କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁରସ୍ଥିତ ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସ ବିଭାଗ ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟ (୪୪)ଙ୍କୁ ଭିଜିଲାନ୍ସ ବାନ୍ଧିଛି । ଶ୍ରୀ ସାମନ୍ତରାୟଙ୍କ ବିରୋଧରେ ଆୟରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗ ମିଳିବା ପରେ ସମ୍ବଲପୁରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରୁ ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି ।
ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ଦଳ ଏକକାଳୀନ ସମ୍ବଲପୁର, ଭୁବନେଶ୍ୱର, ପୁରୀ ଓ ଖୋର୍ଦ୍ଧା ଜିଲାର ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଛନ୍ତି । ଏହି ଚଢ଼ଉ ସମୟରେ ୮ ଜଣ ଡିଏସପି, ୧୧ ଜଣ ଇନ୍ସପେକ୍ଟର, ୧୧ଜଣ ଏଏସଆଇ ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି । ମଙ୍ଗଳବାର ସକାଳୁ ଆରମ୍ଭ ହୋଇଥିବା ଏହି ଚଢ଼ଉ ସମୟରେ ସମ୍ବଲପୁରର ଭୂତପଡାସ୍ଥିତ କାର୍ଯ୍ୟାଳୟ, ଧନକଉଡାସ୍ଥିତ ସନ ସିଟି ଆପାର୍ଟମେଣ୍ଟରେ ଥିବା ବିଲାସପୂର୍ଣ୍ଣ ଏକ ୩-ବିଏଚକେ ଫ୍ଲାଟ, ଭୁବନେଶ୍ୱର-ନନ୍ଦନକାନନରୋଡସ୍ଥିତ ନନ୍ଦନ ବିହାରରେ ଥିବା ଏକ ଦୁଇ ମହଲା ବିଶିଷ୍ଟ କୋଠା ଘର, ଇଣ୍ଡସ୍ କଲେଜ ଅଫ ଇଞ୍ଜିନିଅରିଂ ଜଟଣୀ ନିକଟ ବାରକୁଡ଼ାସ୍ଥିତ ଏକ କୋଠା ଘର, ପୁରୀ ଜିଲା ବାଲିଗୁଆଲି ତୋଟା ବେହେରାସାହିସ୍ଥିତ ୩ ମହଲା ବିଶିଷ୍ଟ କୋଠା ଘର, ଖୋର୍ଦ୍ଧା ବାଲୁଗାଁ ସୁଭାଷ ମାର୍ଗରେ ୨ ମହଲା ବିଶିଷ୍ଟ କୋଠା ଘର ଏବଂ ଖୋର୍ଦ୍ଧା ଅଶୋକ ନଗରରେ ଥିବା ଦୁଇ ମହଲା ବିଶିଷ୍ଟ କୋଠା ଘର ଗୁଡିକରେ ଜୋରଦାର ତଲାସୀ ଜାରି ରହିଛି ।
ଭିଜିଲାନ୍ସ ବିଭାଗ ଦେଇଥିବା ସୁଚନା ଅନୁଯାୟୀ, ଶ୍ରୀ ସାମନ୍ତରାୟ ପ୍ରାରମ୍ଭିକ ଦରମା ୧୫ ହଜାର ଟଙ୍କାରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ । ସେ ୬ ଫେବୃଆରୀ ୨୦୦୯ରେ ପ୍ରଥମେ ରାଉରକେଲା ଠାରେ ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସ ବିଭାଗରେ ସହାୟକ ନିର୍ଦ୍ଦେଶକ ଭାବରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ । ସେଠାରେ ୫ ଅଗଷ୍ଟ ୨୦୧୩ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ । ଏହାପରେ ସେ ଅନୁଗୋଳସ୍ଥିତ ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସ ବିଭାଗକୁ ସହାୟକ ନିର୍ଦ୍ଦେଶକ ଭାବରେ ବଦଳି ହୋଇ ଯାଇଥିଲେ । ସେଠାରେ ୧ ଡିସେମ୍ବର ୨୦୨୦ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିବା ପରେ ତାଙ୍କୁ ସମ୍ୱଲପୁରସ୍ଥିତ ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସ ବିଭାଗକୁ ସହାୟକ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିଲା । ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ସମ୍ବଲପୁରସ୍ଥିତ ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସ ବିଭାଗରେ ସହକାରୀ ନିର୍ଦ୍ଦେଶକ ରୂପେ ଶ୍ରୀ ସାମନ୍ତରାୟ କାର୍ଯ୍ୟରତ ।
ତଲାସୀ ପ୍ରକ୍ରିୟା ଜାରି ରହିଥିବାରୁ ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏବଂ ସମ୍ପତ୍ତିର ହିସାବ ସାମ୍ନାକୁ ଆସିବାର ସମ୍ଭାବନା ରହିଛି ବୋଲି ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି । ଅପରପକ୍ଷରେ ଭିଜିଲାନ୍ସର ପ୍ରାଥମିକ ଯାଞ୍ଚ ସମୟରେ ଏହି ସରକାରୀ ବାବୁଙ୍କ ବିଳାସପୁର୍ଣ୍ଣ କୋଠାଘର ଗୁଡିକ ପ୍ରତି ବେଶ ଲୋଭ ଓ ସଉକ ଥିବା ଜଣାପଡିଛି ।
