ଏକକାଳୀନ ୫ ସ୍ଥାନରେ ଭିଜିଲାନ୍ସ ଚଢଉ ଜାରି
କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଲାଞ୍ଚ ନେଇ ଫସିଲେ କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡ ସହକାରୀ ଯୋଗାଣ ଅଧିକାରୀ (ଏସିଏସଓ) ଧୁମାରାମ ମୁର୍ମୁ। ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ମାଡି ବସିଛି ଭିଜିଲାନ୍ସ ଟିମ୍ । ମିଳିଥିବା ସୂଚନାନୁସାରେ ଧାନକିଣାରେ ଭୂଇଁପୁର ବୃହଦାକାର ବହୁମୁଖୀ ସମିତି (ଲ୍ୟାମ୍ପ)ର ପରିଚାଳନା ନିର୍ଦ୍ଦେଶକ ହିରାମୋହନ ନାଏକ ଲାଭ ପାଇଥିବା କହି ଏସିଏସଓ ଶ୍ରୀ ମୁର୍ମୁ ତାଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
ଏ ସମ୍ପର୍କରେ ଲ୍ୟାମ୍ପ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ନାଏକ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ଏସିଏସଓ ଶ୍ରୀ ମୁର୍ମୁ ଅଭିଯୋଗକାରୀଙ୍କ ଠାରୁ କାର୍ଯ୍ୟାଳୟରେ ୧୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଯୋଜନା ମୁତାବକ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଭିଜିଲାନ୍ସ ଟିମ୍ ଚଢାଉ କରିଥିଲେ। ଟଙ୍କା ସହ ଧରାପଡ଼ିଥିବାରୁ ତାଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।
ଏଥିସହ ଗିରଫ ସହକାରୀ ଯୋଗାଣ ଅଧିକାରୀ ଶ୍ରୀ ମୁର୍ମୁଙ୍କ ଚମ୍ପୁଆସ୍ଥିତ କାର୍ଯ୍ୟାଳୟ, ଚମ୍ପୁଆ ଭଡ଼ାଗୃହ, ବାରିପଦାସ୍ଥିତ ପୈତୃକ ବାସଭବନ ସମେତ ନୂଆପଡ଼ା ଓ ଖରିଆରରୋଡସ୍ଥିତ ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢଉ ଜାରି ରହିଛି । କେନ୍ଦୁଝର ଭିଜିଲାନ୍ସ ଡିଏସପି ସୁଧାଂଶୁ ଶେଖର ପୂଜାରୀଙ୍କ ନେତୃତ୍ଵରେ ବାଲେଶ୍ଵର ଭିଜିଲାନ୍ସ ଇନ୍ସପେକ୍ଟର ଦଶରଥ ହେମ୍ବମ ଓ ଚିତ୍ତରଞ୍ଜନ ଚମ୍ପେଆ, କେନ୍ଦୁଝର ଭିଜିଲାନ୍ସ ସବଇନ୍ସପେକ୍ଟର ସୁଶାନ୍ତ କୁମାର ସେଠୀ, କର୍ମଚାରୀ ସର୍ବେଶ୍ଵର ସାହୁ, ଧୃବେନ୍ଦ୍ର କୁମାର ପାତ୍ର, ରାଜଶ୍ରୀ ଷଡ଼ଙ୍ଗୀ ପ୍ରମୁଖ ଏହି ଚଢଉରେ ସାମିଲ ହୋଇଥିଲେ ।
