ଘୋଷଣା ହେଲା ଛାତ୍ର ସଂସଦ ନିର୍ବାଚନ ମହାବିଦ୍ୟାଳୟ ପରିସର ସରଗରମ

କେନ୍ଦୁଝର ସାଇନ (ଡି.କେ ନ୍ଯୁଜ): ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ମହାଦିଦ୍ଯାଳୟ ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାର ଆଜି ତାରିଖ ଘୋଷଣା କରିଛନ୍ତି।  ନିର୍ବାଚନ କାର୍ଯ୍ୟସୂଚୀ ପ୍ରକାଶ ପାଇବା ପରେ ମହାବିଦ୍ୟାଳୟ ପରିସର ମାନଙ୍କରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଓ ଚର୍ଚ୍ଚା ଜୋର ଧରିଛି।

       ନିର୍ବାଚନ କାର୍ଯ୍ୟସୂଚୀ ଅନୁଯାୟୀ, ୭ ତାରିଖରେ ନିର୍ବାଚନୀ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାପରେ ୯ ତାରିଖରେ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବେ। ନିର୍ବାଚନ ପ୍ରକ୍ରିୟାର ଅନ୍ୟାନ୍ୟ ଔପଚାରିକତା ସମ୍ପନ୍ନ ହେବା ପରେ ୧୫ ତାରିଖରେ ଭୋଟ୍‌ଗ୍ରହଣ କରାଯିବ। ଭୋଟ୍‌ ଶେଷ ହେବା ପରେ ୧୬ ତାରିଖରେ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।

    ନିର୍ବାଚନ ତାରିଖ ଘୋଷଣା ହେବା ପରେ କ୍ୟାମ୍ପସ ପରିସରରେ ରାଜନୈତିକ ଓ ଛାତ୍ର ସଙ୍ଗଠନଗୁଡ଼ିକର ତତ୍ପରତା ବଢ଼ିଛି। ସମ୍ଭାବ୍ୟ ପ୍ରାର୍ଥୀମାନେ ସମର୍ଥନ ଯୋଗାଡ଼ ପାଇଁ ସହପାଠୀଙ୍କ ସହ ଆଲୋଚନା ଆରମ୍ଭ କରିଥିବାବେଳେ ବିଭିନ୍ନ ଛାତ୍ର ସଙ୍ଗଠନ ମଧ୍ୟ ନିଜ ନିଜ ରଣନୀତି ପ୍ରସ୍ତୁତ କରୁଛନ୍ତି।



      କ୍ୟାମ୍ପସରେ ଦୀର୍ଘ ସମୟ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହାକୁ ନେଇ ବିଶେଷ ଉତ୍ସାହ ଦେଖାଦେଇଛି। ଚା’ ଦୋକାନଠାରୁ ଆରମ୍ଭ କରି କ୍ୟାମ୍ପସର ବିଭିନ୍ନ ସ୍ଥାନରେ ନିର୍ବାଚନକୁ ନେଇ ଆଲୋଚନା ଜମୁଥିବା ବେଳେ କିଏ କେଉଁ ପଦ ପାଇଁ ପ୍ରାର୍ଥୀ ହେବେ ଏବଂ କାହାକୁ ଛାତ୍ରଛାତ୍ରୀଙ୍କ ସମର୍ଥନ ମିଳିବ, ତାହାକୁ ନେଇ ଚର୍ଚ୍ଚା ତୀବ୍ର ହୋଇଛି। ଆସନ୍ତା କିଛି ଦିନ କ୍ୟାମ୍ପସ ରାଜନୀତି ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହେବ। ୯ ତାରିଖରେ ନାମାଙ୍କନ ଦାଖଲ ପରେ ନିର୍ବାଚନୀ ମାହୋଲ ଆହୁରି ସରଗରମ ହେବା ନେଇ ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published. Required fields are marked *