ମିଥ୍ୟା ଚିକିତ୍ସା ବିଲ ନାମରେ ୧୮ଲକ୍ଷ ଟଙ୍କା ହଡ଼ପ:ତଦନ୍ତ ପାଇଁ ଭିଜିଲାନ୍ସକୁ ଚିଠି ଲେଖିଲା ଈଓଡବ୍ଲୁ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର) : ସରକାରୀ କର୍ମଚାରୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଚିକିତ୍ସା ବାବଦରେ ସରକାରୀ ସହୟତା ମିଳୁଥିବା ବେଳେ ବିଭିନ୍ନ ସମୟରେ ବିନା ଚିକିତ୍ସାରେ ଲକ୍ଷ ଲକ୍ଷ ଟଙ୍କା ମିଥ୍ୟା ବିଲ୍ ପୈଠ କରୁଥିବା ନଜରକୁ ଆସିଛି । ଘସିପୁରା ତହସିଲରେ ଜାଲ ଚିକିତ୍ସା ଦଲିଲ, ନକଲି ପ୍ରେସକ୍ରିପସନ୍ ଓ ମିଥ୍ୟା ଔଷଧ ବିଲ୍ ଦାଖଲ କରି ସରକାରୀ ତହବିଲରୁ ପ୍ରାୟ ୧୮ ଲକ୍ଷ ଟଙ୍କା ହଡ଼ପ ଘଟଣା ଏବେ ନୂଆ ମୋଡ଼ ନେଇଛି।

         ଅଭିଯୋଗର ତଦନ୍ତ ପାଇଁ ଓଡ଼ିଶା ପୁଲିସର ଅର୍ଥନୈତିକ ଅପରାଧ ଶାଖା ଗତ ଅଗଷ୍ଟ ୧୮ ତାରିଖରେ ଏହାକୁ ଭିଜିଲାନ୍ସ ଏଆଇଜିଙ୍କ ନିକଟକୁ ପଠାଇଛି । ଘଟଣା ସମ୍ପର୍କରେ ସୂଚନା ଅଧିକାରକର୍ମୀ ହିମାଂଶୁ ଶେଖର ନାୟକ ଗତ ଜୁନ ୨୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଶ୍ରୀ ନାୟକଙ୍କ ଅଭିଯୋଗ ଅନୁଯାୟୀ ବାଲେଶ୍ୱର ଭିଜିଲାନ୍ସ ଥାନା କେସ୍ ନଂ-୧୧, ତା.୩୧.୦୫.୨୦୨୩ରେ ଘସିପୁରା ତହସିଲର ପୂର୍ବତନ କର୍ମଚାରୀ ମନୋଜ କୁମାର ଦାସ, ଭୁବନାନନ୍ଦ ନାଇକ, ଜ୍ଞାନରଞ୍ଜନ ବାରିକ, ଅଚ୍ୟୁତାନନ୍ଦ ନାୟକ, ଯୁଗଳକିଶୋର ସାହୁ, ରମେଶ ଚନ୍ଦ୍ର ସାହୁ, ରବିନ୍ଦ୍ର କୁମାର ରାଉତ, କନକଲତା ରାଉତରାୟ, ପ୍ରେମାନନ୍ଦ ବିଶ୍ଵାଳଳ, ପୂର୍ବତନ ନାଜିର ଚନ୍ଦ୍ରପ୍ରଭା ଜେନାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଓ ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଥିଲା ।

