ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝର  ଷ୍ଟାଡିୟମ ପଡ଼ିଆରେ ୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ପ୍ରବଳ ବର୍ଷାକୁ ଆଦୌ ଖାତିର ନକରି ଦେଶପ୍ରେମର ଆଗ୍ନେୟ ଉତ୍ସାହ ମଧ୍ୟରେ ସମ୍ମିଳିତ ପରେଡର ଅଭିବାଦନ ଗ୍ରହଣ କରିଥିଲେ ମୁଖ୍ୟଅତିଥି ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ମହାପାତ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ ସହ ନିଜ ଅଭିଭାଷଣରେ ମାଟିର ବୀରପୁତ୍ରମାନଙ୍କ ଅମର ଗାଥା ସ୍ମରଣ କରିଥିଲେ। ୧୯୯୯ ‘ଅପରେସନ୍ ବିଜୟ’ର ଅମର ଶହୀଦ ଚମ୍ପୁଆ ଉପଖଣ୍ଡର ମାତ୍ର ୨୫ ବର୍ଷୀୟ ବୀର ସୈନିକ କାର୍ଗିଲ ଯୁଦ୍ଧର ସବୁଠାରୁ ଦୁର୍ଗମ ‘ପଏଣ୍ଟ ୪୮୭୫’ରେ ମାତୃଭୂମି ପାଇଁ ଦେଇଥିବା ଆତ୍ମବଳିଦାନକୁ ସେ ଶ୍ରଦ୍ଧାର ସହ ମନେ ପକାଇଥିଲେ। ଗତ ଜୁଲାଇ ୨୮ରେ ଜିଲ୍ଲାରେ ବନ୍ୟା ଉଦ୍ଧାର କାର୍ଯ୍ୟ ସମୟରେ ଅନ୍ୟର ଜୀବନ ବଞ୍ଚାଇବାକୁ ଯାଇ ମାତ୍ର ୨୬ ବର୍ଷ ବୟସରେ ସହିଦ ହୋଇଥିବା ଅଗ୍ନିଶମ ଯୋଦ୍ଧା ଚନ୍ଦନ ପଟ୍ଟନାୟକଙ୍କ ଅତୁଳନୀୟ ସାହସକୁ ମନ୍ତ୍ରୀ ଭାବବିହ୍ୱଳ ହୋଇ ପ୍ରଣାମ ଜଣାଇଥିଲେ।

      ପ୍ରଗତିର ଏକ ନୂଆ ପ୍ରଭାତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସେବା ଓ ବଳିଷ୍ଠ ନେତୃତ୍ୱରେ ‘ବିକଶିତ ଓଡ଼ିଶା ୨୦୩୬’ ଓ ‘ବିକଶିତ ଭାରତ ୨୦୪୭’ର ସ୍ୱପ୍ନ ଆଜି ସାକାର ହେବାକୁ ଯାଉଛି ବୋଲି ମୁଖ୍ୟଅତିଥି କହିଥିଲେ । କେନ୍ଦୁଝରର ବିକାଶ ଚିତ୍ର ବଦଳାଉଥିବା ପ୍ରମୁଖ ଘୋଷଣାଗୁଡ଼ିକୁ ସୂଚାଇ କହିଥିଲେ ଉଚ୍ଚବାଲିସେ ୪୦୦/୨୨୦ କେଭି ଗ୍ରୀଡ୍ ସବ୍-ଷ୍ଟେସନ ନିର୍ମିତ ହେବାକୁ ଥିବା ଏହି ବୃହତ ପ୍ରକଳ୍ପ ଜିଲ୍ଲାର ବିଦ୍ୟୁତ ସମସ୍ୟାକୁ ସ୍ଥାୟୀ ଭାବେ ଦୂର କରିବ। ଗମନାଗମନର ସୁବିଧା ପାଇଁ ବଡ଼ବିଲ୍ ବାଇପାସ୍ ରିଙ୍ଗ୍ ରୋଡ୍ ଏବଂ କେନ୍ଦୁଝର ବାଇପାସ୍ ରୋଡ ମଞ୍ଜୁର କରାଯାଇଛି।

