ଚମ୍ପୁଆ ବନାଞ୍ଚଳ କେନାଲରୁ ହାତୀ ଛୁଆ ଉଦ୍ଧାର


କେନ୍ଦୁଝର ସାଇନ(ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝର ବନଖଣ୍ଡ ଅଧୀନ ଚମ୍ପୁଆ ରେଞ୍ଜ ଜାମୁଦଲକ ଗାଁ ନିକଟରେ ବୁଧବାର ରାତିରେ ଏକ ହାତୀ ଛୁଆ କେନାଲରେ ଫସିଥିବା ଖବର ମିଳିବା ପରେ ବନ ବିଭାଗ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ରାତି ପ୍ରାୟ ୮ଟାରେ ୩/୪ ଫୁଟ୍ ଚଉଡ଼ା ଏକ ଜଳସେଚନ କେନାଲରେ ପ୍ରାୟ ୧୫ଦିନରୁ ୧ମାସ ବୟସର ହାତୀ ଛୁଆ ଫସିଥିବା ସୂଚନା ମିଳିଥିଲା।

           ଚମ୍ପୁଆ ରେଞ୍ଜ ଅଫିସର ସାଗର ନାୟକ ଓ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ଜଣାପଡ଼ିଥିଲା ଯେ, ମା’ ହାତୀ ପ୍ରାୟ ୮ଟାରୁ ଛୁଆକୁ କେନାଲରୁ ବାହାର କରିବାକୁ ଚେଷ୍ଟା କରୁଥିଲା। ଗାଁ ନିକଟରେ ଘଟଣା ଘଟିଥିବାରୁ ସେଠାରେ ବହୁ ସଂଖ୍ୟକ ଲୋକଙ୍କ ଭିଡ଼ ଜମିଥିଲା। ବନ ବିଭାଗ ଟିମ୍ ନିରନ୍ତର ଭାବେ ଭିଡ଼ ନିୟନ୍ତ୍ରଣ କରି ହାତୀ ଛୁଆଟିକୁ ସୁରକ୍ଷିତ ସ୍ଥାନ ଦେବା ବ୍ୟବସ୍ଥା କରିଥିଲେ। ଚମ୍ପୁଆ ରେଞ୍ଜ ଅଫିସରଙ୍କ ଉପସ୍ଥିତ ବୁଦ୍ଧି ଓ ତ୍ବରିତ ପଦକ୍ଷେପ ଯୋଗୁଁ କେନାଲ ପାଣିକୁ ଅଟକାଇ ଅନ୍ୟ ଦିଗକୁ ପ୍ରବାହିତ କରାଯାଇଥିଲା। ଫଳରେ ପାଣିର ପ୍ରବାହ କମିବା ସହ ଉଦ୍ଧାର କାର୍ଯ୍ୟ ସହଜ ହୋଇଥିଲା।

       ପରବର୍ତ୍ତୀ ସମୟରେ ଏସିଏଫ୍ ସୁଦୀପ୍ତ ପଣ୍ଡାଙ୍କ ନେତୃତ୍ବରେ ଡିଭିଜନ ୱାଇଲ୍ଡଲାଇଫ୍ ଟିମ୍, ଚମ୍ପୁଆ ରେଞ୍ଜର ଫିଲ୍ଡ ଷ୍ଟାଫ, ସଦସ୍ୟ ଏବଂ କିଛି ସ୍ଥାନୀୟ ସ୍ଵେଚ୍ଛାସେବୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଡ୍ରୋନ୍ ସହାୟତାରେ ମା’ହାତୀ ଗତିବିଧ୍ ଉପରେ ନଜର ରଖାଯାଇଥିଲା। ମା’ ହାତୀ ପାଇଁ ଆବଶ୍ୟକ ସ୍ଥାନ ଖାଲି କରାଯିବା ପରେ ଡ୍ରୋନ୍ ମାଧ୍ୟମରେ ତାକୁ କେନାଲରେ ଥିବା ନିକଟସ୍ଥ ପାହାଚ ଦିଗକୁ ଯିବା ପାଇଁ ମାର୍ଗଦର୍ଶନ କରାଯାଇଥିଲା। ଶେଷରେ ମା’ହାତୀ ନିଜେ ଛୁଆକୁ କେନାଲରୁ ବାହାର କରି ଆଣିଥିଲା। ତେବେ ଗାଁ ଦିଗକୁ ପ୍ରାୟ ୨୦୦ମିଟର ଆଗକୁ ଯିବା ପରେ ମା’ ଓ ଛୁଆ ପୁଣି ଏକ ଟ୍ରାନ୍ସଫର୍ମର ଫେନ୍‌ ଏବଂ ଏକ ବଗିଚାର ଫେନ୍‌ ମଧ୍ଯରେ ଫସି ଯାଇଥିଲେ। ପ୍ରାୟ ୧୫ ମିନିଟ୍ ମଧ୍ୟରେ ମା’ ହାତୀ ନିଜ ଛୁଆକୁ ସେଠାରୁ ବାହାର କରି ଏକ ପୋଲ ଦେଇ ଖୋଲା ପଡ଼ିଆକୁ ନେଇଯାଇଥିଲା। ଏହାପରେ ଡ୍ରୋନ୍ ମାଧ୍ୟମରେ ମା’ ଓ ଛୁଆଙ୍କ ଉପରେ ନଜର ରଖାଯାଇଥିଲା। ଉଭୟ ଏକ ଉଛୁଳିଥିବା ନାଳ ପାର ହେବା ପର୍ଯ୍ୟନ୍ତ ଟିମ୍ ସତର୍କ ରହିଥିଲା।     

       ନାଳର ପ୍ରାୟ ୬୦୦ ମିଟର ଦୂରରେ ୧୩ଟି ହାତୀପଲ ଥିବା ଜଣାପଡ଼ିଥିଲା। ମା’ ଓ ଛୁଆ ହାତୀ ପଲର ପଦଚିହ୍ନ ଅନୁସରଣ କରି ଶେଷରେ ପଲ ସହିତ ମିଶି ଯାଇଥିଲେ। ସମଗ୍ର ଉଦ୍ଧାର କାର୍ଯ୍ୟରେ କୌଣସି ରାସାୟନିକ କିମ୍ବା ଶାରୀରିକ ହସ୍ତକ୍ଷେପର ଆବଶ୍ୟକତା ପଡ଼ିନଥିଲା। ବନ ବିଭାଗ ଟିମ୍ କେବଳ ଆବଶ୍ୟକ ସ୍ଥାନ ଖାଲି କରିବା, ଭିଡ଼ ନିୟନ୍ତ୍ରଣ ଏବଂ ଡ୍ରୋନ୍ ମାଧ୍ୟମରେ ମାର୍ଗଦର୍ଶନ ଯୋଗାଇଥିଲେ। ଶେଷରେ ମା’ ହାତୀ ନିଜେ ଛୁଆକୁ ସମସ୍ତ ବିପଦରୁ ବାହାର କରି ସୁରକ୍ଷିତ ଭାବେ ହାତୀ ପଲ ସହିତ ମିଶାଇଥିଲା।

Leave a Reply

Your email address will not be published. Required fields are marked *