ସୋମନାଥ ସ୍ଵାଭିମାନ ଯାତ୍ରା ଶୁଭାରମ୍ଭ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର “ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬”କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଶୁଭାରମ୍ଭ କରିଛନ୍ତ କରିଛନ୍ତି । ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୧୦୦ରୁ ଅଧିକ ଶ୍ରଦ୍ଧାଳୁ ଗୁଜୁରାଟସ୍ଥିତ ପ୍ରସିଦ୍ଧ ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଯାତ୍ରା ଆରମ୍ଭ କରିଛନ୍ତି। ୭ ଦିନ ଧରି ପର୍ଯ୍ୟଟକମାନେ ଗୁଜୁରାଟର ପ୍ରସିଦ୍ଧ ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ ଅନ୍ୟ ସ୍ଥାନ ବୁଲିବା ପରେ ଫେରିବେ । ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ସୋମନାଥ ସ୍ୱାଭିମାନ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କାର୍ଯ୍ୟକ୍ରମରେ ଉପସ୍ଥିତି ରହି ଗସ୍ତରେ ଯାଉଥିବା ଶ୍ରଦ୍ଧାଳୁମାନଙ୍କୁ ସ୍ୱାଗତ କରିଥିଲେ।

      ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା କେବଳ ଏକ ରେଳ ଯାତ୍ରା ନୁହେଁ, ବରଂ ଆମର ଆସ୍ଥା, ଭକ୍ତି ଏବଂ ସାଂସ୍କୃତିକ ସ୍ୱାଭିମାନର ଏକ ମହାଯାତ୍ରା। ପୂର୍ବରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ପଶ୍ଚିମରେ ପ୍ରଭୁ ସୋମନାଥ ଏହି ଦୁଇ ଦିବ୍ୟ ଶକ୍ତି ସମଗ୍ର ଭାରତବର୍ଷକୁ ଏକତା, ଆଧ୍ୟାତ୍ମିକତା ଓ ଅବିନାଶୀ ଚେତନାର ସୂତ୍ରରେ ବାନ୍ଧି ରଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ର ‘ଏକ ଭାରତ ଶ୍ରେଷ୍ଠ ଭାରତ’ ସଂକଳ୍ପକୁ ଆଗେଇ ନେବା ପାଇଁ ଏହା ଏକ ଅନନ୍ୟ ପ୍ରୟାସ ।  ଏହି ଯାତ୍ରା ମାଧ୍ୟମରେ ଓଡ଼ିଶାର ସାଂସ୍କୃତିକ କେନ୍ଦ୍ର ସହ ଗୁଜୁରାଟର ଐତିହ୍ୟକୁ ଯୋଡ଼ା ଯାଉଛି ।

      ଏହି ବର୍ଷବ୍ୟାପୀ ସାଂସ୍କୃତିକ ମହୋତ୍ସବ ଅନ୍ତର୍ଗତ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ସାରା ଦେଶରେ ଏକ ବ୍ୟାପକ ଗଣ-ତୀର୍ଥଯାତ୍ରାର ବ୍ୟବସ୍ଥା କରାଯାଇଛି। ଯେଉଁଥିରେ ଓଡ଼ିଶାର ଏହି ସ୍ୱତନ୍ତ୍ର ଟ୍ରେନ ଭଳି ଲକ୍ଷ୍ନୌରୁ ୧ ହଜାର ୮ ଜଣ ଏବଂ ଦିଲ୍ଲୀରୁ ପ୍ରାୟ ୧୩୦୦ ଜଣ ଶ୍ରଦ୍ଧାଳୁ ମଧ୍ୟ ପବିତ୍ର ପ୍ରଭାସ ପାଟଣ ଅଭିମୁଖେ ବାହାରିଛନ୍ତି।ଏ ଯାତ୍ରାକୁ ନେଇ ତୀର୍ଥଯାତ୍ରୀମାନେ ବେଶ ଖୁସିବ୍ୟକ୍ତ କରିଛନ୍ତି ।

   ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଥିଲେ ଯେ, ଆମେ ସୋମନାଥ ସ୍ଵାଭିମାନ ଯାତ୍ରାରେ ଓଡ଼ିଶାର ଆଧ୍ୟାତ୍ମିକ ଐତିହ୍ୟର କିଛି ପବିତ୍ର ନିଦର୍ଶନ ମଧ୍ୟ ସୋମନାଥକୁ ପଠାଉଛୁ। ଏକାମ୍ର କ୍ଷେତ୍ରର ହୃଦୟସ୍ଥଳୀ ପବିତ୍ର ବିନ୍ଦୁସାଗରର ଜଳ ଆଜି ସୋମନାଥ ଧାମକୁ ଯାଉଛି। ଏହି ପବିତ୍ର ଜଳ ଓଡ଼ିଶାର ଭକ୍ତିର ବାର୍ତ୍ତା ନେଇ ସୋମନାଥରେ ପହଞ୍ଚିବ।

Leave a Reply

Your email address will not be published. Required fields are marked *