ରାଜ୍ୟପାଳ ଭାବେ ଶପଥ ନେଲେ ବ୍ରଜ ମୋହନ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଆଜି ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ହାଇକୋର୍ଟର ମୁଖ୍ୟ ବିଚାରପତି ତାଙ୍କୁ ଶପଥ ପାଠ କରାଇଥିଲେ। ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ। ଏହି ଶପଥ ଗ୍ରହଣ ସମାରୋହ ରାଜ୍ୟର ସାମ୍ବିଧାନିକ ପରମ୍ପରା ଅନୁଯାୟୀ ଆୟୋଜିତ ହୋଇଥିଲା। ନବନିଯୁକ୍ତ ରାଜ୍ୟପାଳଙ୍କ ଶପଥ ଗ୍ରହଣ ସହ ରାଜ୍ୟରେ ତାଙ୍କର ନୂତନ ଦାୟିତ୍ୱ ଆରମ୍ଭ ହୋଇଛି।

                        Advertisement

ଓଡ଼ିଶାର ନୂତନ ରାଜ୍ୟପାଳ ବ୍ରଜ ମୋହନ ରାମ ପୂର୍ବରୁ ଝାଡଖଣ୍ଡ ପାଲାମୁରୁ ସାଂସଦ  ଥିଲେ । ସେ ଝାଡ଼ଖଣ୍ଡ ରାଜ୍ୟ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ଦାୟିତ୍ୱରେ ଥିଲେ ।

         ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମଙ୍କ ଜନ୍ମ ୧୯୫୮ ମସିହା ଜାନୁୟାରୀ ୧ ତାରିଖରେ ତତ୍କାଳୀନ ବିହାର (ବର୍ତ୍ତମାନର ଝାଡଖଣ୍ଡ) ପଲାମୁ ଜିଲା ଅନ୍ତର୍ଗତ ଚନ୍ଦୱା ଗ୍ରାମରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ଅର୍ଜ୍ଜୁନ ରାମ ବୈଠା ଓ ମାତାଙ୍କ ନାମ ଚୈତୀ ଦେବୀ । ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ ସେ ବିହାର ବିଧାନସଭାର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ ।

       ୧୯୯୬ରେ ୧୧ତମ ଲୋକସଭା ନିର୍ବାଚନରେ ସେ ନିର୍ବାଚିତ ହୋଇ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କଲ୍ୟାଣ କମିଟି ସଦସ୍ୟ ହୋଇଥିଲେ । ୧୯୯୬–୧୯୯୭ରେ ଗୃହ ବ୍ୟାପାର କମିଟିର ସଦସ୍ୟ ଓ ରେଳ ମନ୍ତ୍ରଣାଳୟର ଅନୌପଚାରିକ କମିଟି (ପୂର୍ବ ରେଳପଥ) ଏବଂ ଇସ୍ପାତ ଓ ଖଣି ମନ୍ତ୍ରଣାଳୟର ପରାମର୍ଶଦାତା କମିଟି ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ୧୯୯୮ ମସିହାରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ସେ ପୁନଃ ନିର୍ବାଚିତ ହୋଇଥିଲେ। ଏହି ସମୟରେ ଶକ୍ତି କମିଟି ଏବଂ ଏହାର ବିଦ୍ୟୁତ୍ ଉପକମିଟି-୧ର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ । ୧୯୯୯ ମସିହାରେ ୧୩ତମ ଲୋକସଭା ନିର୍ବାଚନରେ ସେ ତୃତୀୟ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୦–୨୦୦୪ ପର୍ଯ୍ୟନ୍ତ କୋଇଲା ମନ୍ତ୍ରଣାଳୟର ପରାମର୍ଶଦାତା କମିଟି ଏବଂ ପରିବହନ ଓ ପର୍ଯ୍ୟଟନ କମିଟି ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ଆଇନ ମନ୍ତ୍ରଣାଳୟର ପରାମର୍ଶଦାତା କମିଟିର ସ୍ଥାୟୀ ବିଶେଷ ଆମନ୍ତ୍ରିତ ସଦସ୍ୟ ଭାବେ ମଧ୍ୟ ଶ୍ରୀ ରାମ କାର୍ଯ୍ୟ କରିଛନ୍ତି ।

Leave a Reply

Your email address will not be published. Required fields are marked *