ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ହୀରାକୁଦ ନଦୀବନ୍ଧରେ ଜଳସ୍ତର ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଉଥିବା ବେଳେ ପୂର୍ବ ଘୋଷଣା ମୁତାବକ ଗୁରୁବାର ପୂର୍ବାହ୍ନ ୧୧ଟା ପରେ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଗଲା। ପ୍ରଥମଦିନ ପର୍ଯ୍ୟାୟକ୍ରମେ ୧ଲକ୍ଷ କ୍ୟୁସେକ୍‌ ଜଳ ନିଷ୍କାସନ କରାଯିବ। ପରମ୍ପରା ଅନୁସାରେ, ପୂଜାପାଠ ପରେ ପ୍ରଥମେ ୭ ନମ୍ବର ଫାଟକ  ଓ ପରେ କ୍ରମାନ୍ବୟରେ ୪ଟି ଗେଟ୍‌ ଖୋଲିବା ପାଇଁ ଜଳସମ୍ପଦ ବିଭାଗ ନିଷ୍ପତ୍ତି ନେଇଛି। ମୋଟ ୪ ସ୍ଲୁଇସ୍ ଗେଟ୍ ଖୋଲା ରହିବ। (ବାମ ୦୩ + ଡାହାଣ ୦୧)।
          ହୀରାକୁଦ ନଦୀବନ୍ଧରେ ୨ ଦିନଭିତରେ ଜଳସ୍ତର ୯ଫୁଟ୍‌ ବୃଦ୍ଧି ପାଇଛି। ୬ ତାରିଖ ସକାଳେ ନଦୀବନ୍ଧର ଜଳସ୍ତର ୬୦୩ ଫୁଟ୍‌ ଥିବା ବେଳେ ପ୍ରାୟ ୪୬ ହଜାର କ୍ୟୁସେକ୍‌ ଜଳ ପ୍ରବେଶ କରିଥିଲା। କିନ୍ତୁ ବୁଧବାର ସନ୍ଧ୍ୟା ୬ଟାରେ ୬୧୨.୯୭ଫୁଟ୍‌ ଜଳସ୍ତର ରହିଛି। ଏହି ସମୟରେ ନଦୀବନ୍ଧକୁ ସେକେଣ୍ଡ୍‌ ପ୍ରତି ୨ ଲକ୍ଷ ୪୨ ହଜାର ୯୬୬ ଘନଫୁଟ୍‌ ଜଳ ପ୍ରବେଶ କରୁଛି। ଉପରମୁଣ୍ଡ କଲ୍‌ମା ବ୍ୟାରେଜ୍‌ରେ ୬୧ଟି ଫାଟକ ଖୋଲାଥିବା ହେତୁ ଜଳ ପ୍ରବେଶ ଏଭଳି ଭାବେ ବୃଦ୍ଧି ପାଇଥିବା କୁହାଯାଉଛି। ତେବେ ଜଳପ୍ରବେଶ କ୍ରମଶଃ ହ୍ରାସ ପାଉଛି।

      ବୁଧବାର ମଧ୍ୟାହ୍ନରେ ୨ଲକ୍ଷ ୮୫ ହଜାର କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ୬ ଘଣ୍ଟା ଭିତରେ ତାହା ୨୦ ହଜାର କ୍ୟୁସେକ ଯାଏ ହ୍ରାସ ପାଇଛି। ବର୍ଷା ହେଉନଥିବା ହେତୁ କୌଣସି ସ୍ଥାନରେ ବନ୍ୟା ସ୍ଥିତି ନାହିଁ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି। ନଦୀବନ୍ଧରେ ବନ୍ୟାଜଳ ନିଷ୍କାସନକୁ ନେଇ ପୂର୍ବରୁ ମହାନଦୀ ତଟବର୍ତ୍ତୀ ଜିଲାର ଜିଲାପାଳଙ୍କୁ ସତର୍କ ସୂଚନା ଜାରି କରାଯାଇଥିଲା। ସେହିପରି ବୁର୍ଲା ଓ ସମ୍ବଲପୁର ଅଞ୍ଚଳରେ ମାଇକ୍ ଜରିଆରେ ମହାନଦୀ ମଧ୍ୟକୁ ପ୍ରବେଶ ନ କରିବା ପାଇଁ ସତର୍କ କରାଯାଇଛି ।

Leave a Reply

Your email address will not be published. Required fields are marked *