       ଭିଜିଲାନ୍ସ ତଦନ୍ତରେ ଜାଲ ଏସେନ୍ସିଆଲିଟି ସାର୍ଟିଫିକେଟ୍, ମିଥ୍ୟା ଡାକ୍ତରୀ ପ୍ରେସକ୍ରିପସନ୍ ଓ ନକଲି ଔଷଧ ବିଲ୍ ଦାଖଲ ୧୮ ଲକ୍ଷ ଟଙ୍କା ସରକାରୀ ତହବିଲରୁ ହଡ଼ପ ହୋଇଥିବା ସ୍ପଷ୍ଟ ହୋଇଥିଲା । ଏହି ଅର୍ଥ ବିଭିନ୍ନ ସମୟରେ ତହସିଲ କର୍ମଚାରୀଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଥିବା ଅଭିଯୋଗପତ୍ରରେ ଶ୍ରୀ ନାୟକ ଦର୍ଶାଇଥିଲେ । ଅନ୍ୟପକ୍ଷରେ, ତଦନ୍ତ ବେଳେ ସମ୍ପୃକ୍ତ ଚିକିତ୍ସା ଦଲିଲରେ ଥିବା ସିଲ୍ ଓ ସ୍ୱାକ୍ଷର ସେମାନଙ୍କର ନୁହେଁ ବୋଲି ଏସ୍‌ସିବି ମେଡିକାଲ କଲେଜର କେତେକ ଡାକ୍ତର କହିଥିବା ଅଭିଯୋଗପତ୍ରରେ ଭିଜିଲାନ୍ସ ନିଜ ଏତଲାରେ ଦର୍ଶାଇଛି ।

     ଦଲିଲରେ ଉଲ୍ଲେଖ ଥିବା ଜଣେ ଡାକ୍ତର କେବେ ମଧ୍ୟ ଏସ୍‌ସିବି ମେଡିକାଲ କଲେଜରେ ପ୍ରଫେସର ଭାବେ କାର୍ଯ୍ୟ କରିନଥିବା ନେଇ ମଧ୍ୟ ତଥ୍ୟ ମିଳିଥିବା ସ୍ପଷ୍ଟ ହୋଇଛି। ଏତେ ସବୁ ଦଲିଲପତ୍ର ଓ ସାକ୍ଷ୍ୟ ଥିବା ସତ୍ତ୍ୱେ ୨୦୨୩ରେ ମାମଲା ରୁଜୁ ହେବା ପରେ ମଧ୍ୟ ଏପର୍ଯ୍ୟନ୍ତ ଚାର୍ଜସିଟ୍ ଦାଖଲ ହୋଇନଥିବା ନେଇ ହିମାଂଶୁ ପ୍ରଶ୍ନ ଉଠାଇଛନ୍ତି । ଏହାସହ କେବଳ ଘସିପୁରା ନୁହେଁ, ହାଟଡିହି, ଆନନ୍ଦପୁର, ହରିଚନ୍ଦନପୁର ଓ ଘଟଗାଁ ସମେତ କେନ୍ଦୁଝର ଜିଲ୍ଲାର ବିଭିନ୍ନ ତହସିଲରେ ସମାନ ଧରଣର ଅନିୟମିତତା ହୋଇଥିବା ଶ୍ରୀ ନାୟକ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ।

        ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଆଇନଗତ ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଏଥିସହ ଭିଜିଲାନ୍ସ ତଦନ୍ତରେ ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ଭୂମିକା ଓ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଉଲ୍ଲେଖ କରିଥିଲେ | ଓଡ଼ିଶା ପୁଲିସର ଅର୍ଥନୈତିକ ଅପରାଧ ଶାଖାର ମେମୋ ନଂ ୪୮୫୩ରେ ଅଭିଯୋଗପତ୍ରଟି ତଦନ୍ତ ପାଇଁ ଭିଜିଲାନ୍ସ ଏଆଇଜିଙ୍କ ନିକଟକୁ ପଠାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଉଲ୍ଲେଖ କରିଛନ୍ତି । ଭିଜିଲାନ୍ସ ଏହି ଅଭିଯୋଗ ଉପରେ କି ପଦକ୍ଷେପ ନେଉଛି ଏବଂ ମାମଲାରେ ଚାର୍ଜସିଟ୍ କେବେ ଦାଖଲ ହେଉଛି, ତାହାକୁ ନେଇ ନଜର ରହିଛି। ଅନ୍ୟପକ୍ଷରେ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ତହସିଲରେ ଏହି ଦୁର୍ନୀତି ସହ ସମ୍ପୃକ୍ତ କର୍ମଚାରୀଙ୍କ ମଧ୍ୟରେ ଏହାକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *