ହଷ୍ଟେଲ ଚତୁର୍ଥ ମହଲାରୁ ଖସି ଛାତ୍ରଙ୍କ ମୃତ୍ୟୁ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ହଷ୍ଟେଲରେ ରହି ପାଠ ପଢ଼ୁଥିବା ଜଣେ ଛାତ୍ରଙ୍କର ଶନିବାର ଅକାଳ ମୃତ୍ୟୁ ଘଟିଛି। ହଷ୍ଟେଲ ଚତୁର୍ଥ ମହଲାର ଝରକାରୁ ଖସି ପଡ଼ି ଗୁରୁତର ହୋଇଥିବା ଛାତ୍ର ଶେଷରେ ଆଖି ବୁଜିଛନ୍ତି। ମୃତ ଛାତ୍ର ହେଉଛନ୍ତି ଆଦିତ୍ୟ ନାରାୟଣ ପଲେଇ।

       ସୂଚନା ଅନୁଯାୟୀ, ଆଦିତ୍ୟ କେନ୍ଦୁଝର ନିୟୁକଲୋନୀସ୍ଥିତ ସିଟିଜି ଉଚ୍ଚମାଧ୍ଯମିକ ବିଦ୍ୟାଳୟ ପ୍ରଥମବର୍ଷ ବିଜ୍ଞାନ ଛାତ୍ର ଭାବେ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ। ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟା ୧୦ ମିନିଟରେ ମଧ୍ୟାହ୍ନଭୋଜନ ସମୟରେ ହଷ୍ଟେଲର ଚତୁର୍ଥ ମହଲା ଝରକାରୁ ଆଦିତ୍ୟ ତଳକୁ ଖସି ପଡ଼ିଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିଲେ।

     ଘଟଣାକୁ ଲୁଚାଇବା ଉଦ୍ଦେଶ୍ଯରେ ଶିକ୍ଷାନୁଷ୍ଠାନ କର୍ତୁପକ୍ଷ ଗୁରୁତର ଆଦିତ୍ୟଙ୍କୁ କେନ୍ଦୁଝରରେ ଚିକିତ୍ସା କରିବା ପରିବର୍ତ୍ତେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଦୀର୍ଘ ସମୟ ଧରି ଚିକିତ୍ସାଧୀନ ରହିବା ପରେ ଶନିବାର ଅପରାହ୍ନ ୪ଟା ୧୫ ମିନିଟ୍ ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

     ମୃତ ଆଦିତ୍ୟଙ୍କ ଘର କେନ୍ଦୁଝର ଜିଲ୍ଲା ପାଣ୍ଡାପଡ଼ା ଥାନା ଅନ୍ତର୍ଗତ ନଳପଙ୍ଗା ଗ୍ରାମରେ। ତାଙ୍କ ବାପାଙ୍କ ନାମ ସୁଧାଂଶୁ ପାଲେଇ। ଏକମାତ୍ର ପୁଅକୁ ହରାଇ ପରିବାରରେ ଶୋକର ଛାୟା ଖେଳିଯାଇଛି। ଛାତ୍ର ଆଦିତ୍ୟଙ୍କ ମୃତ୍ୟୁ ଖବର ପରେ ସ୍ଥାନୀୟ ଅଞ୍ଚଳରେ  ଶୋକର ଛାୟା ଖେଳିଯାଇଛି । ତେବେ ଛାତ୍ର ଜଣକ କେଉଁ ପରିସ୍ଥିତିରେ ଚତୁର୍ଥ ମହଲାରୁ ଖସି ପଡ଼ିଲେ, ତାହା ଏବେ ଅସ୍ପଷ୍ଟ। ଦୁର୍ଘଟଣାର ସଠିକ୍  ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଉଥିବା ବେଳେ ଏକମାତ୍ର ପୁଅକୁ ହରାଇ ପରିବାରବର୍ଗ ସ୍ତବ୍ଧ ହୋଇପଡିଛନ୍ତି ।

Leave a Reply

Your email address will not be published. Required fields are marked *