କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ଘୋଷଯାତ୍ରା ଗୁରୁବାର ଶାନ୍ତିଶୃଙ୍ଖଳାର ସହ ସମ୍ପର୍ଣ୍ଣ ହୋଇଛି । ଝିପିଝିପି ବର୍ଷା ସାଙ୍ଗକୁ ଅନୁକୂଳ ପାଗ ଯୋଗୁଁ ଜୟ ଜଗନ୍ନାଥ ଧ୍ୱନିରେ ଭକ୍ତ ବିଶ୍ଵର ସର୍ବୋଚ୍ଚ ରଥ ‘ନନ୍ଦିଘୋଷ’କୁ ଟାଣି ଟାଣି ମାଉସୀ ମା’ ମନ୍ଦିର ନିକଟରେ ପହଞ୍ଚାଇବା ଦୃଶ୍ୟ ଥିଲା ଖୁବ୍ ନିଆରା । କେନ୍ଦୁଝରର ପୁରୁଣା ସହର ବଡଦାଣ୍ଡରେ ରଥଟଣା ସମୟରେ ଭକ୍ତ ଓ ଭଗବାନ ସତେଯେମିତି ଏକାକାର ହୋଇଯାଇଥିଲେ ।

ଏହି ପବିତ୍ର ରଥଯାତ୍ରାରେ ବିଶ୍ଵର ସର୍ବବୃହତ୍ ଗୋଟିଏ ରଥରେ ରଥାରଢ଼ ତିନିଠାକୁରଙ୍କୁ ଦର୍ଶନ ପାଇଁ ଜିଲାର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟିଥିଲା । ରୀତିନୀତି ଅନୁଯାୟୀ ୩ ଠାକୁରଙ୍କୁ ପୂଜାର୍ଚ୍ଚନା ପରେ ଅପରାହ୍ନ ୨ଟାରେ ଧାଡିପହଣ୍ଡି ଆରମ୍ଭ ହୋଇ ସାଢ଼େ ୪ଟାରେ ରଥାରୁଢ ହୋଇଥିଲେ । ରାଜ ପୁରୋହିତ ପ୍ରସନ୍ନ କୁମାର ନନ୍ଦଙ୍କ ଅସୁସ୍ଥତା ହେତୁ ତାଙ୍କ ପୁତ୍ର ଅନୀଲ କୁମାର ନନ୍ଦ କାମଚଳା ରାଜ ପୁରୋହିତ, ବଡପଣ୍ଡା ରାଜ କିଶୋର ପଣ୍ଡା ଓ ବ୍ରହ୍ମା ଗଙ୍ଗାଧର ମିଶ୍ରଙ୍କ ଉପସ୍ଥିତିରେ କେନ୍ଦୁଝର ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ ରଥ ଉପରେ ଛେରାପହଁରା କରିଥିଲେ ।
ଅପରାହ୍ନ ୫ଟା ୩୦ମି.ରେ ଘଣ୍ଟବାଦ୍ୟ, ଶଙ୍ଖ, ହୁଳହୁଳି ଓ ହରିବୋଲ ସହ ଜୟ ଜଗନ୍ନାଥ ଧ୍ୱନିରେ ରଥଟଣା ଆରମ୍ଭ ହୋଇ ସନ୍ଧ୍ୟା ପ୍ରାୟ ୭ଟାରେ ମାଉସୀ ମା’ ମନ୍ଦିର ସମ୍ମୁଖରେ ‘ନନ୍ଦିଘୋଷ’ ରଥ ସୁରୁଖୁରୁରେ ପହଞ୍ଚିଥିଲା । ଦେବଭୋର ବିଭାଗ ଅଧିକାରୀ ତଥା କେନ୍ଦୁଝର ଉପଜିଲାପାଳ ଉମାଶଙ୍କର ଦଳାଇଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ରଥଯାତ୍ରା କିପରି ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହେବ ସେ ନେଇ ଜିଲାସ୍ତରୀୟ ବିଭାଗୀୟ ଅଧିକାର ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ ।

. ଭକ୍ତ ଓ ଭଗବାନଙ୍କ ମହାମିଳନ
