କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝର ଜିଲ୍ଲାର ମୋଟ ୬୦ ଠିପି ବନ୍ଦ ବିଦେଶୀ ମଦ ଦୋକାନ ମଧ୍ୟରୁ ମଙ୍ଗଳବାର ୫୬ ଦୋକାନର ଲଟେରୀ ମାଧ୍ୟମରେ ଆବେଦନକାରୀଙ୍କୁ ଟେଣ୍ଡର ପ୍ରଦାନ କରାଯାଇଛି । ଜିଲ୍ଲାର ୬୦ଟି ଠିପି ବନ୍ଦ ବିଦେଶୀ ମଦ ଦୋକାନ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା । ସେଥିମଧ୍ୟରୁ ୪ଟି ଦୋକାନ ପାଇଁ କେହି ଆବେଦନ କରିନଥିଲେ । ୫୬ ଦୋକାନ ପାଇଁ ସମୁଦାୟ କେତେ ୭୭୫ ଆବେଦନକାରୀ ୧୧୬୩ଟି ଆବେଦନପତ୍ର ଦାଖଲ କରିଥିଲେ ।

ଜଣେ ହେଲେ ଆବେଦନକାରୀଙ୍କ ଆବେଦନପତ୍ର ଯାଞ୍ଚ ସମୟରେ କାଟ୍ ଖାଇନଥିବା ବେଳେ ଧାର୍ଯ୍ୟ ମୁତାବକ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦରବାରହଲ ଠାରେ ଜିଲ୍ଲାପାଳ ବିଶାଲ ସିଂହଙ୍କ ଅଧ୍ୟକ୍ଷତାରେ ଆବେଦନକାରୀଙ୍କ ଉପସ୍ଥିତିରେ ୫୬ଟି ବିଦେଶୀ ଠିପି ବନ୍ଦ ମଦ ଦୋକାନର ଲଟେରୀ ଉଠାଣ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ଆଖିରେ କଳାପଟି ପିନ୍ଧି ଲଟେରୀ ଉଠାଣ କରିଥିଲେ । ଜିଲ୍ଲା ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ ଏଥିରେ ସହଯୋଗ କରିଥିଲେ ।