     ଆରାଧ୍ୟ ଦେବୀ ମା’ତାରିଣୀଙ୍କ ଘଟଗାଁ ପୀଠର ସାଂସ୍କୃତିକ ତଥା ପର୍ଯ୍ୟଟନ ଉନ୍ନତି କରାଯାଉଛି। ଧରଣୀଧର ବିଶ୍ୱବିଦ୍ୟାଳୟରେ ନରଣପୁରଠାରେ ଆର୍ଚେରୀ ଏକାଡେମୀ, ବଳଭଦ୍ରପୁର ଆପାରେଲ୍ ୟୁନିଟ୍, ଆନନ୍ଦପୁରରେ ଲେଭଲ୍-୩ ଟ୍ରମା କେୟାର ଏବଂ ନୂତନ ମେଡିକାଲ କଲେଜରେ କ୍ୟାନ୍ସର କେୟାର ୱିଙ୍ଗ୍ ନିର୍ମାଣ ହେବ। କେନ୍ଦୁଝରବାସୀଙ୍କ ସୁଗମ ଯାତାୟାତ ପାଇଁ ଆଧୁନିକ ଇଲେକ୍ଟ୍ରିକ୍ ସିଟି ବସ୍ ‘ଆମ ବସ୍’ ଏବଂ ‘ଆମ ବସ୍ ଡିପୋ’ର ଶୁଭାରମ୍ଭ କରାଯାଇଛି। ଏହା ସହିତ ୧୦୪ଟି ଅତିରିକ୍ତ ଶ୍ରେଣୀଗୃହ, ସାଇନ୍ସ ଓ ଆଇସିଟି ଲ୍ୟାବ୍, ବ୍ଲକସ୍ତରୀୟ ପାଠାଗାର ଏବଂ ସରକାରୀ ମହିଳା ମହାବିଦ୍ୟାଳୟରେ ୩୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ନିର୍ମାଣ କରାଯାଇଛି।

       ଏହି ଉପଲକ୍ଷେ ଆୟୋଜିତ ଆନୁଷ୍ଠାନିକ ପ୍ୟାରେଡ୍ ସଶସ୍ତ୍ର ରିଜର୍ଭ ପୋଲିସ୍ ବାହିନୀ, ହୋମଗାର୍ଡସ୍ ବାହିନୀ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ଏନ୍.ସି.ସି., ସ୍କାଉଟ୍, ଗାଇଡ୍, ରେଡ଼କ୍ରସ, ସିଭିଲିଆନ୍ ଦଳ ମାର୍ଚ୍ଚପାଷ୍ଟ୍ କରି ଅଭିବାଦନ ଜଣାଇଥିଲେ । ସଂରକ୍ଷିତ ଆରକ୍ଷୀ ନିରୀକ୍ଷକ ପ୍ରଦୀପ କୁମାର ଜେନା ଆନୁଷ୍ଠାନିକ ପରେଡ୍ ପରିଚାଳନା କରିଥିଲେ । କେନ୍ଦୁଝର ନଗରପାଳ ନିକୁ ସାହୁ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମମିତା ନାଏକ, ଆରକ୍ଷୀ ଅଧୀକ୍ଷକ ନୀତିନ କୁଶଳକର, ବନଖଣ୍ଡ ଅଧିକାରୀ ଧନରାଜ ଏଚଡି, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ଓ ରବୀନ୍ଦ୍ର ପ୍ରଧାନ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି, ଶିକ୍ଷାବିତ୍, ସମାଜର ବିଭିନ୍ନ ବର୍ଗର ଜନସାଧାରଣ ଉପସ୍ଥିତ ଥିଲେ ।