କେନ୍ଦୁଝର ଉପନଗରପାଳ ବରଦା ପ୍ରସନ୍ନ ଦାସ, ଜିଲ୍ଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀ, ଜିଲାପାଳ ବିଶାଲ ସିଂହ, ଡିଏଫଓ ଧନରାଜ ଏଚ.ଡି, ଅତିରିକ୍ତ ଜିଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଜିଲାପରିଷ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ, ପୁର୍ତ୍ତ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ସନ୍ତୋଷ କୁମାର ବେହେରା, କେନ୍ଦୁଝରଗଡ ପୌରପାଳିକା ନିର୍ବାହୀ ଅଧିକାରୀ ଲଳିତ ମୋହନ ନାଏକ ପ୍ରମୁଖ ଉପସ୍ଥିତ ରହି ରଥ ଟାଣିଥିଲେ । ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସାର୍ଥକ ଅଭିନନ୍ଦନ ରାୟ ଓ ଭାରପ୍ରାପ୍ତ ଜିଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସତ୍ୟଜିତ ମିଶ୍ରଙ୍କ ସଂଯୋଜନାରେ ଅଧ୍ୟାପକ ସୁଧା ଦାଶ, ବିଶିଷ୍ଟ କବି ଦେବାଶିଷ ଚକ୍ରବରୀ, ପଣ୍ଡିତ ମଧୁସୂଦନ ମିଶ୍ର, ଇନ୍ଦୁମତୀ ପାତ୍ର, ଅକ୍ଷୟ କୁମାର ଚକ୍ର, ଅଧ୍ୟାପିକା ଶୁଭସ୍ମୀତା ଦାଶ ଓ ବେଣୁଧର ସାହୁ ପ୍ରମୁଖ ଭକ୍ତଙ୍କୁ ଜଗନ୍ନାଥ ଚତ୍ତ୍ବ ଓ ସଂସ୍କୃତି ବିଷୟରେ ପବିତ୍ର ରଥଯାତ୍ରାର ପ୍ରତ୍ୟକ୍ଷ ଧାରାବିବରଣୀ ପ୍ରଦାନ କରିଥିଲେ ।
ଆରକ୍ଷୀ ଅଧ୍ୟକ୍ଷକ ନିତିନ କୁଶଲକରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୨ ଜଣ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ସଦର ଏସ୍ଡିପିଓ ସୁଦର୍ଶନ ଗଙ୍ଗୋଇ ଓ ଟାଉନ ଥାନା ଅଧିକାରୀ ଶ୍ରୀକାନ୍ତ ସାହୁଙ୍କ ସମେତ ୭ଜଣ ଡିଏସ୍ପି, ୧୩ ଜଣ ଇନ୍ସପେକ୍ଟର, ୪୫ଜଣ ସବ୍ଇନ୍ସପେକ୍ଟର ଓ ଏଏସ୍ଆଇଙ୍କ ସମେତ ୨୭ ପ୍ଲାଟୁନ ଫୋର୍ସ ମୁତୟନ ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଇଲେଭେନ୍ ବୁଲେଟ୍ କ୍ଲବ, ୟଙ୍ଗ ଜିନିୟସ୍ କ୍ଲବ, କେନ୍ଦୁଝର ଯାନ୍ତ୍ରୀକ ବିଦ୍ୟାଳୟ ଡିମ୍ବୋ ପକ୍ଷରୁ ବଡଦାଣ୍ଡରେ ହଜାର ହଜାର ଭକ୍ତଙ୍କୁ ମାଗଣାରେ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା । ପବିତ୍ର ରଥଯାତ୍ରା ଉପଲକ୍ଷେ ଗୁରୁବାର ଠାରୁ ଆସନ୍ତା ୨୫ ତାରିଖ ସୁନାବେଶ ପର୍ଯ୍ୟନ୍ତ ବଡଦାଣ୍ଡରେ ପ୍ରତି ସନ୍ଧ୍ୟାରେ ୧୦ ଦିନବ୍ୟାପୀ ଜିଲା ପ୍ରଶାସନ ଓ ଦେବୋତ୍ତର ବିଭାଗ ପକ୍ଷରୁ ସ୍ଥାନୀୟ ତଥା ଜିଲା ବାହାରର କଳାକାରଙ୍କୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ରାୟ ଜଣାଇଛନ୍ତି ।
