କେନ୍ଦୁଝରରେ ୮୨ ପ୍ରତିଶତ ଶିଶୁଙ୍କୁ ଟିକା

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝର ଜିଲ୍ଲାରେ ଶିଶୁମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ଜାରି ରହିଥିବା ସ୍ୱତନ୍ତ୍ର ଟିକାକରଣ ଅଭିଯାନ ସଫଳତାର ସହ ଆଗେଇ ଚାଲିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ଲକ୍ଷ୍ୟ ଅନୁଯାୟୀ ଜିଲ୍ଲାରେ ମୋଟ ୧,୭୬,୬୫୯ ଜଣ ଶିଶୁଙ୍କୁ ଟିକାକରଣ ପରିସରଭୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ରବିବାର ୧,୪୪,୪୭୨ ଜଣ ଶିଶୁ ଟିକା ନେଇସାରିଛନ୍ତି। ଏହି ସଫଳତା ସହ ଜିଲ୍ଲା ୮୨ ପ୍ରତିଶତ ଲକ୍ଷ୍ୟ ହାସଲ କରିଛି।

          ଏହି ସ୍ୱତନ୍ତ୍ର ଅଭିଯାନର ଜିଲ୍ଲାସ୍ତରୀୟ ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦୁଝର ସିଡିଏମ୍‌ ଆଣ୍ଡ ପିଏଚ୍‌ଓ ଡାକ୍ତର ଧନେଶ୍ୱର ସେଠୀ ଏହି ଅଭିଯାନକୁ ଉଦଘାଟନ କରିଥିଲେ। ଟିକାକରଣ କାର୍ଯ୍ୟକ୍ରମରେ କୌଣସି ଶିଶୁ ଯେପରି ବାଦ୍ ନପଡ଼ନ୍ତି ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଅଭିଯାନର ଶେଷ ଦୁଇ ଦିନରେ କୌଣସି ଶିଶୁ ଯେପରି ଟିକାରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

      ଉଦଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟସ୍ତରୀୟ ପ୍ରତିନିଧି ଭାବେ ଯୁଗ୍ମ ନିର୍ଦ୍ଦେଶକ (ଏମ୍‌ଏଚ୍‌) ଡାକ୍ତର ଅଭିଜିତ କୁଆଁର ଯୋଗ ଦେଇଥିଲେ। ଏଥିସହିତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଡାକ୍ତର ପୁରୁଷୋତ୍ତମ ମହାନ୍ତ (ଡିପିଏଚଓ), ଡାକ୍ତର ଲକ୍ଷ୍ମୀକାନ୍ତ ମହାନ୍ତ (ଏଡିପିଏଚଓ-ଏଫଡବ୍ଲୁ), ଡାକ୍ତର ନୀଲମ ମହାନ୍ତି (ଏଡିପିଏଚଓ-ଟିବି), ଡାକ୍ତର ପୁଷ୍ପାରାଣୀ ପଟ୍ଟନାୟକ (ଏଡିପିଏଚଓ-ଭିବିଡ଼ି) ଏବଂ ନିତ୍ୟରଞ୍ଜନ ବରାଳ (ଡିପିଏମ, ଏନଏଚଏମ) ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳତା ପାଇଁ ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *