀ (୨୧), ମସଙ୍ଗ ମାଝୀ (୨୫) ଓ ଶ୍ୟାମସୁନ୍ଦର ମାଝୀ (୫୮) କାଦେ ଓ ତାଙ୍କ ସ୍ତ୍ରୀଙ୍କୁ ଜୋର ଜବରଦସ୍ତି ଘରୁ ପୁଣି ଗ୍ରାମସଭାକୁ ସଙ୍ଗରେ ନେଇ ମାରପିଟ କରିଥିଲେ ।
କାଦେଙ୍କ ସ୍ତ୍ରୀଙ୍କୁ ରାତି ପ୍ରାୟ ୧୦ଟାରେ ଛାଡି ଦେଇଥିବା ବେଳେ ସେଦିନ ରାତି କାଦେ ଘରକୁ ଫେରି ନଥିଲେ । ତହିଁ ପରଦିନ ସକାଳେ ଘର ସମ୍ମୁଖରେ କାଦେଙ୍କ ମରଶରୀର ପଡିଥିବା କାଦେଙ୍କ ପୁଅ ଫାଗୁ ଦେଖି ପୁଲିସ ନିକଟରେ ବାପାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ । ପାଟଣା ପୁଲିସ ଏହି ଘଟଣାରେ ଜଡିତ ସମସ୍ତ ୧୦ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ଏହି ମାମଲାରେ ୯ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଜିଲ୍ଲା ଓ ଦୌରାଜଜ କେନ୍ଦୁଝର ଗୋପାଳ ଚନ୍ଦ୍ର ବେହେରା ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡାଦେଶ କରିଛନ୍ତି ।
ଏତଦବ୍ୟତୀତ ଘରୁ ଟାଣି ନେଇ ହତ୍ୟା କରିଥିବା ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ୭ବର୍ଷ କାରାଦଣ୍ଡ ସହ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୬ମାସ ସଶ୍ରମ କାରାଦଣ୍ଡାଦେଶ କରିଛନ୍ତି ।
ଏଥିସହ ପୀଡିତ ପରିବାରକୁ ଉପଯୁକ୍ତ କ୍ଷତିପୁରଣ ପ୍ରଦାନ ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ପବ୍ଲିକ୍ ପ୍ରୋସିକ୍ୟୁଟର ପ୍ରଦୀପ କୁମାର ଦାସ ମକକମା ପରିଚାଳନା କରୁଥିଲେ ।
