ମାଡ଼ି ଆସୁଛି ଅର୍ଣ୍ଣବ:ରାତି ୨ରୁ ୪ ମଧ୍ଯରେ ଛୁଇଁବ ସ୍ଥଳଭାଗ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ବଙ୍ଗୋପ ସାଗରରେ ସୃଷ୍ଟ ଭୟଙ୍କର ସାମୁଦ୍ରିକ ଝଡ଼ ଅର୍ଣ୍ଣବ ସ୍ଥଳଭାଗ ଆଡ଼କୁ ଦ୍ରୁତଗତିରେ ମାଡ଼ି ଆସୁଛି । ବର୍ତ୍ତମାନ ଏହାର ଘଣ୍ଟା ପ୍ରତି ବେଗ ୧୮ କିଲୋମିଟର ରହିଛି । ସ୍ଥଳଭାଗକୁ ଯେତେ ପାଖେଇ ଆସିବ, ଏହାର ବେଗ ସେତେ ବଢିବା ଆଶଙ୍କା ଥିବାରୁ ୨୮ ତାରିଖ ରାତି ୨ଟାରୁ ଭୋର ୪ଟା ମଧ୍ୟରେ ଏହା ଆନ୍ଧ୍ରପ୍ରଦେଶର ବପାଟଲା ଏବଂ ବିଶାଖାପାଟଣା ମଧ୍ୟରେ ଉପକୂଳ ଅତିକ୍ରମ କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସଦ୍ୟ ଜାରି ଖବରରେ କୁହାଯାଇଛି ।

        ଏହାର ପ୍ରଭାବରେ ନିକଟବର୍ତ୍ତୀ ଅଞ୍ଚଳ ଗୁଡିକରେ ଘଣ୍ଟାପ୍ରତି ପବନର ବେଗ ୧୨୫ରୁ ୧୩୫ ମଧ୍ୟରେ ରହିବା ସହ ଝଟ୍‌କା ପବନର ବେଗ ବେଳେ ବେଳେ ୧୫୦କୁ ମଧ୍ୟ ଟପିଯାଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି । ଅର୍ଣ୍ଣବ ପ୍ରଭାବରେ ଦକ୍ଷିଣ, ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସହ ୫୦ରୁ ୬୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି ।

     ବାତ୍ୟା ପ୍ରଭାବରେ ମଙ୍ଗଳବାର ସକାଳୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଦିନତମାମ ତୁହାକୁ ତୁହା ବର୍ଷା ଲାଗି ରହିଛି । ସତର୍କକତାମୂଳକ ପଦକ୍ଷେପ ସ୍ୱରୂପ ପ୍ରଭାବିତ ହେବାକୁ ଥିବା ଜିଲାଗୁଡିକର ସ୍କୁଲ, ଅଙ୍ଗନବାଡ଼ିକେନ୍ଦ୍ର ଗୁଡିକୁ ଛୁଟି ଘୋଷଣା କରାଯିବା ସହ ବାତ୍ୟା ଆଶ୍ରୟସ୍ଥଳ ଗୁଡିକୁ ପ୍ରସ୍ତୁତ କରି ରଖାଯାଇଛି । ୨୮ ତାରିଖରେ ରାଜଧାନୀ ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍ ପରିବହନ ସେବାକୁ ମଧ୍ୟ ବନ୍ଦ ରଖାଯାଇଛି । ସରକାର ସମ୍ଭାବ୍ୟ ବାତ୍ୟା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *