ଏସୀୟ କ୍ରୀଡା: ସମ୍ଭାବ୍ୟ ଦଳରେ ସୂର୍ଯ୍ୟବଂଶୀ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଆସନ୍ତା ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪ ପଯ୍ୟନ୍ତ  ଜାପାନରେ  ଏସୀୟ କ୍ରୀଡ଼ା-୨୦୨୬ ଖେଳାଯିବ। ଏଥିପାଇଁ ବିସିସିଆଇ ପକ୍ଷରୁ ଶନିବାର ଭାରତୀୟ ଅଲିମ୍ପିକ୍ସ ମହାସଂଘକୁ ୩୦ ଜଣିଆ ସମ୍ଭାବ୍ୟ ଭାରତୀୟ ପୁରୁଷ କ୍ରିକେଟ ଖେଳାଳି ତାଲିକା ପ୍ରଦାନ କରାଯାଇଛି। ଦଳରେ ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କୁ ସ୍ଥାନ ମିଳିଛି ଆଇପିଏଲ ୨୦୨୬ରେ ଚମତ୍କାର ପ୍ରଦର୍ଶନ କରିଥିବା ବୈଭବଙ୍କୁ ପ୍ରଥମଥର ପାଇଁ ଭାରତୀୟ ସିନିୟର ସମ୍ଭାବ୍ୟ ଦଳରେ ସାମିଲ କରାଯାଇଛି।

       ୧୫ ବର୍ଷୀୟ ବୈଭବ ଚଳିତ ଆଇପିଏଲରେ ୧୬ଟି ମ୍ୟାଚ ଖେଳି ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକ ସହ ୭୭୬ରନ କରିଥିଲେ। ଏହାଛଡ଼ା ଚଳିତ ବର୍ଷ ଜିମ୍ବାୱେରେ ଆୟୋଜିତ ୧୯ ବର୍ଷରୁ କମ୍‌ ଦିନିକିଆ ବିଶ୍ବକପ ଫାଇନାଲରେ ବୈଭବ ଇଂଲଣ୍ଡ ବିପକ୍ଷରେ ୧୭୫ରନର ଇନିଂସ ଖେଳିଥିଲେ। ଉକ୍ତ ପ୍ରଦର୍ଶନ ବଳରେ ବୈଭବଙ୍କୁ ଭାରତୀୟ ସିନିୟର ସମ୍ଭାବ୍ୟ ଦଳରେ ସୁଯୋଗ ମିଳିଛି।

     ସମ୍ଭାବ୍ୟ ଦଳରେ ଟି୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ଦିନିକିଆ ଅଧିନାୟକ ଶୁଭମନ ଗିଲ୍‌ଙ୍କୁ ସ୍ଥାନ ମିଳିନାହିଁ। ଏସୀୟ କ୍ରୀଡ଼ା ସମୟରେ ଭାରତ ଘରୋଇ ପଡ଼ିଆରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଟି୨୦ ଶୃଙ୍ଖଳା ଖେଳିବ। ଏହାକୁ ଦୃଷ୍ଟିରୁ ରଖି ବିସିସିଆଇ ପକ୍ଷରୁ ଦୁଇଟି ପୃଥକ ପୃଥକ ମନୋନୟନ କରାଯିବ। ଏସୀୟ କ୍ରୀଡ଼ାରେ ଉଭୟ ପୁରୁଷ ଓ ମହିଳା କ୍ରିକେଟକୁ ସାମିଲ କରାଯାଇଛି। ଟି୨୦ ଫର୍ମାଟରେ ଉକ୍ତ ପ୍ରତିଯୋଗିତା ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୩ ପଯ୍ୟନ୍ତ ଖେଳାଯିବ।

        ସମ୍ଭାବ୍ୟ ଭାରତୀୟ ଦଳ: ଯଶସ୍ବୀ ଜୟସୱାଲ, ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ଈଶାନ କିଷନ, ସଞ୍ଜୁ ସାମସନ (ୱିକେଟ୍‌ ରକ୍ଷକ), ଶ୍ରେୟସ ଆୟର, ଋଷଭ ପନ୍ତ (ୱିକେଟ୍‌ ରକ୍ଷକ), ହାର୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ତିଳକ ବର୍ମା, ଯଶପ୍ରୀତ ବୁମ୍‌ରା, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, କୁଳଦୀପ ଯାଦବ, ନୀତୀଶ କୁମାର ରେଡ୍‌ଡୀ, ପ୍ରସିଦ୍ଧ କୃଷ୍ଣ, ବରୁଣ ଚକ୍ରବର୍ତ୍ତୀ, ଅନୁକୁଳ ରାୟ, ଆୟୁଷ ବାଦୋନି, ହର୍ଷ ଦୁବେ, ଧ୍ରୁବ ଜୁରେଲ, ଖଲିଦ ଅହମ୍ମଦ, ଋତୁରାଜ ଗାଏକ୍‌ୱାଡ, ରବି ବିଷ୍ଣୋଇ, ସାହାବାଜ୍‌ ଅହମ୍ମଦ, ଶିବମ୍‌ ଦୁବେ, ବିପ୍ରଜ ନିଗମ, ହର୍ଷିତ ରାଣା, ୟଶ ଠାକୁର ଓ ୱାଶିଂଟନ ସୁନ୍ଦର ।

Leave a Reply

Your email address will not be published. Required fields are marked *