କେନ୍ଦୁଝର ଜିଲ୍ଲାର ଶ୍ରେଷ୍ଠ ଜୁଆଙ୍ଗ ମାଟ୍ରିକ୍ୟୁଲେଟ ଭାବେ ସୁଶ୍ରୀ ପାର୍ବତୀ ଜୁଆଙ୍ଗ, ଚୌଧୁରୀ ଜୁଆଙ୍ଗ, ଶ୍ରେଷ୍ଠ ମାଟ୍ରିକ୍ୟୁଲେଟ ଭାବେ ବାଳିକା ମଧୁସ୍ମିତା ମାଝୀ, ଶ୍ରେଷ୍ଠ ବାଳକ ମାଟ୍ରିକ୍ୟୁଲେଟ କ୍ଷିତୀଶ କୁମାର ମହାନ୍ତ ଏବଂ ଶ୍ରେଷ୍ଠ ଏସ୍.ଟି ମାଟ୍ରିକ୍ୟୁଲେଟ ଭାବେ ମଧୁସ୍ମିତା ମାଝୀ, ଶ୍ରେଷ୍ଠ ଏସ୍.ସି. ମାଟ୍ରିକ୍ୟୁଲେଟ ଭାବେ ସୁଶ୍ରୀ ଜିଏସ ପ୍ରୀତିପ୍ରଜ୍ଞା ପଣ୍ଡିତ, ଶ୍ରେଷ୍ଠ ସିବିଏସ୍ଇ ମାଟ୍ରିକ୍ୟୁଲେଟ ଭାବେ ଜ୍ୟୋତିର୍ଦିତ୍ୟ ଜେନା, ଶ୍ରେଷ୍ଠ ଆଇସିଏସ୍ଇ. ମାଟ୍ରିକ୍ୟୁଲେଟ ଆଶୁତୋଷ ପାତ୍ର, ଶ୍ରେଷ୍ଠ +୨ କଳା ଛାତ୍ରୀ ଭାବେ ସୁଶ୍ରୀ ପ୍ରିୟଙ୍କାରାଣୀ ମହାନ୍ତ, ଶ୍ରେଷ୍ଠ +୨ ବିଜ୍ଞାନ ଛାତ୍ରୀ ଭାବେ ପ୍ରୀତି ପ୍ରିୟଦର୍ଶିନୀ କବି, ଶ୍ରେଷ୍ଠ +୨ ବାଣିଜ୍ୟ ଛାତ୍ରୀ ଭାବେ ଇପ୍ସିତା ଦ୍ବିବେଦୀ, ଆଦର୍ଶ ସେବକ ଭାବେ ରାଇସୁଆଁ ଆଶ୍ରମ ବିଦ୍ୟାଳୟ, ତେଲକୋଇର ସେବକ ଜଗବନ୍ଧୁ ନାଏକ, ଆଦର୍ଶ ସେବିକା ଭାବେ ବାୟାପଣ୍ଡାଧର ଆଶ୍ରମ ବିଦ୍ୟାଳୟ ବାଂଶପାଳ ସେବିକା ସଂଯୋତି ମଙ୍ଗଳେଶ୍ୱରୀ ମହଲା, ଆଦର୍ଶ ଅଙ୍ଗନୱାଡିକର୍ମୀ  ଭାବେ ଆନନ୍ଦପୁର ବ୍ଲକ ,ମୈଦାନକେଲ ଚକ-ଡି ଅଙ୍ଗନୱାଡି କେନ୍ଦ୍ରର ଜୟନ୍ତୀ ଦାସ, ଆଦର୍ଶ ମହିଳା ସ୍ୱାସ୍ଥ୍ୟକର୍ମୀ ଭାବେ ରରୁଆଁଗୋଡ଼ା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭଣ୍ଡାର ସାବିତ୍ରୀ ମହାନ୍ତ, ଆଦର୍ଶ ସ୍ୱୟଂ ସହାୟକ ଗୋଷ୍ଠୀ ଭାବେ ସଦର ବ୍ଲକ ମା’ ଲକ୍ଷ୍ମୀପ୍ରିୟା ସ୍ୱୟଂ ସହାୟକ ଗୋଷ୍ଠୀ, ଆଦର୍ଶ ଉଦ୍ୟାନ କୃଷକ ଜନାର୍ଦ୍ଦନ ଗିରି,ବୃକ୍ଷରୋପଣ କ୍ଷେତ୍ରରେ ଆଦର୍ଶ ବିଦ୍ୟାଳୟ ଭାବେ ଚମ୍ପୁଆ ବ୍ଲକ ଫୁଲକଅଁଳେଇ ନୋଡାଲ୍ ହାଇସ୍କୁଲ, ଶ୍ରେଷ୍ଠ ଖେଳାଳୀ ଭାବେ ହ୍ୟାଣ୍ଡବଲ ଖେଳାଳୀ ରାଜାରାମ ପଣ୍ଡା ଏବଂ ଏସୀୟ ସୁଟିଂରେ ରୌପ୍ୟ ପଦକ ଜିତିଥିବା ମାନ୍ୟତା ସିଂହ, ଆଦର୍ଶ ସରକାରୀ ଡ୍ରାଇଭର ଭାବେ ନିରଞ୍ଜନ ଷଡ଼ଙ୍ଗୀ, ଶ୍ରେଷ୍ଠ ପୌରପାଳିକା ଭାବେ ବଡବିଲ ପୌରପାଳିକା, ସ୍ୱେଚ୍ଛାକୃତ ରକ୍ତଦାନ କ୍ଷେତ୍ରରେ  ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଭାରତୀୟ ଜନତା ପାର୍ଟି(୫୩୨ ୟୁନିଟ ), ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ ଭାବେ କଣ୍ଡରାପଶି ଗ୍ରାମ ପଞ୍ଚାୟତକୁ ସମ୍ବର୍ଦ୍ଧିତ କରାଯାଇଥିଲା ।

     ସମ୍ମିଳିତ ଆନୁଷ୍ଠାନିକ ପ୍ୟାରେଡ୍ରେ ଚିତାକର୍ଷକ ପ୍ୟାରେଡ୍ ପାଇଁ ଏନ୍.ସି.ସି./ସ୍କାଉଟ୍/ଗାଇଡ୍/ରେଡ୍କ୍ରସ ବର୍ଗରେ ଏନ୍.ସି.ସି. ଡ଼ିଡ଼ି, କଲେଜ କେନ୍ଦୁଝର, ସିଭିଲିଆନ୍ ଜୁନିୟର୍ ବର୍ଗରେ ରବୀନ୍ଦ୍ର ବିଦ୍ୟା ନିକେତନ (ବାଳକ ଦଳ) ଏବଂ ସିଭିଲିଆନ୍ ସିନିୟର୍ ବର୍ଗରେ ରବୀନ୍ଦ୍ର ବିଦ୍ୟା ନିକେତନ (ବାଳିକା ଦଳ)କୁ ମୁଖ୍ୟ ଅତିଥି ସିଲଡ୍ ପ୍ରଦାନ କରିଥିଲେ । ପ୍ରତ୍ୟୁଷରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସହରରେ ରାମଧୂନ ପ୍ରଚାର କରାଯାଇଥିଲା। ସନ୍ଧ୍ୟାରେ କେନ୍ଦୁଝର ଅଡିଟୋରିୟମ୍ ଠାରେ ବିଭିନ୍ନ ପ୍ରତିଯୋଗିତାର କୃତୀତ୍ଵ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ସମୟଶ୍ରୀ ଚାଟର୍ଜି ଧାରାବିବରଣୀ ପ୍ରଦାନ କରିଥିବାବେଳେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସାର୍ଥକ ଅଭିନନ୍ଦନ ରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହୋଇଥିଲା। ଏଥିସହିତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତିର୍ମୟୀ ନାଏକଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସମାରୋହର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *