ଆଜିଠୁ ବିଶ୍ଵକପ ଫୁଟବଲ ମହାକୁମ୍ଭ

ଲିଓନେଲ ମେସି, ରୋନାଲ୍‌ଡୋ, ନୈମାର, ଲୁକା ମୋଡ୍ରିଚ୍‌ଙ୍କ ପରି ଷ୍ଟାର ଖେଳାଳିଙ୍କ ପାଇଁ ଶେଷ ସୁଯୋଗ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର):  ଫୁଟବଲ ମହାକୁମ୍ଭ ଫିଫା ବିଶ୍ବକପର ୨୩ତମ ସଂସ୍କରଣ ଗୁରୁବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଉକ୍ତ ବିଶ୍ବକପକୁ ନେଇ ସାରା ବିଶ୍ବରେ ଏବେ ଫୁଟବଲ ମାନିଆ। ଆସନ୍ତା କିଛି ସପ୍ତାହ ଧରି ସମଗ୍ର ବିଶ୍ବର ନଜର ରହିବ ଏହି ଫୁଟବଲ୍‌ର ସବୁଠାରୁ ବଡ଼ ମଞ୍ଚ ଉପରେ। ମେକ୍ସିକୋର ସିଟିର ଇଷ୍ଟାଡିଓ ଷ୍ଟାଡିୟମ୍‌ରେ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ପରେ ପ୍ରତିଯୋଗିତା ଆରମ୍ଭ ହେବ।

      ୯୬ ବର୍ଷର ଫୁଟବଲ ବିଶ୍ବକପର ଇତିହାସରେ ପ୍ରଥମଥର ୩ଟି ଦେଶ ଆମେରିକା, ମେକ୍ସିକୋ ଓ କାନାଡା ଫୁଟ୍‌ବଲ ବିଶ୍ବକପ୍‌ ଅୟୋଜନ କରୁଛନ୍ତି। ଜୁନ୍‌ ୧୧ରୁ ଜୁଲାଇ ୧୯ ପର୍ଯ୍ୟନ୍ତ ଖେଳାଯିବ ଏହି ପ୍ରତିଯୋଗିତା । ଫୁଟ୍‌ବଲ ଇତିହାସରେ ଏହା ସବୁଠାରୁ ବଡ଼ ବିଶ୍ବକପ୍‌। କାରଣ ୩୨ଟି ଦଳ ବଦଳରେ ଏହି ବିଶ୍ବକପ୍‌ରେ
ପ୍ରଥମଥର ୪୮ଟି ଦଳ ଭାଗ ନେଉଛନ୍ତି। ୩ଟି ଦେଶର ୧୬ଟି ସହରର ୧୬ଟି ଷ୍ଟାଡିୟମରେ ୩୯ ଦିନ ଧରି ମୋଟ୍‌ ୧୦୪ଟି ମ୍ୟାଚ ଖେଳାଯିବ।

    ୪ ଥର ଚମ୍ପିଆନ୍‌ ଇଟାଲୀ ଉକ୍ତ ବିଶ୍ବକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିନାହିଁ ସତ କିନ୍ତୁ  ୪ଟି ଦଳ ପ୍ରଥମଥର ବିଶ୍ବକପ୍‌ ଖେଳୁଛନ୍ତି। ସେମାନେ ହେଲେ ଜୋର୍ଡାନ୍, ଉଜ୍‌ବେକିସ୍ତାନ, କ୍ୟୁରାସାଓ ଓ କେପ୍‌ ଭେର୍ଦେ। ଗୋଟିଏ ଗ୍ରୁପ୍‌ରେ ୪ଟି ଦଳକୁ ନେଇ ମୋଟ ୪୮ଟି ଦଳଙ୍କୁ ୧୨ଟି ଗ୍ରୁପ୍‌ରେ ରଖାଯାଇଛି। ଗ୍ରୁପ୍‌ ପର୍ଯ୍ୟାୟ ପରେ ପ୍ରତି ଗ୍ରୁପ୍‌ର ପ୍ରଥମ ୨ଟି ଦଳ ଏବଂ ୩ୟ ସ୍ଥାନରେ ରହିଥିବା ଶ୍ରେଷ୍ଠ ୮ଟିକୁ ମିଶାଇ ମୋଟ ୩୨ଟି ଦଳ ପରବର୍ତ୍ତୀ ରାଉଣ୍ଡ ଖେଳିବେ। ୨ୟ ରାଉଣ୍ଡରୁ ସମସ୍ତ ମ୍ୟାଚ୍‌ ନକ୍‌ଆଉଟ୍‌। ଲିଗ୍‌ ପର୍ଯ୍ୟାୟରେ ମୋଟ୍‌ ୬୮ଟି ମ୍ୟାଚ ଜୁନ୍‌ ୨୭ ପର୍ଯ୍ୟନ୍ତ ଖେଳାଯିବ। ରାଉଣ୍ଡ-୩୨ ନକ୍‌ଆଉଟ୍‌ ପର୍ଯ୍ୟାୟ ପ୍ରତିଯୋଗିତା ଜୁନ୍‌ ୨୮ରୁ ଜୁଲାଇ ୩ ପର୍ଯ୍ୟନ୍ତ ଖେଳାଯିବ। ଜୁଲାଇ ୪ରୁ ୭ ପର୍ଯ୍ୟନ୍ତ ପ୍ରିକ୍ବାର୍ଟର ଫାଇନାଲ, ଜୁଲାଇ ୯ରୁ ୧୧ କ୍ବାର୍ଟରଫାଇନାଲ, ଜୁଲାଇ ୧୪ ଓ ୧୫ରେ ସେମିଫାଇନାଲ, ୧୮ରେ ତୃତୀୟ ସ୍ଥାନ ପାଇଁ ମ୍ୟାଚ୍‌ ଓ ୧୯ରେ ଆମେରିକାର ମେଟ୍‌ଲାଇଫ ଷ୍ଟାଡିୟମରେ ଫାଇନାଲ ସହ ବିଶ୍ବକପ ଉଦ୍‌ଯାପିତ ହେବ।

     ଏହି ପ୍ରତିଯୋଗିତାରେ ମୋଟ ୮୧୮୭ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ଚମ୍ପିଆନ୍‌ ଦଳ ୪୭୦ କୋଟି, ରନର୍ସଅପ୍‌ ଦଳ ୩୧୦.୨ କୋଟି, ୩ୟ ସ୍ଥାନରେ ଥିବା ଦଳ ୨୭୨.୬ କୋଟି ଓ ୪ର୍ଥ ସ୍ଥାନର ଦଳ ୨୫୩.୮ କୋଟି ଟଙ୍କା ପୁରସ୍କାର ପାଇବେ। ଗତଥରର ଚମ୍ପିଆନ ଆର୍ଜେଣ୍ଟିନା ସମେତ ସର୍ବାଧିକ ୫ଥରର ଚମ୍ପିଆନ ବ୍ରାଜିଲ, ଜର୍ମାନୀ, ଫ୍ରାନ୍‌ସ ଭଳି ବିଶ୍ବ ଫୁଟବଲର ଶକ୍ତିଶାଳୀ ଦେଶ ଟାଇଟଲ ଦାବିଦାର ଆଗରେ ରହିଥିବା ବେଳେ ସ୍ପେନ, ଇଂଲଣ୍ଡ, ନେଦରଲାଣ୍ଡ୍‌ସ, ପର୍ତ୍ତୁଗାଲ, କଲମ୍ବିଆ ଦଳ ମଧ୍ୟ କୌଣସି ଗୁଣରେ କମ୍‌ ନାହାନ୍ତି। ଲିଓନେଲ ମେସି, ରୋନାଲ୍‌ଡୋ, ନୈମାର, ଲୁକା ମୋଡ୍ରିଚ୍‌ଙ୍କ ପରି ଷ୍ଟାର ଖେଳାଳିଙ୍କ ପାଇଁ ଏହା ଅନ୍ତିମ ବିଶ୍ବକପ୍‌ ହୋଇପାରେ ।

Leave a Reply

Your email address will not be published. Required fields are marked *