କେନ୍ଦୁଝରର ରଥ ‘ନନ୍ଦିଘୋଷ’ ଦକ୍ଷିଣମୋଡ ହୁଏନାହିଁ
କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଆଉ ମାତ୍ର ୩ ଦିନ ପରେ ଗୁରୁବାର ପବିତ୍ର ଘୋଷଯାତ୍ରା । ଏହି ଦିନ ଭାଇ ଭଉଣୀଙ୍କୁ ସଙ୍ଗରେ ଧରି ଶ୍ରୀଗୁଣ୍ଡିଚା ଅଭିମୁଖେ ଯାତ୍ରା କରିବେ ମହାବାହୁ । ଦୀର୍ଘ ୧୦ଦିନବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା କେନ୍ଦୁଝର ଜିଲ୍ଲାର ଏହି ପ୍ରମୁଖ ମହାପର୍ବକୁ କିଭଳି ଅଧିକ ସୁନ୍ଦର ଓ ଶୃଙ୍ଖଳିତ ଭାବେ ପାଳନ କରାଯିବ ସେ ନେଇ ଜିଲ୍ଲା ପ୍ରଶାସନ ଓ ଦେବୋତ୍ତର ବିଭାଗ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

ବିଶ୍ଵର ସର୍ବବୃହତ ଗୋଟିଏ ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ପାଇଁ ଉକ୍ତ ଚାତୁର ପରି ଚାହିଁ ରହିଛି । ଏଥିନିମନ୍ତେ ବଡ଼ଦାଣ୍ଡ ମଧ୍ୟ ସଜେଇ ହେଲାଣି । କେନ୍ଦୁଝର ରଥଯାତ୍ରାର ଏକ ସ୍ୱତନ୍ତ୍ର ପରମ୍ପରା ରହିଛି । ପରମ୍ପରା ଅନୁଯାୟୀ ରଥକୁ ଟାଣିବା ନିମନ୍ତେ ଭୂୟାଁ ସମ୍ପ୍ରଦାୟ ପ୍ରସ୍ତୁତ ଶିଆଳି ଲତା ଦଉଡି ଏବେବି ବ୍ୟବହାର ହୋଇଆସୁଛି ।

ଦୀର୍ଘ ୧୦ଦିନବ୍ୟାପୀ ଏହି ଯାତ୍ରାକୁ ମନଭରି ଉପଭୋଗ ପାଇଁ ଜିଲ୍ଲାର ଆଦିମ ଜନାଜାତି ଜୁଆଙ୍ଗ ଓ ଭୁୟାଁ ସମ୍ପ୍ରଦାୟ ସମେତ ଆଦିବାସୀ ଲୋକେ ବଡ଼ଦାଣ୍ଡରେ ଡେରା ପକାଇବା ସହ ସେମାନଙ୍କର ପାରମ୍ପରିକ ନୃତ୍ୟଗୀତରେ ବେଶ୍ ମସଗୁଲ୍ ହେବା ଭଳି ନିଆରା ଦୃଶ୍ୟ ଖୁବ୍ ମନଲୋଭା । କହିବାକୁ ଗଲେ, କେନ୍ଦୁଝରର ରଥଯାତ୍ରାରେ ଆଦିବାସୀ ଲୋକ ସଂସ୍କୃତି ଏବେବି ଜଡିତ ହୋଇ ରହିଛି । ସେହିଭଳି କେନ୍ଦୁଝରର ରଥ ବିଶ୍ଵର ସର୍ବୋଚ୍ଚ ଓ ଓସାରିଆ ହୋଇଥିବାରୁ ବଡ଼ଦାଣ୍ଡରେ ରଥ ଦକ୍ଷିଣମୋଡ ସମ୍ଭବପର ହେଉନଥିବା କାରଣରୁ ବାହୁଡା ଯାତ୍ରା ପୂର୍ବଦିନ ପଟିଦିଅଁ ପରିବର୍ତ୍ତନ କରାଯାଇ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିର ଅଭିମୁଖେ ବାହୁଡିଥାନ୍ତି ।
