କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଏବଂ ତାଙ୍କର ଦୁଇ ଶିଶୁ ପୁତ୍ରଙ୍କୁ ଜୀବନ୍ତ ଦଗ୍ଧ କରିବା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂ ଓରଫ ରବୀନ୍ଦ୍ର କୁମାର ପାଲ୍ଙ୍କୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ଦାରା ସିଂଙ୍କୁ ଜେଲରୁ ମୁକ୍ତ କରାଯିବ। ଦୀର୍ଘ ୨୬ ବର୍ଷରୁ ଅଧିକ ସମୟ ଜେଲ୍ରେ କାଟିବା ପରେ ତାଙ୍କର ମୁକ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଦାରା ସିଂଙ୍କ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ଦାରା ସିଂଙ୍କ ଓକିଲ ଏ.ପି. ସିଂ।
ଦାରା ସିଂ ଜେଲ୍ରେ ୨୬ ବର୍ଷରୁ ଅଧିକ ସମୟ ବିତାଇ ସାରିଛନ୍ତି। ସାଧାରଣତଃ ଆଜୀବନ କାରାଦଣ୍ଡ ମାମଲାରେ ୧୪ ବର୍ଷରୁ ଅଧିକ ସମୟ ଦଣ୍ଡ କାଟିବା ପରେ କାରାଗାର ନିୟମାବଳୀ ଅନୁଯାୟୀ ସମୟପୂର୍ବ ମୁକ୍ତି (Remission) ପାଇଁ ବିଚାର କରାଯାଏ। ଜେଲ୍ରେ ତାଙ୍କର ଭଲ ଆଚରଣ ଏବଂ ବାର୍ଦ୍ଧକ୍ୟଜନିତ ସମସ୍ୟାକୁ ଦୃଷ୍ଟିରେ ରଖି କୋର୍ଟ ତାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୧୫ ସୁଦ୍ଧା ସମସ୍ତ ଆନୁଷଙ୍ଗିକ ସରକାରୀ ପ୍ରକ୍ରିୟା ଶେଷ କରି ତାଙ୍କୁ ମୁକ୍ତ କରିବାକୁ କୁହାଯାଇଛି।
ଜେଲରୁ ମୁକୁଳିବେ ଦାରା ସିଂ
